TT Ads

ଯଦିବା କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ (ଡବଲ ଇଞ୍ଜିନ) ସରକାର ରହିଲେ ଆଞ୍ଚଳିକ ବିକାଶ ଆଗେଇବ ବୋଲି ଅନେକଙ୍କ ଧାରଣା ରହିଛି। କିନ୍ତୁ ଛୋଟ ଛୋଟ ନିଷ୍ପତ୍ତି ପାଇଁ ଦିଲ୍ଲୀ ଉପରେ ନିର୍ଭର କରିବା ଆଞ୍ଚଳିକ ବିକାଶର ବାଧକ ସଜିଥାଏ।

ଅଶି ଦଶକରେ ଓଡ଼ିଆ ସିନେମାର ଏକ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ଗୀତଟି ଥିଲା ଚା ରେ କେତେ ଚିନି ପଡ଼ିବ ଚାଲ ଯିବା ଦିଲ୍ଲୀ। ପ୍ରକୃତରେ ରାଜ୍ୟର ରାଜନେତାଙ୍କ ଭାଗ୍ୟ ଓ ଭବିଷ୍ୟତ ଦିଲ୍ଲୀରେ ହିଁ ନିର୍ଦ୍ଧାରଣ ହେଉଥିଲା। ଲେଖିବାର ଉଦ୍ଦେଶ୍ୟ ହେଉଛି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ଜନତା ଦଳର ପ୍ରମୁଖ ନେତାମାନେ ଦିଲ୍ଲୀରୁ ନିର୍ଦ୍ଦେଶ ପାଇ ଏଠାରେ ସରକାର ଚଳାଇଥିଲେ ଏବଂ ଦଳୀୟ କାର୍ଯ୍ୟଧାରା ପରିଚାଳନା କରୁଥିଲେ। କିନ୍ତୁ ଗତ ଅଢେଇ ଦଶନ୍ଧି ଧରି ଆଞ୍ଚଳିକ ଦଳ ବିଜେଡି ସରକାର କ୍ଷମତାସୀନ ହେବା ପରେ ସରକାରୀ ଦଳକୁ ଆଉ ଦିଲ୍ଲୀ ଉପରେ ନିର୍ଭର କରିବାକୁ ପଡୁ ନ ଥିଲା। ଯଦିବା ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ସରକାର ଥିଲା ତେବେ ପ୍ରମୁଖ ନିଷ୍ପତ୍ତି ଏଠାରେ ହିଁ ନିଆଯାଉଥିଲା।

କିନ୍ତୁ କଂଗ୍ରେସ ଓ ବିଜେପି ମଧ୍ୟରେ ଦଳୀୟ କ୍ଷମତା ପାଇଁ ଦିଲ୍ଲୀ ଦୌଡ଼ିବାକୁ ପଡୁଥିଲା। ଏବେ ବିଜେପି କ୍ଷମତାକୁ ଆସିବା ପରେ କ୍ଷମତା ପ୍ରତି ଆକର୍ଷଣ ଅଧିକ ଥିବାରୁ ସଭାପତି ପଦ ପାଇଁ ଦୌଡ଼ିବାକୁ ପଡୁଛି। ଏମିତିକି ସରକାରୀ ସ୍ତରରେ ନିଷ୍ପତ୍ତି ପାଇଁ ଦିଲ୍ଲୀ ନେତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡୁଛି। ଖୋଦ୍ ଦଳୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ସ୍ବୀକାର କରିଛନ୍ତି।
ଅପରପକ୍ଷେ ପୁରୁଣା ଦଳ କଂଗ୍ରେସର ସଭାପତି ପଦ ପାଇଁ ଏ ଯାଏଁ ନିଷ୍ପତ୍ତି ହୋଇପାରୁନି। ଦୀର୍ଘ ୮ ମାସ ହେଲା କଂଗ୍ରେସର ସଭାପତି ପଦ ଖାଲି ପଡ଼ିଛି। ଉଭୟ ଦଳ ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହା ଯାଉଛି। ଏମିତିକି ଛୋଟ ଛୋଟ ସମସ୍ୟା ଦେଖା ଦେଲେ ଉଭୟ ଦଳର ନେତାଙ୍କୁ ଦିଲ୍ଲୀରୁ ଡାକରା ଆସୁଛି।

TT Ads

Leave a Reply

Your email address will not be published. Required fields are marked *