ଶିବରାତ୍ରୀ ଅବସରରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠାଇବା ସମୟରେ ଅଧା ବାଟରେ ଖସି ପଡିଲେ ସେବାୟତ। ଘଟଣାସ୍ଥଳରେ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁହଁ , ଅଣ୍ଟା ଓ ଆଖିରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି
ଖବର ନେବାରୁ ଜଣା ପଡ଼ିଛି ଯେ, ବୁଧବାର ମହାଶିବରାତ୍ରୀ ମହାଦୀପ ଉଠା ଯିବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ନିତିକାନ୍ତିରେ ବିଳମ୍ବ ଯୋଗୁ ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିଲା। ହଜାର ହଜାର ଭକ୍ତଙ୍କ ଗହଣରେ ସେବାୟତ ମହାଦୀପ ନେଇ ଉଠିଥିଲେ। କିନ୍ତୁ ପ୍ରାୟ ୧୫ ଫୁଟ ଉପରକୁ ଯାଇଛନ୍ତି କି ନାହିଁ ହାତ ଚିକ୍କଣ ଥିବାରୁ ଖସି ପଡ଼ିଥିଲେ ସେବାୟତ। ତଳେ ପଡିଯିବାରୁ ତାଙ୍କର ମୁହିଁ, ଆଖି ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ଆହତ ସେବାୟତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ମନ୍ଦିର ପରିସରରେ ରକ୍ତ ଛିଟା ଲାଗିଥିବାରୁ ଲିଙ୍ଗରାଜଙ୍କ ମହାସ୍ନାନ କରାଯାଇଥିଲା ଓ ଅନ୍ୟଜଣେ ସେବାୟତ ମହାଦୀପ ନେଇ ଉଠିଥିଲେ।
ମହାଦୀପ ତେଲ ପାଇଁ ହାତ ଚିକ୍କଣ ହୋଇଥିବାରୁ ସେବାୟତ ଖସି ପଡିଥିବା ସେବାୟତଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏଭଳି ଘଟଣା ପାଇଁ ଅନେକ ନୀତି ଅନିୟମିତତାକୁ ଦାୟୀ କରିଛନ୍ତି। ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ୍ ରାଣା କହିଛନ୍ତି ଯେ ଏଭଳି ଘଟଣାର କାରଣ ତୁରନ୍ତ ଖୋଜି ବାହାର କରାଯିବ।

ଆରଡ଼ି ଶୈବପୀଠରେ ଶିବରାତ୍ରୀ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ ଏତେ ମାତ୍ରାରେ ବଢିବା ସହ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ ଜଣ ଆହତ ହୋଇଛନ୍ତିଠେଲାପେଲାରେ ଆହତଙ୍କ ମଧ୍ୟରେ ୫ ଜଣ ମହିଳା ରହିଥିବା ବେଳେ ୬ ଜଣ ଶିଶୁ ରହିଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି

ପ୍ରକାଶ ଥାଉ କି ପବିତ୍ର ଜାଗରଯାତ୍ରା ପାଇଁ ବୁଧବାର ସକାଳୁ ସକାଳୁ ଆଖଣ୍ଡଳମଣିଙ୍କ ପୀଠରେ ହଜାରହଜାର ଭକ୍ତଙ୍କ ଭିଡ ଆରମ୍ଭ ହୋଇଥିଲା। କିନ୍ତୁ ଘୋର ଅବ୍ଯବସ୍ଥା ପାଇଁ ନୀତିକାନ୍ତି ଓ ଜଳସେବାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଦର୍ଶନ ସମୟରେ ଭକ୍ତଙ୍କ ମଧ୍ଯରେ ପେଲାଠେଲା ଓ ଦଳାଚକଟା ହୋଇଥିଲା। ଏଭଳି ହୋଇଥିଲା ଯେ ଶ୍ରଦ୍ଧାଳୁ ବ୍ଯାରିକେଡ ଛାଡି ମନ୍ଦିର ମୁଖ୍ୟ ଗର୍ଭଗୃହରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲେ। ପୁଲିସ ସହ ଶ୍ରଦ୍ଧାଳୁଙ୍କ ଠେଲାପେଲା ହୋଇଥିଲା। କିଛି ଅଣ ସେବାୟତ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଭିଡ ପାଇଁ ମହାପ୍ରଭୁଙ୍କ ପହିଲି ଭୋଗ ୧ ଘଣ୍ଟ ବିଳମ୍ବ ହୋଇଥିଲା। ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସକାଳୁ ସକାଳୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶକଙ୍କ ଭିଡ଼ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଠେଲାପିଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଦୁଇଜଣ ମହିଳା ଭକ୍ତ ଆହତ ହୋଇଛନ୍ତି

ଖବର ନେବାରୁ ଜଣା ପଡ଼ିଛି ଯେ ମନ୍ଦିରରେ ଭୋରରୁ ସାହାମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭକ୍ତଙ୍କ ଭିଡ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ ସମ୍ଭବ ହୋଇ ନ ଥିଲା। ଆରମ୍ଭ ହୋଇଥିଲା। ଭକ୍ତମାନେ ମନ୍ଦିର ଗର୍ଭଗୃହ ଭିତରକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ପୁଲିସ ନିୟନ୍ତ୍ରଣ କରିବାକୁ ଯାଉ ଭକ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଦିନ ପ୍ରାୟ ୧୦ଟା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ମନ୍ଦିର ଦକ୍ଷିଣ ଘର ନିକଟରେ ଭକ୍ତ ପରସ୍ପରକୁ ଠେଲାପେଲା କରିଥିଲା। ଦଳାଚକଟାରେ ଦୁଇଜଣ ମହିଳା ଆହତ ହୋଇଥିଲେ। ପରିସ୍ଥିତି ଦେଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ଚି ପରିସ୍ଥିତି ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ଅପରପକ୍ଷେ ପୁଲିସ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଅଚାନକ ଶ୍ରଦ୍ଧାଳୁଙ୍କ ଭିଡ ବୃଦ୍ଧି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୫୦ ହଜାର ଭକ୍ତ ଲିଙ୍ଗରାଜ ଦର୍ଶନ କଲେଣି ବୋଲି କହିଛନ୍ତି ଡିସିପି। ରାତିରେ ବଡ ଭିଡ଼କୁ ରଖି ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ଡିସିପି କହିଛନ୍ତି।