ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ହେବା ପରେ ମଙ୍ଗଳବାର କଂଗ୍ରେସ ସଂକଳ୍ପ ପଦଯାତ୍ରା ଆୟୋଜନ କରିଛି। ଏଥିରେ ହଜାର ହଜାର କର୍ମୀ ସାମିଲ ହୋଇଛନ୍ତି। କଂଗ୍ରେସର ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସସବୁଠାରୁ ଆକର୍ଷଣ ସାଜିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଓ ତାଙ୍କ ପୁଅ ମନ୍ମଥ ରାଉତରାୟ

ମଧ୍ୟାହ୍ନରେ ଭକ୍ତ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର କର୍ମୀ ଏକତ୍ରିତ ହୋଇଥିଲେ। ଭକ୍ତ ଦାସ ଜିନ୍ଦାବାଦ, ପ୍ରଦେଶ କଂଗ୍ରେସ ଜିନ୍ଦାବାଦ ସ୍ଲୋଗାନରେ ବିମାନବନ୍ଦର ପ୍ରକମ୍ପିତ ହୋଇଥିଲା। ତା ପରେ ଭକ୍ତଙ୍କୁ ଏକ ବଡ ପଟୁଆରରେ ନିଆଯାଇ ଦଳର ଐତିହାସିକ ସଂକଳ୍ପ ଯାତ୍ରାରେ ସାମିଲ କରାଯାଇଥିଲା।
ପ୍ରକାଶ ଥାଉ କି ପ୍ରଦେଶ କଂଗ୍ରେସ କମିଟି ସଭାପତି ହେବା ପରେ ଭକ୍ତ ପ୍ରଥମେ ଏକ ଗୁରୁତତ୍ୱପୂର୍ଣ ଘୋଷଣା କରିଥିଲେ। ସମସ୍ତ ନିଲମ୍ବିତ ନେତାଙ୍କୁ ବିନା ସର୍ତ୍ତରେ ଦଳକୁ ସ୍ବାଗତ କରିଥିଲେ। ଏମିତି କି ଯେଉଁମାନେ ନିଜପଟୁ ଦଳ ଛାଡିଥିଲେ ସେମାନଙ୍କୁ ପୁନର୍ବାର ସ୍ବାଗତ କରିଥିଲେ ଓ ତାଙ୍କୁ ପୂର୍ବଭଳି ସମ୍ମାନ ମିଳିବ ବୋଲି ଘୋଷଣା କରିଥିଲେ। ଫଳରେ ଦଳ ଛାଡିଥିବା ଅନେକ ନେତା କଂଗ୍ରେସକୁ ଫେରି ଆସିଛନ୍ତି। ଯେଉଁମାନଙ୍କୁ ଆଜି ପଦଯାତ୍ରାରେ ଦେଖିବାକୁ ମିଳିଥିଲା।

ଉତ୍କଳ ପ୍ରଦେଶ କଂଗ୍ରେସ ସଭାପତି ଭାବେ ୧୯୨୦ରୁ ୧୯୨୮ ପର୍ଯ୍ୟନ୍ତ ଗୋପବନ୍ଧୁ ଦାସ ଥିବା ବେଳେ ୧୯୩୦ରୁ ୧୯୩୧ ପର୍ଯ୍ୟନ୍ତ ମାତ୍ର ବର୍ଷକ ପାଇଁ ହରେକୃଷ୍ଣ ମହତାବ ପ୍ରଦେଶ କଂଗ୍ରେସ ସଭାପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ।
୧୯୩୪ରୁ ୧୯୩୯ ପର୍ଯ୍ୟନ୍ତ ନୀଳକଣ୍ଠ ଦାସ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ରହିଥିଲେ। ପରେ ୧୯୫୩ରୁ ୧୯୫୪ ପର୍ଯ୍ୟନ୍ତ ବନମାଳୀ ପଟ୍ଟନାୟକ ପିସିସି ସଭାପତି ଭାବେ ରହିଥିବା ବେଳେ ୧୯୬୭ରୁ ୧୯୭୦ ପର୍ଯ୍ୟନ୍ତ ପିସିସି ସଭାପତି ରହିଥିଲେ ନୀଳମଣି ରାଉତରାୟ। ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ନିତ୍ୟାନନ୍ଦ ମିଶ୍ର ପିସିସି ସଭାପତି ରହିଥିବା ବେଳେ ୧୯୯୦ରୁ ୧୯୯୨ ମସିହା ପର୍ଯ୍ୟନ୍ତ ଗିରିଧର ଗମାଙ୍ଗଙ୍କ ହାତରେ ଥିଲା ପିସିସି ଦାୟିତ୍ବ।
ପରବର୍ତ୍ତୀ ସମୟରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ୨୦୦୪ ଜୁନ୍‌ ୨୬ରୁ ୨୦୦୯ ଜାନୁୟାରୀ ୨୮ ପର୍ଯ୍ୟନ୍ତ ଜୟଦେବ ଜେନା ପିସିସି ସଭାପତି ରହିଥିଲେ।
ଜୟଦେବଙ୍କ ପରେ କାମାକ୍ଷ ପ୍ରସାଦ ସିଂହଦେଓ ୨୦୧୧ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ପିସିସି ସଭାପତି ରହିଥିଲେ। ନିରଞ୍ଜନ ପଟ୍ଟନାୟକ ୨୦୧୩ ମେ ୧୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ।
ନିରଞ୍ଜନ ପଟ୍ଟନାୟକଙ୍କ ପରେ ଜୟଦେବ ଜେନା ଦ୍ୱିତୀୟଥର ପାଇଁ ପୁଣି ରାଜ୍ୟ କଂଗ୍ରେସର ମୁଖ୍ୟ ପଦକୁ ଫେରିଥିଲେ। ସେ ୨୦୧୩ ମେ ୧୩ରୁ ୨୦୧୪ ଡିସେମ୍ବର ୧୪ ପର୍ଯ୍ୟନ୍ତ ପିସିସି ସଭାପତି ରହିଥିଲେ। ତାଙ୍କ ପରେ ୨୦୧୮ ଏପ୍ରିଲ ୧୯ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ କଂଗ୍ରେସର ରାଜ୍ୟ ମୁଖିଆ ସିରିପା ପିନ୍ଧିଥିଲେ।
ପ୍ରସାଦଙ୍କ ପରେ ପୁଣିଥରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ମନୋନିତ ହୋଇ ୨୦୨୨ ମେ ୨୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୨୦୨୩ ମେ ୨୩ରେ ଶରତ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ୨୦୨୫ ଫେବୃଆରୀ ୧୧  ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ରହିଥିଲେ। ଶରତ ପଟ୍ଟନାୟକଙ୍କ ପରେ ମଙ୍ଗଳବାର ଭକ୍ତ ଚରଣ ଦାସଙ୍କୁ ପ୍ରଥମଥର ପାଇଁ ଏହି ପଦ ମିଳିଛି।
ଦୀର୍ଘଦିନର ବ୍ୟବଧାନ ପରେ ପୂରଣ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ। କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତଚରଣ ଦାସଙ୍କ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ମିଳିଛି। ଏ ନେଇ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଏଆଇସିସି ପକ୍ଷରୁ ଅବଗତ କରାଯାଇଛି
ଶ୍ରୀ ଦାସ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାଠ୍ୟକ୍ରମ ଶେଷ କରିଛନ୍ତି। ଆଇନଜୀବୀ ଭାବେ ପେସା ଆରମ୍ଭ କରିଥିବା ଶ୍ରୀ ଦାସ ରାଜନୀତିରେ ପାଦ ଥାପିଥିଲେ। ସେ ୧୫ ତମ ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଭାବେ କାର୍ଯ୍ୟକ କରିଛନ୍ତି। ତାଙ୍କ ଉପରେ ବିଶ୍ୱାସ ରଖି ଏଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ମଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ ନିଷ୍ଠାପର ଭାବେ ନିଜ ଦାୟିତ୍ୱ ସମ୍ପନ୍ନ କରିବେ ଏବଂ ନିରପେକ୍ଷ ଭାବେ ଦଳ ପରିଚାଳନା କରିବେ ବୋଲି କହିଛନ୍ତି। ରାଜ୍ୟରେ କଂଗ୍ରେସକୁ ଆଗେଇ ନେବା ପାଇଁ ନିଷ୍ଠାପର କାମ କରିବେ ବୋଲି କହିଛନ୍ତି ଶ୍ରୀ ଦାସ।