ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସାରିଛି କୁମ୍ଭମେଳା। ଶ୍ରଦ୍ଧାଳୁମାନେ ମହାସ୍ନାନ ସାରି ଫେରିଛନ୍ତି। ହେଲେ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ସଙ୍ଗମ ସ୍ଥଳରୁ ନିଜ ଦେଶକୁ ଫେରିବାକୁ ଭୁଲି ଯାଇଛନ୍ତି ବିଦେଶାଗତ ପକ୍ଷୀ।
ତ୍ରିବେଣୀ ସଙ୍ଗମସ୍ଥଳ ଉପରେ ପକ୍ଷୀଙ୍କ କିଟିକିମିଚିରି ଶବ୍ଦ ପରିବେଶକୁ ଅଧିକ ମନୋରମ କରୁଛି।
ପକ୍ଷୀ ବିଶେଷଜ୍ଞଙ୍କ କହିବାନୁଯାୟୀ ଶୀତଦିନେ ପ୍ରତିବର୍ଷ ସାଇବେରିଆ ସମେତ ଅନ୍ୟାଦେଶରୁ ଆସୁଥିବା ପକ୍ଷୀଙ୍କ ସମାଗମ ହୋଇଥାଏ। ଡିସେମ୍ବରରୁ ଫେବୃୟାରୀ ଶେଷ ଯାଏଁ ଏହି ବିଦେଶୀ ପକ୍ଷୀମାନେ ଉଡି ଆସି ପ୍ରୟାଗରାଜର ସଙ୍ଗମସ୍ଥଳରେ ଭିଡ ଜମାନ୍ତି ଆଉ ମାର୍ଚ୍ଚ ଆରମ୍ଭରୁ ସେମାନେ ପୁଣି ବାହୁଡି ଯାଆନ୍ତି। ହେଲେ ଆଶ୍ଚର୍ୟ୍ୟର କଥା ହେଉଛି ଆଜି ମାର୍ଚ୍ଚ ୧୭ ତାରିଖ ହୋଇଥିଲେ ବି ସଙ୍ଗମସ୍ଥଳରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ଯାହା ପକ୍ଷୀ ଗଣନାକାରୀ ଏବଂ ପକ୍ଷୀ ବିଶେଷଜ୍ଞଙ୍କୁ ଚକିତ କରିଛି।
କୁହାଯାଉଛି ସଙ୍ଗମର ଜଳ ସ୍ବଚ୍ଛତା କାରଣରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ପକ୍ଷୀମାନେ ଏଯାଏଁ ରହିଛନ୍ତି। ଜଳ ଯଦି ଅସ୍ବଚ୍ଛ ଥାନ୍ତା ତାହାଲେ ବିଦେଶୀ ପକ୍ଷୀମାନେ କେବେଠୁ ଉଡି ଯାଆନ୍ତେଣି।
ତେବେ ମହାକୁମ୍ଭ ପରେ ସଙ୍ଗମସ୍ଥଳକୁ ପରିଷ୍କାର ରଖିବା, ଜଳର ସ୍ବଚ୍ଛତା ସହ ଘାଟର ସଫେଇ ଉପରେ ବାରମ୍ବାର ଗୁରୁତ୍ବ ଦେବା କାରଣରୁ ସଙ୍ଗମ ଜଳ ସଫା ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।


