ସଂସାରରେ ରହିଛନ୍ତି ଉଭୟ ସାଧୁ ଆଉ ଦୁର୍ଜନ ରହିଛନ୍ତି। ସାଧୁମାନେ ଉତ୍ତମ କଥା ଉତ୍ତମ କାର୍ଯ୍ୟ କରିଥାନ୍ତି। ଖଳମାନେ ଅନିଷ୍ଟକର କାର୍ଯ୍ୟ ଘଟାଇଥାନ୍ତି। ଏବେ ଆମ ଉପରେ ନିର୍ଭର କରୁଛି ଯେ, ଆମେ କାହାକୁ ଗ୍ରହଣ କରିବା ଆଉ କିପରି ଗ୍ରହଣ କରିବା

ଥରେ ତଥାଗତ ଗୋଟିଏ ଗ୍ରାମରେ ଯାଇ ପହଞ୍ଚିଲେ। ସେହି ଗ୍ରାମଟିକୁ ଅତିକ୍ରମ କରିଗଲେ ସେ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ। ତେବେ ବୁଦ୍ଧଙ୍କୁ ଦେଖିବାମାତ୍ରେ ଗ୍ରାମର ଲୋକମାନେ ଗାଳିଗୁଲଜ କଲେ। ସେ ଜଣେ ଭଣ୍ଡ, ସେ ସେମାନଙ୍କର ଧର୍ମ ନଷ୍ଟ କରୁଛନ୍ତି ବୋଲି ତିରସ୍କାର କଲେ। ବୁଦ୍ଧ ଚୁପଚାପ ବସିଥାନ୍ତି। କାହାରିକୁ କିଛି କହୁ ନ ଥାନ୍ତି। କିଛି ସମୟ ପରେ ଲୋକମାନେ ଥକି ପଡ଼ିଥିଲେ। ବୁଦ୍ଧ ସେମାନଙ୍କୁ ଅତି ଶାନ୍ତି ସ୍ୱରରେ ପଚାରିଲେ, ଆପଣମାନଙ୍କର ଗାଳି କ’ଣ ସରିଗଲା ? ନା ଆହୁରି ଅଛି ? ଏହାକହି ବୁଦ୍ଧ ଆଗକୁ ଚାଲିବାକୁ ଲାଗିଲେ ।
ଶିଷ୍ୟ ଆନନ୍ଦ ପଚାରିଲେ, ତଥାଗତ! ଲୋକମାନଙ୍କ ଗାଳି କ’ଣ ତୁମକୁ କଷ୍ଟ ଦେଲାନି । ବୁଦ୍ଧ ଉତ୍ତରଦେଲେ: ମୁଁ ସେମାନଙ୍କର ଗାଳିକୁ ଗ୍ରହଣ କରିଛି କେଉଁଠି ଯେ, ମୋତେ ବାଧିବ। ମୁଁ ତ ମୂଳରୁ ତାହାକୁ ଗ୍ରହଣ ହିଁ କରିନାହିଁ। ଜଣେ ଭିକ୍ଷୁକ ଚାହିଁଲେ ଭିକ୍ଷା ଗ୍ରହଣ କରିବ, ନ ଚାହିଁଲେ ଫେରାଇ ଦେଇ ପାରିବ। ତେଣୁ ମୁଁ ସେମାନଙ୍କ ଗାଳିକୁ ଗ୍ରହଣ ନ କରି ଫେରାଇ ଦେଇଛି।

ରାଜେନ୍ଦ୍ର

ଆମେ ଅନେକ ସମୟରେ ସବୁଠାରୁ ଦାମୀ ଉପହାର ଦେଇ ପ୍ରିୟଜନଙ୍କୁ ଆପ୍ୟାୟିତ କରିବାକୁ ଚିନ୍ତା କରୁ। କିନ୍ତୁ ପ୍ରକୃତରେ ପ୍ରୀୟଜନଙ୍କ ପାଇଁ କ’ଣ ହୋଇପାରେ ଦାମୀ ଉପହାର

ଥରେ ତଥାଗତ ବୁଦ୍ଧ ଗୋଟିଏ ରାଜ୍ୟର ସୀମାନ୍ତରେ ନିଜର ଶିଷ୍ୟଗଣଙ୍କ ସହିତ ପ୍ରବେଶ କଲେ। ସୀମାନ୍ତରେ ନଦୀଟିଏ ବୋହି ଯାଉଥିଲା । ତା’ ପାଖରେ ଏକ ଆମ୍ବ ବଗିଚା ରହିଥିଲା।  ଭଗବାନ ବୁଦ୍ଧ ଶିଷ୍ୟମାନଙ୍କୁ ସେଇଠି ଛାଉଣୀ ପକେଇବାକୁ କହିଲେ। ବୁଦ୍ଧ ଆସିଥିବା ଶୁଣି ସେହି ରାଜ୍ୟର ରାଜାଙ୍କ ଖୁସିର ସୀମା ରହିଲାନାହିଁ। ସେ ନିଜର ଦଳବଳ ସହିତ ଅମାପ ଧନ ରତ୍ନ ଧରି ବୁଦ୍ଧଙ୍କୁ ଭେଟିବାକୁ ଆସିଲେ । ମଞ୍ଚ ଉପରକୁ ଯାଇ ବୁଦ୍ଧଙ୍କୁ ଉପହାର ଦେବା ସହିତ ତାଙ୍କର ଆଶୀର୍ବାଦ ଭିକ୍ଷାକଲେ। ବୁଦ୍ଧ ସାମାନ୍ୟ ହସିଦେଇ ତାଙ୍କୁ କେବଳ ଆଶୀର୍ବାଦ କଲେ । ମାତ୍ର ପଦୁଟିଏ ବି କହିଲେ ନାହିଁ। ଏଥିରେ ରାଜା କ୍ଷୁବ୍ଧ ହେଲେ । କାରଣ ସେ ରାଜା। ତାଙ୍କୁ ବୁଦ୍ଧ ଅନ୍ତତଃ ଆସନ ଛାଡ଼ି ଉଠିଆସିବା କଥା। ଯା’ହେଉ ରାଜା ତଳେ ପଡ଼ିଥିବା ଆସନରେ ବସିଲେ। ଏତିକିବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବୃଦ୍ଧା। ସେ ତଳେ ଠିଆ ହୋଇ କାନ୍ଦିକାନ୍ଦି କହିଲା: ଭଗବାନ! ମୋ ପାଖରେ ଆପଣଙ୍କୁ ଦେବା ଲାଗି କିଛି ନାହିଁ। କେବଳ ଗୋଟିଏ ପାଚିଲା ଆମ୍ବ ଅଛି ଯାହାକୁ ମୁଁ ଅଇଣ୍ଠା କରି ସାରିଛି। କରୁଣାମୟ ପ୍ରଭୁ କ’ଣ ମୋର ଏ ତୁଚ୍ଛ ଭେଟି ସ୍ୱୀକାର କରିବେ।

ଏତିକି ଶୁଣୁଶୁଣୁ ବୁଦ୍ଧ ଆସନ ଛାଡ଼ି ତଳକୁ ଓହ୍ଲେଇ ଆସିଲେ ଓ ଅତି ଆଗ୍ରହର ସହିତ ହାତ ବଢ଼େଇ ବୃଦ୍ଧାଙ୍କ ହାତରୁ ଫଳଟିକୁ ନେଇଗଲେ । ତଳେ ବସିଥିବା ରାଜା ଏଥର ସହଜରେ ବୁଝିଗଲେ ଯେ, ଦାତାର ଅହଂକାର ନୁହେଁ; ଭକ୍ତର ସମର୍ପଣ ହିଁ ଭଗବାନଙ୍କ ସବୁଠୁ ବଡ଼ ସମ୍ପତ୍ତି।