ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା ଘଟିବାରୁ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଜେଜୁ ଏୟାରଲାଇନ୍ସର ଏକ ବିମାନ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଛି।
ଏକ ଘରୋଇ ଖବର ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିମାନରେ ୧୮୧ ଜଣ ରହିଥିଲେ। ସେମାନଙ୍କ ମଧ୍ୟରେ ୧୭୫ ଜଣ ଯାତ୍ରୀ ରହିଥିବା ବେଳେ ୬ ଜଣ କ୍ରୁ ମେମ୍ବର ଥିଲେ। ବିମାନଟି ବ୍ୟାଙ୍କକରୁ ଫେରୁଥିବା ବେଳେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିଲା। କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥରେ ପିଟି ହୋଇ ବିସ୍ଫୋରଣ ହୋଇଥିଲା। ଏଥିରେ ଥିବା ୨୮୧ ଜଣଙ୍କ ମଧ୍ୟରୁ ୧୭୯ ଜଣ ଜୀଅନ୍ତା ଜଳି ଯାଇଛନ୍ତି। କେବଳ ଦୁଇ ଜଣଙ୍କୁ ହିଁ ଜୀବନ୍ତ ଉଦ୍ଧାର କରାଯାଇ ପାରିଛି। ଉଦ୍ଧାର ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପାଇଲଟ ଓ ଜଣେ ଯାତ୍ରୀ ରହିଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
ଲ୍ୟାଣ୍ଡିଂ ଗିଅରରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି। ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସମୟରେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସାଉଥ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୁଙ୍ଗ-ମୋକ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


