ରାଜନୈତିକ ଫିଲ୍ମ କରିବାକୁ ମନା କଲେ ଅଭିନେତ୍ରୀ କଙ୍ଗନା ରଣାୱାତ। ଏକ ଜାତୀୟ ଟେଲିଭିଜନ ଚାନେଲ୍କୁ ଏକ ସାକ୍ଷାତକାର ଦେଇ ରଣାୱାତ କହିଛନ୍ତି ଯେ, ଭାରତରେ ଜରୁରିକାଳୀନ ପରିସ୍ଥିତିକୁ ନେଇ ନିର୍ମିତ ଇମର୍ଜେନ୍ସି ଚଳଚିତ୍ର ତାଙ୍କ ଜୀବନର ଶେଷ ରାଜନୈତିକ ଚଳଚ୍ଚିତ୍ର। ସେ ଆହୁରି କହିଛନ୍ତି ଯେ, କାହିଁକି ବଡ଼ବଡ଼ ପ୍ରଯୋଜକ ରାଜନୈତିକ ସିନେମା କରିବାକୁ ପଛଘୁଞ୍ଚା ଦିଅନ୍ତି ତାହା ଏବେ ବୁଝିପାରୁଛି। ଶୁଟିଂଠାରୁ ଆରମ୍ଭ କରି ସିନେମା ରିଲିଜ୍ ପର୍ଯ୍ୟନ୍ତ ବହୁତ ସମସ୍ୟା ଦେଇ ଗତିକରିଛି ବୋଲି କହିଛନ୍ତି କଙ୍ଗନା। ଏମିତି କି ଅଧାରେ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି କହିଛନ୍ତି ସେ। ଏମିତି କି ପୂର୍ବରୁ ମୋର ରାଜନୈତିକ ସିନେମା କରିବାକୁ ଯେଉଁ ଉତ୍ସାହ ଥିଲା ତାହା ଆଉ ନାହିଁ ବୋଲି କହିଛନ୍ତି କଙ୍ଗନା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଯଦି ଏହି ସିନେମାର କେବଳ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉ ଥାଆନ୍ତେ ତେବେ ପ୍ରଯୋଜକଙ୍କ ଉପରେ ବିରକ୍ତି ଭାବେ ପୋଷଣ କରିଥାଆନ୍ତେ। କିନ୍ତୁ ସେ ଉଭୟ ନିର୍ଦ୍ଦେଶନା ଓ ପ୍ରଯୋଜନା ଦାୟିତ୍ୱ ତୁଲାଉଥିବାରୁ କାହା ଉପରେ ରାଗିପାରୁ ନାହାନ୍ତି। ପ୍ରକାଶ ଥାଉ କି ଏହି ସିନେମାରେ କଙ୍ଗନା ନିଜେ ପ୍ରଯୋଜକ, ନିର୍ଦ୍ଦେଶକ ସମେତ ପ୍ରମୁଖ ଭୂମିକାରେ ଅଭିନୟ ମଧ୍ୟ କରୁଛନ୍ତି। ଏହି ସିନେମାଟି ଗତ ୨୦୨୪ ସେପ୍ଟେମ୍ବର ୬ ତାରିଖରେ ରିଲିଜ ହେବାର ଥିଲେ ମଧ୍ୟ ଶିଖ୍ ସମ୍ପ୍ରଦାୟର ଆପତ୍ତି ଯୋଗୁ ଏହାକୁ ସେନ୍ସର ବୋର୍ଡ ମୁକ୍ତିଲାଭ କରିବାର ଅନୁମତି ଦେଇ ନ ଥିଲା। ପରବର୍ତ୍ତୀ ସମୟରେ ଏହା ରିଲିଜ୍ ହୋଇଥିଲେ ମଧ୍ୟ ବ୍ୟବସାୟିକ କ୍ଷେତ୍ରରେ ଆଶା ଜନକ ସଫଳତା ଦେଇ ପାରିନାହିଁ।


