ଆମେ ଅନେକ ସମୟରେ ଅନ୍ୟ ପାଇଁ କାମ କରି ଚାଲିଥାଉ। କିନ୍ତୁ କାହାପାଇଁ କାମ କରିଥାଉ ଜାଣି ନ ଥାଉ। ମାଲିକ ବା ଉପରିସ୍ଥ ଅଧିକାରୀଙ୍କ ବାଃ ବାଃ ରେ ଉତ୍ସାହିତ ହୋଇଥାଉ।
ଆରବ ଦେଶର ଜଣେ ବହୁତ ବଡ଼ ଧନୀ ବ୍ୟବସାୟୀ ଥିଲେ । ତାଙ୍କର ଚିନି ବ୍ୟବସାୟ ଥିଲା । ସେଥିଲାଗି ସେ ଏକର ଏକର ବ୍ୟାପୀ ଆଖୁଚାଷ କରୁଥିଲେ । ଆଖୁ ନେବା ଆଣିବା କରିବା ପାଇଁ ସେ ଏକାଧିକ ଗଧ ପାଳନ କରିଥିଲେ । ଗଧ ପିଠିରେ ସେ ଆଖୁ ନେବା ଆଣିବା କରୁଥିଲେ । ସେଥିଲାଗି, ଆରବ ବ୍ୟବସାୟୀ ଜଣକ ଗଧମାନଙ୍କର ଖୁବ୍ ଯତ୍ନ ନେଉଥିଲେ । ଆଉ ଏହି କାରଣରୁ ଗଧମାନେ ମଧ୍ୟ ନିଜକୁ ଭାରି ଭାଗ୍ୟବାନ ମଣୁଥିଲେ । କେବଳ ଭାଗ୍ୟବାନ ମଣୁ ନଥିଲେ; ଅଧିକନ୍ତୁ ଆରବ ବ୍ୟବସାୟୀଙ୍କ ଘରେ ଥିବା ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ବି ବେଖାତିର କରୁଥିଲେ । ବ୍ୟବସାୟୀଙ୍କ ଘରେ ମଧ୍ୟ ଏକ ଚତୁର ଠେକୁଆ ଥିଲା । ଗଧମାନଙ୍କର ଅହଂକାରୀପଣ ତାକୁ ଭଲ ଲାଗୁ ନଥିଲା । ସେ କେମିତି ଗଧମାନଙ୍କର ମୁହଁ ବନ୍ଦ କରିବ ସେହି ଉପାୟ ଚିନ୍ତା କରୁଥିଲା ।
ଦିନେ ଠେକୁଆ ଗୋଟିଏ ଗଧକୁ ଡାକି ପଚାରିଲା, ତୁମେ ତ ଆଖୁ ନେବା ଆଣିବା କରୁଛ । ଆଖୁର ସ୍ୱାଦ କେମିତି କହିଲ? ଗଧ ବାପୁଡ଼ାର ଅକଲ ଗୁଡୁମ୍ । ସେ ସିନା ବୋହୁଛି । ହେଲେ ସେ କ’ଣ ଦିନେ ଆଖୁ ଚାଖିଛି ଯେ, କହିବ ତାହା ମିଠା କି ଖଟା କି ପିତା । ସେଇଦିନଠୁୂ ଗଧ ଚୁପ୍ ।
-ରାଜେନ୍ଦ୍ର


