ଟେଲିଭିଜନର ସବୁଠାରୁ ଲୋକପ୍ରିୟ କୁଇଜ୍ ସୋ’ ‘କୌନ୍ ବନେଗା କରୋଡପତି’ (କେବିସି) ପ୍ରସାରଣକୁ ଇତି ମଧ୍ୟରେ ୨୫ବର୍ଷ ପୂର୍ଣ୍ଣ ହୋଇଛି। ଏହି ବିଶେଷ ମୁହୂର୍ତ୍ତରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଭାବପ୍ରବଣ ହୋଇଯାଇଛନ୍ତି।
ଜୁଲାଇ ୩ତାରିଖରେ ଅମିତାଭ ‘କୌନ୍ ବନେଗା କରୋଡପତି’ ସୋ’ର ଯାତ୍ରାକୁ ମନେ ପକାଇ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ପୋଷ୍ଟରେ ଅମିତାଭ ଉଲ୍ଲେଖ କରିଛନ୍ତି ଯେ ଏମିତି ଏକ ୩ ଜୁଲାଇରେ କେବିସି ସିଜିନ୍ ପାଇଁ ପ୍ରସ୍ତୁତି କରୁଥିଲି।
କେବିସି ଟିମ୍ ମୋତେ କହିଥିଲେ ଯେ ଏହି ସୋ’ଟି ପ୍ରଥମ ଥର ୨୦୦୦ ମସିହାରେ ଏହି ଦିନରେ ପ୍ରସାରିତ ହୋଇଥିଲା। ଅର୍ଥାତ କେବିସଚୁ ଇତି ମଧ୍ୟରେ ୨୫ ବର୍ଷ ପୂରାହୋଇଛି।
କୌନ୍ ବନେଗା କରୋଡ଼ପତି ୨୦୦୦ ଜୁଲାଇ ୩ ତାରିଖରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ସୋ’ ଭାରତର ସବୁଠାରୁ ବଡ଼ କୁଇଜ୍ ସୋ’ ଥିଲା। ଯାହା ଆଜି ମଧ୍ୟ ସାଧାରଣ ଲୋକଙ୍କୁ ସେମାନଙ୍କର ଜ୍ଞାନ ବଳରେ କୋଟିପତି ହେବାର ସ୍ୱପ୍ନ ପୂରଣ କରିବାର ସୁଯୋଗ ଦେଉଛି।
ଏହି ସୋ’ରେ ଅମିତାଭଙ୍କ ଭାଷା ଫର୍ମାଟ୍ ହେଉ କିମ୍ବା ତାଙ୍କର ଜବରଦସ୍ତ ସଂଳାପ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଜୀବନକୁ ବଦଳାଇ ଦେଇଛି। ‘କୌନ୍ ବନେଗା କରୋଡପତି’ ସୋ ସୋନି ଲାଇଭ୍ ଚ୍ୟାନେଲରେ ପ୍ରସାରିତ ହେଉଛି।


