ବୁଧବାର ସନ୍ଧ୍ୟାରେ (ସ୍ଥାନୀୟ ସମୟ) କାନଡାର ଅଣ୍ଟାରିଓର ହାମିଲଟନରେ ବସ୍ ଷ୍ଟପରେ ଅପେକ୍ଷା କରିଥିବା ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି।
ମୃତକ ହେଲେ ୨୧ ବର୍ଷୀୟା ହରସିମରତ ରନ୍ଧାୱାଙ୍କ ମୃତ୍ୟୁ ହୋଇଛି। ଦୁଇଟି ଗାଡ଼ି ମଧ୍ୟରେ ଗୁଳିଚାଳନା ସମୟରେ ମୋହାକ୍ କଲେଜର ଛାତ୍ରୀଙ୍କ ଦେହରେ ବାଜିଥିଲା।
ହାମିଲଟନ୍ ପୋଲିସ ବର୍ତ୍ତମାନ ହତ୍ୟାକାଣ୍ଡର ତଦନ୍ତ କରୁଛି। ଘଟଣାଟି ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୭:୩୦ ସମୟରେ ଅପର ଜେମ୍ସ ଷ୍ଟ୍ରିଟ୍ ଏବଂ ସାଉଥ୍ ବେଣ୍ଡ ରୋଡ୍ ନିକଟରେ ଘଟିଥିଲା।
ପୁଲିସର କହିବା ଅନୁଯାୟୀ, ଏକ କଳା ସେଡାନରେ ବସିଥିବା ଜଣେ ଯାତ୍ରୀ ଏକ ଧଳା ସେଡାନରେ ଥିବା ଯାତ୍ରୀଙ୍କ ଉପରେ ଗୁଳି ଚଳାଇଥିଲେ। ଫଳରେ ରନ୍ଧାୱାଙ୍କ ଉପରେ ମଧ୍ୟ ଗୁଳି ବାଜିଥିଲା। ପାରାମେଡିକ୍ସ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ଛାତିରେ ଗୁଳି ବାଜିବାରୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଗୁଳିକାଣ୍ଡରେ ଆଲେନବି ଆଭେନ୍ୟୁରେ ଥିବା ନିକଟସ୍ଥ ଏକ ବାସଗୃହକୁ ମଧ୍ୟ କ୍ଷତି ପହଞ୍ଚାଇଛି, ଯେଉଁଠାରେ ବାସିନ୍ଦାମାନେ ଟେଲିଭିଜନ ଦେଖୁଥିଲେ। ଗୁଳିକାଣ୍ଡରେ ପଛପଟ ଝରକା ଭାଙ୍ଗି ଯାଇଛି, କିନ୍ତୁ ଭିତରେ କେହି ଆହତ ହୋଇ ନାହାଁନ୍ତି।
ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ରାନ୍ଧୱାଙ୍କ ମୃତ୍ୟୁ ଉପରେ X ରେ ଏକ ପୋଷ୍ଟରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି “ଓଣ୍ଟାରିଓର ହାମିଲଟନରେ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ।
ସ୍ଥାନୀୟ ପୁଲିସ ଅନୁସାରେ, ସେ ଜଣେ ନିର୍ଦ୍ଦୋଷ ପୀଡିତା ଥିଲେ, ଦୁଇଟି ଯାନ ସହିତ ଗୁଳିକାଣ୍ଡ ଘଟଣାରେ ଏକ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏକ ହତ୍ୟା ତଦନ୍ତ ଚାଲିଛି। ଆମେ ତାଙ୍କ ପରିବାର ସହିତ ଘନିଷ୍ଠ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛୁ।


