TT Ads

ଯଦି ବାସ୍ତବରେ ଆମେ କାହାର ଉପକାର କରିବାକୁ ଚାହୁଁଛେ ତା’ହେଲେ ସେ କିପରି ନିଜକୁନିଜେ ଉପକୃତ ହୋଇପାରିବ ତାକୁ ସେଇ ମାର୍ଗ ଦେଖେଇଦେବା ଦରକାର

ଥରେ ଜଣେ ବ୍ୟକ୍ତି ନିଜର ପରିବାର ସହ ତୀର୍ଥଯାତ୍ରାରେ ଯାଉଥିଲେ । ବାଟରେ ସମସ୍ତଙ୍କୁ ଶୋଷ ଲାଗିଲା । ହେଲେ କୁଆଡ଼େ କେଉଁଠି ପାଣି ଟୋପାଏ ବି ନଥିଲା । ପାଖରେ ଜଣେ ଋଷି ତପସ୍ୟା କରୁଥିଲେ । ଋଷି ସେମାନଙ୍କୁ କହିଲେ: ଉତ୍ତର ଦିଗରେ ନଈଟିଏ ଅଛି । ତୁମେ ସେଇଠୁ ପାଣି ନେଇଆସ । ବ୍ୟକ୍ତିଜଣକ ଚାଲିଲେ । ଗୋଟିଏ ପାତ୍ରରେ ପାଣି ଧରି ଫେରିଲେ । ହେଲେ ବାଟରେ ଦୁଇଜଣ ତୃଷାର୍ତ୍ତଙ୍କୁ ଦେଖିଲେ ଓ ସେମାନଙ୍କୁ ପାଣି ଦେଇଦେଲେ । ପୁଣିଥରେ ଯାଇ ନଈରୁ ପାଣିଧରି ଫେରିଲେ । ଫେରିବା ବାଟରେ ଦେଖିଲେ, ଆଉ କିଛି ଲୋକଙ୍କ ଶୋଷରେ ହଁସା ଉଡ଼ିଯିବା ଉପରେ । ସେମାନଙ୍କୁ ବି ପାଣି ଦେଇଦେଲେ । ଏଇମିତି ଲଗାତାର ଚାଲିଲା । ବ୍ୟକ୍ତି ପାଣି ଆଣୁଥାନ୍ତି, ବାଟରେ ଅନ୍ୟମାନଙ୍କୁ ଦେଇ ଦଉଥାନ୍ତି । ସେ ଆଶ୍ରମକୁ ନ ଫେରିବା ଦେଖି ଋଷି ତାଙ୍କୁ ଖୋଜିଖୋଜି ଆସି ସେଇଠି ପହଞ୍ଚିଲେ । ସବୁକଥା ଜାଣି କହିଲେ : ତୁମେ ହେଉଛ ଏ ସୃଷ୍ଟିର ସବୁଠୁ ବଡ଼ ବୋକା । ବ୍ୟକ୍ତି କହିଲେ: ମହର୍ଷି, କାହାର ଉପକାର କରିବା କ’ଣ ବୋକାମି । ଋଷି କହିଲେ: ତୁମେ ଉପକାର ଦେଖେଇନ, ତମ ଭିତରର ବଡ଼ପଣ ଦେଖେଇଛ । ମୋ ପରି ତୁମେ ଏମାନଙ୍କୁ ଯଦି ପାଣି ନ ଦେଇ ନଈକୁ ବାଟ ଦେଖାଇ ଦେଇଥାନ୍ତ ତା’ହେଲେ ସେମାନେ ବି ପାଣି ପିଇପାରିଥାନ୍ତେ ଆଉ ତୁମେ ବି ପାଣି ନେଇ ତୁମ ପରିବାରର ଲୋକମାନଙ୍କୁ ପିଆଇ ପାରିଥାନ୍ତ । ଏଇଟା ହୋଇଥାନ୍ତା ବାସ୍ତବ ଉପକାର ।

-ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *