ବର୍ଷା ସାଙ୍ଗକୁ ଗାଡ଼ି ଚାଳକଙ୍କ ଧର୍ମଘଟ ଯୋଗୁଁ ପରିବା ଦର ଏକ ପ୍ରକାଶ ଆକାଶ ଛୁଆଁ ହୋଇଯାଇଛି। ଦର ପ୍ରାୟ ୩ ଅଙ୍କ ପାଖାପାଖି। ଏପରିସ୍ଥଳେ ଲୋକେ ଅଣ୍ଡା, ଚିକେନ୍‌ ଝୋଳ କରି ଚଳି ଯାଇପାରନ୍ତେ। କିନ୍ତୁ ଏବେ ବାର୍ଡଫ୍ଲୁ ଯୋଗୁଁ ଅଣ୍ଡା ଓ ଚିକେନ୍‌ ଛୁଇଁବା ପାଇଁ ଲୋକେ ଭୟ କରୁଛନ୍ତି
ଗତ ୫ ଦିନ ଧରି ରାଜ୍ୟରେ ଗାଡ଼ି ଚାଳକଙ୍କ ଧର୍ମଘଟ। ଟ୍ରକ୍‌ ଚାଲିପାରୁ ନ ଥିବାରୁ ବାହାର ରାଜ୍ୟରୁ ଆସୁପାରୁନି ଆସିପାରୁନି ପରିବା ଟ୍ରକ୍‌। ଏହାର ସୁଯୋଗ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ପରିବା ଦର ଚଢ଼ା ଦରରେ ବିକ୍ରି କରୁଛନ୍ତି ସ୍ଥାନୀୟ ବେପାରୀ। ଅନେକ ଅସାଧୁ ବେପାରୀ କଳାବଜାରୀ କରି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଫଳରେ ବଜାରରେ ଏବେ ପରିବାର ଦର ଆକାଶ ଛୁଆଁ ହୋଇପଡ଼ିଛି।
ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ ୮୦ ଟଙ୍କାରୁ କମୁନି। ଫଳରେ ନିମ୍ନ ମଧ୍ୟବିତ କିମ୍ବ ଗରିବ ଶ୍ରେଣୀର ଲୋକଙ୍କ କଥା ଛାଡ଼ନ୍ତୁ ମଧ୍ୟବିତ ଶ୍ରେଣୀର ଲୋକେ ପରିବା କିଣିପାରୁ ନାହାନ୍ତି। ବଡ଼ବଡ଼ିଆ ଲୋକେ ପରି ପରିବାର କିଣିବା ବେଳକୁ ଦଶଥର ଚିନ୍ତା କରୁଛନ୍ତି।
ଏପରିସ୍ଥଳେ ଗରିବ ଏବଂ ମଧ୍ୟବିତଙ୍କ ଏକମାତ୍ର ଭରସା ଥିବା ଚିକେନ୍‌ ଓ ଅଣ୍ଡା। ଗରିବ ଶ୍ରେଣୀର ଲୋକେ ଅଣ୍ଡାଝୋଳ କରି ଚଳି ଯାଉଥିଲେ। ସେହିଭଳି ମଧ୍ୟବିତ ଶ୍ରେଣୀର ଲୋକେ ଚିକେନ୍‌ ଝୋଳରେ କାମ ଚଳାଉଥିଲେ। କିନ୍ତୁ ଏବେ ବାର୍ଡ ଫ୍ଲୁ ଯୋଗୁଁ ଲୋକେ ଅଣ୍ଡା ଚିକେନ୍‌ କିଣିବାକୁ ଭୟ କରୁଛନ୍ତି।
ବିଶେଷକରି ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଥିବାରୁ ଏବେ କୁକୁଡ଼ା ମରା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଯାହାକୁ ନେଇ ସାରା ରାଜ୍ୟରେ ଛନକା ପଶିଛି। ଚିକେନ୍‌ କମ୍‌ ଦରରେ ଦେଲେ ବି ଲୋକେ କିଣିବାକୁ ନାରାଜ।
ପରିବାର ଦର ଚଢ଼ା ସାଙ୍ଗକୁ ବାର୍ଡ ଫ୍ଲୁ ଯୋଗୁଁ ଗରିବ ଏବଂ ମଧ୍ୟବିତ ଶ୍ରେଣୀର ଲୋକେ କ’ଣ ଖାଇବେ ତାକୁ ନେଇ ଚିନ୍ତାରେ ବଢ଼ି ଯାଇଛି। ତେବେ ପରିବା ଭିତରେ ଆଳୁ ପିଆଜକୁ ଅନେକାଂଶରେ ଲୋକେ ଭରସା କରୁଥିବା ବେଳେ ମାଛ ଓ ମର୍ଟନ ଅନେକ ବଡ଼ବଡ଼ିଆଙ୍କ ଭରସା ତାହା କେତେଦୂର ଲୋକଙ୍କ ହାଣ୍ଡିଶାଳକୁ ସୁହାଉଛି ତାହା ଦେଖିବାକୁ ବାକି ରହିଲା।
ଭୁବନେଶ୍ୱରର ବିଭିନ୍ନ ବଜାରରେ ମିଳୁଥିବା ଫଳ ପନିପରିବାକୁ ଦୀର୍ଘଦିନ ସଚେତ ଏବଂ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗ ଓ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ଯାହାକୁ ଖାଇଲେ ବିଭିନ୍ନ ସମୟରେ ଲୋକେ କିଡ୍‌ନୀ ରୋଗ, ହୃଦ୍‌ରୋଗ ସମେତ ଚର୍ମରୋଗରେ ପୀଡ଼ିତ ହେଉଛି। ଦୀର୍ଘଦିନ ଧରି ଏଭଳି ରାସାୟନିକ ମିଶା ଫଳ ଓ ପନିପରିବା ଖାଇବା ଦ୍ୱାରା ଆୟୁଷହାନୀର ଆଶଙ୍କା ମଧ୍ୟ ରହିଛି।
ରାସ୍ତାକଡ଼ରେ ସେଓ, କମଳା, ଡାଳିମ୍ବ, କଦଳୀ ଆଦି ବିକ୍ରି ହେଉଛି। ଓଡ଼ିଶାରେ ଏସବୁ ପ୍ରକାର ଫଳ ଉତ୍ପାଦନ ହେଉ ନ ଥିବାରୁ ଏଥିପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ବାହାର ରାଜ୍ୟରୁ ଆସୁଥିବା ଫଳଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ବିୱାକ୍ସ, କାରାନୋବା, ସେଲାକ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି।
ସେହିଭଳି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫଳରେ ୱାକ୍ସ କଟିଙ୍ଗ୍‌ ବା ମହମ ଦିଆଯାଉଛି। ରାସାୟନିକ ପଦାର୍ଥ ମିଶା ଫଳଗୁଡ଼ିକୁ ଜାଣିବା ପାଇଁ ସେଗୁଡ଼ିକୁ ଗରମ ପାଣିରେ ଏକ ମିନିଟ୍‌ ପର୍ଯ୍ୟନ୍ତ ପକାଇବା ପରେ ତାହା ହାତକୁ ତେଲିଆ ଲାଗବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ବଜାରୁ ଆଣିବା ପରେ ସେଗୁଡ଼ିକୁ ଭଲ ଭାବରେ ଧୋଇବା ସହ ଚୋପା ଛଡ଼ାଇ ଖାଇବାକୁ ସେ ପରାମର୍ଶ କରିଛନ୍ତି।
     ସେହିଭଳି ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଚାଷୀମାନେ କଦଳୀ ଓ ଆମ୍ବକୁ ଗଛରୁ ଆଗୁଆ ତୋଳି ଆଣିଥାନ୍ତି। କିନ୍ତୁ ସେଗୁଡ଼ିକ ଜଲ୍‌ଦି ପାଚାଇବା ପାଇଁ ବ୍ୟବସାୟୀମାନେ କ୍ୟାଲସିଅମ୍‌ କାର୍ବାଇଟ୍‌ ବ୍ୟବହାର କରିଥାନ୍ତି। କିନ୍ତୁ କ୍ୟାଲ୍‌ସିୟମ କାର୍ବାଇଟ୍‌ ମିଶିଥିବା ଫଳ ସ୍ୱାଦ ହ୍ରାସ ହେବା ସହ ନିୟୁଟ୍ରିସନ୍‌ କମ୍‌ ରହିଥାଏ। ଯାହାକୁ ଖାଇଲେ ସ୍ନାୟୁରୋଗରେ  ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସେହିଭଳି ପନିପରିବାକୁ ସତେଜ ରଖିବା ପାଇଁ ବ୍ୟବସାୟୀମାନେ ଫର୍ମାଲିନ୍‌ ପାଣି ସ୍ପେ କରିଥାନ୍ତି। ଯାହା ମାତ୍ର କିଛି ସମୟ ମଧ୍ୟରେ ସତେଜ ଦେଖା ଦେଇଥାଏ। ରାଜଧାନୀ ବଜାରକୁ ଆସୁଥିବା ଶୁଖିଲା ଶାଗଗୁଡ଼ିକୁ ଏଭଳି କରାଯାଇ ବଜାରରେ ବିକ୍ରି କରାଯାଇଥାଏ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଏଭଳି ରାସାୟନିକ ପଦାର୍ଥ ବ୍ୟବହାର ଦ୍ୱାରା ପନିପରିବା ଗୁଡ଼ିକ ସତେଜ ଦେଖାଯିବା ସହ ଏଥିରେ ଜୀବାଣୁ ଲାଗି ନ ଥାନ୍ତି। ଫଳରେ ଯାହା ବହୁଦିନ ଧରି ନଷ୍ଟ ହୋଇ ନ ଥାଏ। ପୋଟଳ, ଗ୍ରୀନ୍‌ ମଟର, କଲାରାଗୁଡ଼ିକ ପାଚିବା ପରେ ମଧ୍ୟ ସବୁଜ ଦେଖାଯିବା ପାଇଁ ମାଲାଚାଇଟ୍‌ ଗ୍ରାନ୍‌ ନାମକ ରଙ୍ଗ ଦିଆଯାଏ।
ପରିବା ଆଣିବା ବେଳେ ନୀଳ ରଙ୍ଗ ମିଶା ପରିବାକୁ ପାପୁଲିରେ ଘସିଲେ ସେଥିରୁ ରଙ୍ଗ ହାତରେ ଲାଗିଯାଇଥାଏ। ଏହି କେମିକାଲ୍‌ ମିଶିଥିବା ପନିପରିବା ଖାଇବା ପରେ ଲୋକେ ଲିଭର, କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥାନ୍ତା।
ଏହିସବୁ ରସାୟନ ମୁକ୍ତ ପରିବାରରୁ ମୁକ୍ତି ପାଇବା ପାଇଁ ପରିବା ଆଣିବା ପରେ ଏହାକୁ ଭିନେଗାର, ବେକିଙ୍ଗ୍‌, ସୋଡ଼ା, ଓଜନେଟର, ହାଇଡ୍ରୋଜେନ ପୋରକ୍‌ସାଇଡ଼୍‌ରେ ୫ ମିନିଟ୍‌ ବୁଡ଼ାଇ ରଖିଲେ ଏସବୁ ପ୍ରକାର ପଦାର୍ଥ ବାହାରି ଯାଇଥାଏ। ଯଦିବା ଏହାଦ୍ୱାରା ସମ୍ପୂର୍ଣ୍ଣ କେମିକାଲ୍‌ ମୁକ୍ତ ହୋଇ ନ ଥାଏ ତଥାପି ସେଗୁଡ଼ିକ କେତେକାଂଶରେ ବ୍ୟବହାର ଉପଯୋଗୀ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।