TT Ads

ମହାଭାରତ କଥା । ଦ୍ୱାରକାରେ ଶ୍ରୀକୃଷ୍ଣ ତାଙ୍କର ପଟ୍ଟମହିଷୀ ଋକ୍ମିଣୀଙ୍କ ସହ ବସି ପଶା ଖେଳୁଥାନ୍ତି । ହେଲେ ପଶା ଖେଳରେ ତାଙ୍କ ମନ ରହୁ ନଥାଏ । ସେ ବାରମ୍ବାର ଅନ୍ୟମନସ୍କ ହେଉଥାନ୍ତି । ଋକ୍ମିଣୀ ଦେଖିଲେ, ଆଜି ଶ୍ରୀକୃଷ୍ଣଙ୍କ ମନରେ ସ୍ଥିରତା ନାହିଁ । କୌଣସି ନା କୌଣସି ସମସ୍ୟା ତାଙ୍କୁ ବିଚଳିତ କରୁଛି । ସେ ପଚାରିଲେ: ପ୍ରଭୁ! ଆଜି ଆପଣ ଏଭଳି ଅନ୍ୟମନସ୍କ ରହୁଛନ୍ତି କ’ଣ ପାଇଁ? କ’ଣ କେଉଁ ଭକ୍ତ ବିପଦରେ ପଡ଼ିଛି । ଶ୍ରୀକୃଷ୍ଣ କହିଲେ: ରୁକ୍ମିଣୀ! କୁରୁସଭାରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରୁଛି । ବିଚାରୀ, ଦ୍ରୌପଦୀ କାନ୍ଦିକାନ୍ଦି ମତେ ସ୍ମରଣ କରୁଛନ୍ତି । ସେଥିଲାଗି, ମୁଁ ପଶାଖେଳରେ ମନ ଦେଇପାରୁନାହିଁ । ଋକ୍ମିଣୀ କହିଲେ: ତା’ହେଲେ ଯାଆନ୍ତୁ, ଦ୍ରୌପଦୀଙ୍କୁ ବିପଦରୁ ବଞ୍ଚାନ୍ତୁ । କୃଷ୍ଣ କିଛି କହିଲେନି । ଦୀର୍ଘ ନିଃଶ୍ୱାସଟେ ଛାଡ଼ି ପୁଣି ପଶାଖେଳରେ ମନଦେଲେ । ସେଇମିତି ଅନ୍ୟମନସ୍କ ହେଉଥାନ୍ତି । ଋକ୍ମିଣୀ ସବୁ ଦେଖୁଥାଆନ୍ତି; ହେଲେ ନିରବରେ ପ୍ରଭୁଙ୍କ କାର୍ଯ୍ୟକୁ ଅପେକ୍ଷା କରିଥାନ୍ତି । ପଶାଖେଳ ଚାଲିଥାଏ । ଶ୍ରୀକୃଷ୍ଣଙ୍କର ଗୋଟି ଚଳେଇବା ପାଳି ଆସିଲା । ମାତ୍ର ହଠାତ ଗୋଟି ସବୁ ତାଙ୍କ ହାତରୁ ଖସି ପଡ଼ିଲା । ଆଉ ହାତଟି ଆଶୀର୍ବାଦ ମୁଦ୍ରାରେ ଉପରକୁ ଟେକି ହୋଇଗଲା । ଋକ୍ମିଣୀ ଦେଖିଲେ, ସେହି ହାତରୁ ଅଦୃଶ୍ୟଭାବରେ ଛୁଟି ଚାଲିଲା ଗୋଟେ ପରେ ଗୋଟେ ବସ୍ତ୍ର । ଋକ୍ମିଣୀ ହସିଲେ । କହିଲେ: ପ୍ରଭୁ, ଏତେ ସମୟ ଧରି ଅନ୍ୟମନସ୍କ ହୋଇ ବି ଦ୍ରୌପଦୀଙ୍କୁ ବସ୍ତ୍ରଦାନ ନ କରିବାର ରହସ୍ୟ ତ କୁହନ୍ତୁ । ଶ୍ରୀକୃଷ୍ଣ କହିଲେ: ଦ୍ରୌପଦୀ ମତେ ଡାକୁଥିଲେ ସତ । ହେଲେ ମୋ ଉପରେ ପୂର୍ଣ୍ଣ ଭରସା ନ କରି ସେ ନିଜର ସମ୍ମାନ ନିଜେ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ । ଯେତେବେଳେ ସେ ସମ୍ପୂର୍ଣ୍ଣ ନିରୂପାୟ ହୋଇ ଦୁଇହାତ ଉପରକୁ ଟେକିଦେଲେ ଆଉ ପୂର୍ଣ୍ଣ ପ୍ରାଣରେ ମୋ ପାଖରେ ନିଜକୁ ସମର୍ପଣ କରିଦେଲେ ସେତେବେଳେ ମୁଁ ବି ମୋ ହାତ ଉପରକୁ ଟେକିଦେଲି । ବାସ୍!

-ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *