ଟ୍ରେନ୍ ଅପହରଣ; ୧୮୨ ଯାତ୍ରୀ ପଣବନ୍ଦୀ
ବିଭିନ୍ନ ସମୟରେ ପାକିସ୍ତାନର କିଛି ଅଘଟଣ ଘଟିଲେ ସେଠାକା ସରକାର ଭାରତକୁ ଦାୟୀ କରି ଆସିଥାଏ। ଏବେ ଟ୍ରେନ୍ ଅପହରଣ ଘଟଣାରେ ଭାରତକୁ ଅଙ୍ଗୁଳି ଉଠାଇଛି ପାକିସ୍ତାନ।
ଗତ ମଙ୍ଗଳବାର ବାଲୁଚିସ୍ତାନ ଲିବରେସନ ଆର୍ମି ପାକିସ୍ତାନରେ ଏକ ଟ୍ରେନ୍ ଅପହରଣ କରିବା ଘଟଣାରେ ପାକିସ୍ତାନ ସରକାର ଭାରତକୁ ସିଧା ସଳଖ ଦାୟୀ କରିଛି। ପାକିସ୍ତାନ ସରକାର ଭାରତ ବିରୋଧରେ ଅତ୍ୟନ୍ତ ଅସମ୍ଭବ, ଉଦ୍ଭଟ ତଥା ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ରାଜନୈତିକ ପରାମର୍ଶଦାତା ରାଣା ସନାଉଲ୍ଲା ଏଥିପାଇଁ ବିଏଲଏ ଏବଂ ଟିଟିପିର ସମର୍ଥନ ପାଇଁ ଭାରତକୁ ଦାୟୀ କରିଛନ୍ତି। ଏସବୁ ପଛରେ ଭାରତର ହାତ ଥିବା ସନ୍ଦେହ ନାହିଁ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଡନ୍ ନ୍ୟୁଜ୍ ସହ କଥାବାର୍ତ୍ତା ବେଳେ ସେ ଏହି ବୟାନ ଦେଇଛନ୍ତି।
ରାଣମାଧ୍ୟମ ଆଗରେ ରାଣା ସନାଉଲ୍ଲା ଆହୁରି କହିଛନ୍ତି, ଏହି ଲୋକମାନେ ଆଫଗାନିସ୍ତାନରେ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଇଛନ୍ତି। ଯେଉଁଠାରେ ସେମାନେ ବସି ସବୁ ପ୍ରକାର ଯୋଜନା କରୁଛନ୍ତି। ବଲୋଚିସ୍ତାନ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ। କାରଣ ନିର୍ବାଚନ କଥା କହିଲେ ସେମାନେ ଆସି ଲଢ଼ିବେ ନାହିଁ। ଯେଉଁମାନେ ରାଜନୈତିକ ଲଢେଇ ଲଢୁଛନ୍ତି, ଆମେ ସେମାନଙ୍କ ସହ ବସି କଥା ବାର୍ତ୍ତା କରିବା ଉଚିତ। କିନ୍ତୁ ଏହି ଲୋକମାନଙ୍କର ଏକମାତ୍ର ମୁଖ୍ୟ ପ୍ରସଙ୍ଗ ହେଉଛି ହତ୍ୟା ଓ ଆତଙ୍କ ବିସ୍ତାର କରିବା,” ସେ କହିଛନ୍ତି ଯେ ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ବିଏଲଏ ଆଫଗାନିସ୍ତାନରେ ସ୍ଥାନ ପାଇ ନ ଥିଲା।



