ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ଘଟି ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ସୌଭାଗ୍ୟବଶତଃ ଜଣେ ଯାତ୍ରୀ ବଞ୍ଚି ଯାଇଥିବା କହିଛନ୍ତି ପୁଲିସ କମିସନର ଜିଏସ୍ ମଲ୍ଲିକ। ଜୀବିତ ଜଣକ ହେଲେ ରମେଶ କୁମାର। ସିଟ୍ ନମ୍ବର ୧୧-ଏରେ ବସିଥିବା ଏହି ଯାତ୍ରୀ ଜଣଙ୍କୁ ଉଦ୍ଧାର କରାଯାଇ ଏବେ ଚିକିତ୍ସା କରାଯାଉଛି। ତେବେ କେଉଁ ପରିସ୍ଥିତିରେ କିଭଳି ସେ ସୁରକ୍ଷିତ ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ୧୭ ମିନିଟ୍ରେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର୍ ଇଣ୍ଡିଆର ବିମାନ ୧୭୧ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ପାଇଲଟ ଏ ନେଇ ମେ’କଲ୍ କରିଥିଲେ। କିନ୍ତୁ ମେ କଲ୍ର କିଛି କ୍ଷଣ ମଧ୍ୟରେ ବିମାନଟି ନିକଟସ୍ଥ ବିଜେ ମେଡିକାଲ ହଷ୍ଟେଲ୍ ଛାତ୍ର ଉପର ପଡ଼ି ଯାଇଥିଲା। ସେହି ସମୟରେ ହଷ୍ଟେଲ୍ର ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ କି ବିମାନରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ବିମାନର ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୃଗାଲ ନାଗରିକ ଓ ଜଣେ କାନାଡିୟ ନାଗରିକ ରହିଥିଲେ।
ତେବେ ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ। ତାଙ୍କର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଏତେବଡ଼ ଦୁର୍ଘଟଣାରେ ଜଣ ରକ୍ଷା ପାଇବା ଘଟଣା ଏବେ ଅନେକଙ୍କୁ ବିସ୍ମିତ କରିଛି।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।


