ଆଗାମୀ ଦିନରେ ଯୋଗାଯୋଗ ଓ ଯାତାୟାତ ଏତେ ସହଜ ହୋଇଯିବ ଯେ ବିଶ୍ଵ ଛୋଟ ମନେହେବ। ପୂରା ବିଶ୍ୱରେ ଗୋଟିଏ ଭାଷା ପ୍ରଚଳନ ହେବ। ସେଥିରେ ଆମ ଭାଷାର ଏକ ସିଂହ ଭାଗ ଯୋଡିବା ଆମ ପାଇଁ ବଡ଼ ଆହ୍ବାନ।
ବିଶ୍ଵ ଏବେ ଜଗତୀକରଣ ଆଡ଼କୁ ଗତିକରୁଛି। ରାଜନୀତି ଠାରୁ ଆରମ୍ଭ କରି ସାମାଜିକ ଚାଲିଚଳଣୀ ପର୍ଯ୍ୟନ୍ତ। ଭାଷା ବି ଏଥିରୁ ବାଦ୍ ପଡ଼ିନି। ଦିନ ଥିଲା ଆମ ପିଲା ଓଡ଼ିଶା ବାହାର କଥା ଛାଡନ୍ତୁ ଓଡ଼ିଶା ଭିତରେ ବି ଭାଷାକୁ ଭାଗ କରି ଦେଇଥିଲେ। ଗୋଟିଏ ଉପ ଅଞ୍ଚଳବାସୀ ଅନ୍ୟ ଏକ ଉପ ଅଞ୍ଚଳକୁ ଗଲା ବେଳେ ଭାବର ଆଦାନପ୍ରଦାନ ପାଇଁ ଝୁଣ୍ଟି ହେଉଥିଲା। ଏବେ ଭାରତ ପୂରା ଏକ ମନେ ହେଉଛି। ଯେ କୌଣସି ପ୍ରଦେଶର ଲୋକ ଅନ୍ୟ ଏକ ପ୍ରଦେଶ ସହ ଯୋଗାଯୋଗ ରଖି ପାରୁଛି। ଭୁବନେଶ୍ଵରକୁ ଏକ ଉଦାହରଣ ଭାବେ ନେଲେ ବୁଝି ହେବ ଏଠି ଭାରତର କୋଣ ଅନୁକୋଣର ଛାତ୍ରଛାତ୍ରୀ ରହିଲେଣି। ଏଥିସହିତ ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଭଳି ରାଷ୍ଟ୍ରର ଲୋକେ ରହୁଛନ୍ତି। ସେଠାକାର ପିଲା ବି ଏଠାରେ ପାଠ ପଢୁଛନ୍ତି। ଯେଉଁମାନେ ଏକ ମିଶ୍ର ଭାଷା ବ୍ୟବହାର କରୁଛନ୍ତି।
ଆଗାମୀ ଦିନରେ ଯୋଗାଯୋଗ ଓ ଯାତାୟାତ ଏତେ ସହଜ ହୋଇଯିବ ଯେ ଆମେରିକଠାରୁ ଆରମ୍ଭ କରି, ଋଷିଆ, ଜର୍ମାନ, ଜାପାନ, ଭାରତ ଆଦି ପୂରା ଭୂଖଣ୍ଡ ଛୋଟ ମାନେ ହେବ। ଏଭଳି ସମୟରେ ବିଶ୍ବର ପ୍ରମୁଖ ଭାଷା ମିଶି ନୂଆ ଏକ ଭାଷା ଜନ୍ମ ନେବ। ଯାହା ହେବ ବୈଶ୍ଵିକ୍ ଭାଷା। ଭାଷାର ରୂପ ରେଖ ଭିନ୍ନ ହେବ। ବିଶ୍ବର ସବୁ ଅଞ୍ଚଳବାସୀ ଏହାକୁ ବୁଝି ପାରିବେ। ଯେଉଁ ଭାଷାର ଶବ୍ଦ ଯେତେ ସହଜ, ସରଳ ଓ ବୋଧଗମ୍ୟ ମନେ ହେବ ସେହି ଶବ୍ଦ ଗୁଡ଼ିକ ଅଧିକ ବ୍ୟବହାର୍ଯ୍ୟ ଉପଯୋଗୀ ହେବ। ଆମ ପାଇଁ ବଡ଼ ଆହ୍ବାନ ହେଉଛି ଆମେ କିଭଳି ଓଡ଼ିଆକୁ ସେଥିରେ ଅଧିକ ସାମିଲ କରିପାରିବା। ତେଣୁ ଓଡ଼ିଆରେ ସେଭଳି ଶବ୍ଦ ଆବିଷ୍କାର କରିବା ଓ ବ୍ୟବହାର କରିବା। ଏହି ଭାଷାରେ ଆମକୁ ନିଜର ସ୍ଥିତି ଜାହିର କରିବାକୁ ହେବ।


