ବିଚ୍ଛିନ୍ନତାବାଦୀ ଟ୍ରେନ ଅପହରଣ ଓ ବର୍ବର କାଣ୍ଡ ଭିଆଇବା ପରେ ମଧ୍ୟ ପାକିସ୍ତାନ ସରକାରଙ୍କ ଫୁଟାଣି ଯାଉନି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ବୁଧବାର ଜାଫର ଏକ୍ସପ୍ରେସ୍ ଟ୍ରେନ ଅପହରଣ ଓ ଆକ୍ରମଣ ନେଇ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ଏପରି କାପୁରୁଷ କାର୍ଯ୍ୟ ପାକିସ୍ତାନର ଶାନ୍ତି ପ୍ରତି ସଂକଳ୍ପକୁ ଦୋହଲାଇ ଦେବ ନାହିଁ। ପାକିସ୍ତାନୀ ସେନା ଉଦ୍ଧାର କାର୍ଯ୍ୟର ସମାପ୍ତିକୁ ନିଶ୍ଚିତ କରି କହିଛି ଯେ ୩୩ ଜଣ ଆତଙ୍କବାଦୀ ଏବଂ ୨୧ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି। ଯେତେବେଳେ ୩୦୦ ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ବିଚ୍ଛିନ୍ନତାବାଦୀ ଆତଙ୍କବାଦୀମାନେ ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରାୟ ୫୦୦ ଲୋକଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସ୍ ଉପରେ ଆକ୍ରମଣ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲଏ) ଟ୍ରେନ୍ ଲାଇନଚ୍ୟୁତ କରିଥିବା ନେଇ ନିଜକୁ ଦାବି କରିଛି। ବିଏଲଏ ପକ୍ଷରୁ କୁହାଯାଇଛି ଯେ ସେମାନେ ତାଙ୍କ ଯୋଜନାରେ ସଫଳ ହୋଇଛନ୍ତି। ୫୦ ଜଣ ସାମରିକ କର୍ମୀଙ୍କୁ ହତ୍ୟା କରିଛନ୍ତି ଏବଂ ସକ୍ରିୟ କର୍ତ୍ତବ୍ୟରତ କର୍ମଚାରୀଙ୍କ ସମେତ ୨୧୪ ଯାତ୍ରୀଙ୍କୁ ବନ୍ଧକ ରଖିଛନ୍ତି। ତଥାପି ସେମାନଙ୍କର ଦାବିକୁ ଗୁରୁତ୍ଵ ଦିଆଯାଇ ନାହିଁ ବୋଲି ସଂଗଠନ ଦାବି କରିଛି।
ଆକ୍ରମଣ ପାଇଁ ଦାୟୀ ହୋଇଥିବା ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ଗୋଷ୍ଠୀ ବାଲୁଚ୍ ଲିବରେସନ୍ ଆର୍ମି ୪୮ ଘଣ୍ଟାର ଅଲଟିମେଟମ୍ ଜାରି କରି କହିଛି ଯେ ଯଦି ପାକିସ୍ତାନୀ ସେନା ଦ୍ୱାରା ଅପହୃତ ବାଲୁଚ୍ ରାଜନୈତିକ ବନ୍ଦୀ, କର୍ମୀ ଏବଂ ନିଖୋଜ ବ୍ୟକ୍ତିଙ୍କୁ ମୁକ୍ତ କରାନଯାଏ ତେବେ ସେମାନେ ବନ୍ଧକମାନଙ୍କୁ ମୃତ୍ୟୁଦଣ୍ଡ ଦେବେ। ଏହା ମଧ୍ୟ ଚେତାବନୀ ଦେଇଛି ଯେ ଯଦି ସାମରିକ ହସ୍ତକ୍ଷେପ ଜାରି ରହେ, ତେବେ ସମସ୍ତ ବନ୍ଧକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ଏବଂ ଟ୍ରେନ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ।
କ୍ୱେଟାରୁ ପେଶାୱାର ଯାଉଥିବା ସମୟରେ ଟ୍ରେନ୍ ଯେତେବେଳେ ଏକ ସୁଡ଼ଙ୍ଗରେ ଫସି ଯାଇଥିଲା ଏବଂ ବନ୍ଧୁକଧାରୀମାନେ ଗୁଳି ଚଳାଇ ଟ୍ରେନ୍ ଡ୍ରାଇଭରଙ୍କୁ ମାରି ଦେଇଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ସୁରକ୍ଷା ଅଧିକାରୀମାନେ ଆତଙ୍କବାଦୀଙ୍କୁ ପ୍ରତିହତ କରୁଛନ୍ତି। ଗୃହମନ୍ତ୍ରୀ ମୋହସିନ୍ ନକଭି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି।


