ଜୋହାନ୍ସବର୍ଗ, ୧୫/୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ସୁନା ଖଣିର ଗୁମର ଖୋଲୁଛି। ସୁନା ଖଣି ଭିତରେ ଶହେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଭିତରେ ଦୁଇଶହରୁ ଅଧିକ ଲୋକ ଫସି ରହିଛନ୍ତି ଯେଉଁମାନେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।
ପ୍ରଥମେ ଖଣି ଭିତରର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ଏକ ମୃତଦେହକୁ ବ୍ୟଗରେ ଭର୍ତ୍ତି କରୁଥିଲେ। ଏନେଇ ଆରମ୍ଭ ହୋଇଥିଲା ଖୋଳତାଡ। ଯେଉଁଥିରୁ ପୂରା ଘଟଣା ପର୍ଦ୍ଦାଫାଶ ହୋଇଥିଲା। ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଖଣି ଭିତରେ ଝାଡ଼ା ବାନ୍ତି ଓ ଅନ୍ୟାନ୍ୟ ରୋଗରେ ପଡ଼ି ଶ୍ରମିକମାନଙ୍କ ମୃତ୍ୟୁ ଘଟିଛି।
ଜୋହାନ୍ସବର୍ଗଠାରୁ ପ୍ରାୟ ୧୪୫କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏହି ଖଣି ଉପରେ କଟକଣା ଜାରି ହେବା ସତ୍ତ୍ୱେ ଏହା ଚାଲୁ ରହିଥିଲା। ଏମିତିକି ଶ୍ରମିକମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ପାଣି ଓ ଖାଦ୍ୟ ବନ୍ଦ୍ କରି ଦିଆଯାଇଥିଲା। ଫଳରେ ସେମାନେ ଦୂଷିତ ଜଳ ଓ ଅଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।


