ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ସୋମବାର ସାଢ଼େ ୧୦ ଟା ସମୟରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।
ବାଜପେୟୀଙ୍କ ସରକାର ସମୟରେ ୧୯୯୮ରୁ ୧୯୯୯ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ବିଜେପିର ତାଳଚେର ମଣ୍ଡଳ ସଭାପତି ଥିଲେ। ୧୯୮୩ରୁ ୧୯୮୮ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ରହିଥିବା ବେଳେ ୧୯୮୮ ରୁ ୧୯୯୦ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ୧୯୯୩ ରୁ ୧୯୯୫ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଓ ୧୯୯୫ରୁ ୧୯୯୭ ଦ୍ଵିତୀୟ ଥର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ରହିଥିଲେ। ୨୦୦୧-୨୦୦୨ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୮୯ ମସିହାରେ ପ୍ରଥମଥର ପାଇଁ ଦେବଗଡ଼ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ପୁନର୍ବାର ଦେବଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଅପରାହ୍ନରେ ସ୍ବର୍ଗତ ପ୍ରଧାନଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିବ। ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବା ଯୋଜନା ରହିଛି। ସେଠାରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରି ପାରିବେ।
ଶ୍ରୀ ପ୍ରଧାନଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।


