TT Ads

କଟକଣା ସତ୍ତ୍ବେ ବେଆଇନ ଜମି ବିକ୍ରି ପାଇଁ ଅନୁମତି ଦେଇ ଫସିଛନ୍ତି ୧୮ ଜଣ ଅଧିକାରୀ। ପୂର୍ବରୁ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ସାରିଥିବା ବେଳେ ଏବେ ବିଡିଏ ଅଞ୍ଚଳରେ ଅନ୍ୟ ୧୮ ଜଣ ଅଧିକାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି

ପ୍ରାଥମିକ ପର୍ଯ୍ୟାୟରେ ସର୍ବନିମ୍ବ ୧୦୦ ପ୍ଲଟ୍‌ କିଣାବିକା ଅନୁମତି ଦେଇଥିବା ଅଧିକାରୀଙ୍କ ତାଲିକା କରାଯାଇଛି। ଏମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରର୍‌ଙ୍କୁ ଏଡିଏମ୍‌ ରିପୋର୍ଟ ତଲବ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କୁହାଯାଇଥିଲା। ଏବେ ୧୮ ଜଣ ବର୍ତ୍ତମାନ ଓ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯାଇଛି।

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଖୋର୍ଦ୍ଧାର ବର୍ତ୍ତମାନ ସବ୍‌ରେଜିଷ୍ଟ୍ରାର୍‌ ଜ୍ଞାନରଞ୍ଜନ ସାହୁ। କଟକଣା ସମୟରେ ସେ ୫୪୮୯ ପ୍ଲଟ୍‌ କିଣାବିକା ଅନୁମତି ଦେଇଥିବା ଜଣା ପଡିଛି। ଏହା ପରେ ଅଛନ୍ତି ଜଟଣୀ ସବ୍‌ରେଜିଷ୍ଟ୍ରାର୍‌ ପ୍ରାଚୀ ପ୍ରିୟଦର୍ଶିନୀ। କଟକଣା ସମୟରେ ସେ ୪୧୦୪ ପ୍ଲଟ୍‌ ପାଇଁ ଅନୁମତି ଦେଇଥିଲେ।

ଏମାନଙ୍କ ସହ ଖଣ୍ଡଗିରିର ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ମନୋଜ କୁମାର ସେନାପତି (୩୭୪୦), ଜଟଣୀ ସବ୍‌ରେଜିଷ୍ଟ୍ରାର ବିଜ୍ଞେଶ ରଞ୍ଜନ ନାୟକ (୪୧୦୪), ଜଟଣୀ ପୂର୍ବତନ ସବ୍‌ରେଜିଷ୍ଟ୍ରାର ହୃଷୀକେଶ ତ୍ରିପାଠୀ (୧୭୬୫), ବାଲିଅନ୍ତାର ଦୁଇ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ଯୋଗୀନାଥ ଦାସ ଓ ସରୋଜ ପଣ୍ଡା, ବାଲିପାଟଣାର ବର୍ତ୍ତମାନ ସବ୍‌ରେଜିଷ୍ଟ୍ରାର୍‌ଙ୍କ ସହ ଦୁଇ ପୂର୍ବତନ ଅଧିକାରୀ, ଖୋର୍ଦ୍ଧାର ୫ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ଏହି ତାଲିକାରେ ରହିଛନ୍ତି।

ସେହିଭଳି ଅନୁଗୁଳର ପୂର୍ବତନ ସବ୍‌ରେଜିଷ୍ଟ୍ରାର ଦୋଳୋଗୋବିନ୍ଦ ସାହୁଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ପଞ୍ଜୀକରଣ ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ତାଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର୍‌ ଅନୁଗୁଳ ଏଡିଏମ୍‌ଙ୍କୁ ଚିଠି ଲେଖିଛନ୍ତି।

ବ୍ରହ୍ମପୁର-୧ ସବ୍‌ରେଜିଷ୍ଟ୍ରାର୍‌ କବିରାଜ ଆର୍ଯ୍ୟଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର୍‌ ଗଞ୍ଜାମ ଏଡିଏମ୍‌ଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୨୨ ମସିହାରୁ ପାର୍ଟପ୍ଲଟ୍ ପଞ୍ଜୀକରଣ ଉପରେ କଟକଣା ଲାଗିଥିଲା। ଗତ ଡିସେମ୍ବରରେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଏହି ବେଆଇନ କାରବାର କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହାକୁ ନେଇ ତନାଘନା ହୋଇଥିଲା।

ମଲେଇ ଖାଉଛି ବିଡ଼ିଏ, ବିଏମସି ମୁଣ୍ଡରେ ଅଠା

TT Ads

Leave a Reply

Your email address will not be published. Required fields are marked *