ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ବିରଳ ସ୍ଥିତି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚ ଥର ଭୂକମ୍ପ ହୋଇଛି। ଏହି ଭୂକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି। ରବିବାର ସମୁଦ୍ରରେ ଭୂକମ୍ପ ହେବା ପରେ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ରୁଷିଆର କାମଚାଟକା ଉପଦ୍ୱୀପ ପାଇଁ ସୁନାମି ଚେତାବନୀ ଜାରି କରିଛି। ରୁଷିଆରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ୭.୪ ଥିଲା ବୋଲି ରେକର୍ଡ କରାଯାଇଛି।

ରୁଷିଆର ସବୁଠାରୁ ବଡ଼ ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରଠାରୁ ୧୪୪ କିଲୋମିଟର ପୂର୍ବରେ ଥିଲା ଏବଂ ଏହାର ଗଭୀରତା ୨୦ କିଲୋମିଟର ଥିଲା। ପ୍ରକାଶ ଥାଉ କି, ଏହି ସହରର ଜନସଂଖ୍ୟା ୧ ଲକ୍ଷ ୮୦ ହଜାର। ଏହାର କିଛି ମିନିଟ୍‌ ପୂର୍ବରୁ, ନିକଟସ୍ଥ ଅଞ୍ଚଳରେ ୬.୭ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଏହା ସହିତ ଆଉ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଧନଜୀବନ ହାନିର କୌଣସି ସୂଚନା ମିଳିନାହିଁ।

ଆମେରିକା ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ) ଅନୁଯାୟୀ, ରୁଷିଆର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ତିନୋଟି ବଡ଼ ଭୂକମ୍ପ ରେକର୍ଡ କରାଯାଇଛି, ଯେଉଁଥିରୁ ଗୋଟିଏର ତୀବ୍ରତା ୭.୪ ଥିଲା। ସେହି ସମୟରେ, ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ଉପକୂଳର ସମାନ ଅଞ୍ଚଳରେ ୩୨ ମିନିଟ୍‌ ବ୍ୟବଧାନରେ ତିନୋଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।

ଆମେରିକାର ଜାତୀୟ ସୁନାମି କେନ୍ଦ୍ର ରୁଷିଆ ଏବଂ ଆମେରିକାର ହାୱାଇ ପାଇଁ ସୁନାମି ଚେତାବନୀ ଜାରି କରିଛି। କାମଚାଟକା ଅଞ୍ଚଳ ପ୍ରଶାନ୍ତ ମହାସାଗର ସମ୍ମୁଖ ଭାଗରେ ଜାପାନର ଉତ୍ତର-ପୂର୍ବରେ ଏବଂ ଆମେରିକାର ଆଲାସ୍କା ରାଜ୍ୟର ପଶ୍ଚିମରେ ବେରିଂ ସାଗର ପାର୍ଶ୍ୱରେ ଅବସ୍ଥିତ ରହିଛି।

କାମଚାଟକା ଉପଦ୍ୱୀପ ପ୍ରଶାନ୍ତ ମହାସାଗର ଏବଂ ଉତ୍ତର ଆମେରିକୀୟ ଟେକ୍ଟୋନିକ୍‌ ପ୍ଲେଟର ମିଳନ ବିନ୍ଦୁ ବୋଲି ଆକଳନ କରାଯାଇଛି। ଫଳରେ ଏହା ଏକ ଭୂକମ୍ପ ପ୍ରବଣ କ୍ଷେତ୍ର ଭାବରେ କାର୍ଯ୍ୟ କରିଥାଏ। ୧୯୦୦ ମସିହାରୁ, ଏହି ଅଞ୍ଚଳ ୮.୩ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ସାତୋଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।

ଖୋଲିଲା ବାଟ: ଏବେ ଚୀନ୍‌ ବୁଲିପାରିବେ ଭାରତୀୟ ପର୍ଯ୍ୟଟକ

୨୦୨୫ ବର୍ଷ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଭୂକମ୍ପ ସାଙ୍ଗକୁ ବିମାନ ଦୁର୍ଘଟଣା ଭଳି ବିତ୍ପାତ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକଙ୍କ ମନରେ ଏବେ ଛନକା ପଶିଯାଇଛି। ଆଗକୁ କିଛି ବଡ଼ ଧରଣର ଅଘଟଣ ଘଟିବା ନେଇ ଏହା ପୂର୍ବ ସୂଚନା କି? ଯାହା ଏବେ ଅନେକଙ୍କ ମନରେ ଆତଙ୍କ ସହ ପ୍ରଶ୍ନ ସୃଷ୍ଟି କରିଛି।
ସପ୍ତାହେ ହେଲା ଦେଶର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନା ମୁତାବକ ଗତ ୧୯ ତାରିଖରେ ଉତ୍ତରାଖଣ୍ଡର ଚମୌଲୀରେ ଭୂମିକମ୍ପର ଝଟକା ଲାଗିଥିଲା ବେଳେ ଏହା ପୂର୍ବରୁ ଅର୍ଥାତ୍‌ ଜୁଲାଇ ୮ ତାରିଖରେ ଭୂମିକମ୍ପ ଆସିଥିଲା।
ସେହିଭଳି ଜୁଲାଇ ୧୭ ତାରିଖରେ ରୋହତକରେ ଭୂମିକମ୍ପର ଝଟକା ଲାଗିଥିଲା। ଏହା ପୂର୍ବରୁ ଜୁଲାଇ ୧୧ରେ ଝଜ୍ଜରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ମାଟିରୁ ମାତ୍ର ୧୦ କିଲୋମିଟର ଭିତରେ ହିଁ ଥିଲା। ଏହାର ଦିନକ ପୂର୍ବରୁ ଜୁଲାଇ ୧୦ ତାରିଖରେ ଝଜ୍ଜରରେ ହିଁ ଭୂକମ୍ପ ପରିଲକ୍ଷିତ ହୋଇଥିଲା। ଯାହା ଦିଲ୍ଲୀ-ଏନସିଆର, ଫରିଦାବାଦ ଏବଂ ଗୁରୁଗ୍ରାମରେ ଥିବା ଲୋକଙ୍କୁ ଅନୁଭୂତ ହୋଇଥିଲା।
ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆରେ ଭୂମିକମ୍ପ ପାଇଁ ସାଗାଇଙ୍ଗ ଫଲ୍ଟ ଏକ ମୁଖ୍ୟ କାରଣ ବୋଲି କହିଛନ୍ତି କାନପୁରର ପୃଥିବୀ ବିଜ୍ଞାନ ବିଭାଗର ପ୍ରଫେସର ଜାଭେଦ ମଲ୍ଲିକ। ସେ ଆହୁରି କହିଛନ୍ତି, ବଙ୍ଗଳାର ସିଲିଗୁଡ଼ିରେ ଗଙ୍ଗା-ବଙ୍ଗଳା ଫଲ୍ଟ ମଧ୍ୟ ରହିଛି। ଯେଉଁ କାରଣରୁ ବାରମ୍ବାର ଭୂମିକମ୍ପର ଝଟକା ଅନୁଭୂତ ହେଉଛି। ଏହି ଅଞ୍ଚଳରେ ଭୂମିକମ୍ପର ଝଟକା ଗତ ୧୫୦-୨୦୦ ବର୍ଷ ଧରି ଆସୁଛି। ପ୍ରଫେସର ମଲ୍ଲିକଙ୍କ ଅନୁସାରେ ହିମାଳୟରେ ମଧ୍ୟ ଅନେକ ସକ୍ରିୟ ଫଲ୍ଟ ଲାଇନ ରହିଛି।
ଦିଲ୍ଲୀ ସମେତ ସମଗ୍ର ଉତ୍ତର ପୂର୍ବ ଏବଂ କାଶ୍ମୀର ଭୂମିକମ୍ପ ଦୃଷ୍ଟିରୁ ଜୋନ-୫ ରେ ଆସିଥାଏ। ଏଭଳି ପରିସ୍ଥିତିରେ ଏହି ଅଞ୍ଚଳରେ ଆହୁରି ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି। ପ୍ରଫେସର କହିଛନ୍ତି ଯେ ଫଲ୍ଟ ଲାଇନ ୧୫୦-୨୦୦ କିମି ଗଭୀରତାରେ ହୋଇପାରେ। ଏଭଳି ପରିସ୍ଥିତିରେ କମ୍‌ ଗଭୀରତା ଥିବା ଭୂମିକମ୍ପ ଅଧିକ କ୍ଷତି ପହଞ୍ଚାଇଥାଏ।
ଉତ୍ତର ପୂର୍ବ ଭାରତରେ ମହେନ୍ଦ୍ରଗଡ଼-ଡେରାଡୁନ ଫଲ୍ଟ ଲାଇନ, ଦିଲ୍ଲୀ-ହରିଦ୍ୱାର ରିଜ ଏବଂ ସୋହନା-ମଥୁରା ଭଳି ଫାଟ ରହିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଭୂମିର ଆଭ୍ୟନ୍ତରରେ ଟେକ୍ଟୋନିକ ପ୍ଲେଟ ରହିଛି ଯାହା ୟୁରେସିଆନ ପ୍ଲେଟ ସହିତ ଧକ୍କା ଦେଇବା ଯୋଗୁଁ ଭୂକମ୍ପ ଅନୁଭୂତ ହେଉଛି।