ଆଇଏଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୪୯ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ନିକଟରେ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଚଞ୍ଚଲ ରାଣାଙ୍କୁ ଭୁବନେଶ୍ୱର ମହାନଗର ନଗମ (ବିଏମ୍‌ସି)ରେ କମିସନର ପଦବିରେ ନିଯୁକ୍ତି ଦିଆଯାଇଛି। ସେହିଭଳି ବରିଷ୍ଠ ଆଇଏଏସ୍‌ ଅଧିକାରୀ ରୁପା ରୋଶନ ସାହୁଙ୍କ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କୁ ହାତରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦାୟିତ୍ୱ ମିଳିଛି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଭାବେ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ ହୋଇଥିବା ବେଳେ ହେମନ୍ତ ଶର୍ମାଙ୍କୁ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।
କ୍ରୀଡା ଓ ଯୁବ ସେବା ବ୍ୟାପାର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି ହୋଇଥିବା ବେଳେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ମିଳିଛି। ବିଜୟ କୁମାର ଦାସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।
ସେହିଭଳି ରାଜ୍ୟ ସରକାର କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଓ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆଶିଷ ଈଶ୍ୱର ପାଟିଲ୍‌ଙ୍କୁ ଢେଙ୍କାନାଳ, କୀର୍ତ୍ତି ଭାସନଙ୍କୁ ଗଞ୍ଜାମ, ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ୍‌, ବେଦଭୂଷଣଙ୍କୁ କନ୍ଧମାଳ, ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା, କୁଲକର୍ଣ୍ଣି ଆଶୁତୋଷ ସିଂହଙ୍କୁ ରାୟଗଡ଼ା, ମଧୁସ୍ମିତାଙ୍କୁ ଗଜପତି, ଚୌହାନ କୁନାଲ୍‌ ମୋତିରାମଙ୍କୁ ଝାରସୁଗୁଡ଼ା ଓ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଓ ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।
ରାଜ୍ୟରେ ନୂଆ ସରକାରଙ୍କ ପାଇଁ ବଡ଼ ସଂକଟ ଭାବେ ସୃଷ୍ଟି ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି। ଏପରିସ୍ଥଳେ ରାଜ୍ୟରେ ବଢ଼ି ଚାଲିଛଇ ଦୁଷ୍କର୍ମ ସଂଖ୍ୟା। ଏକା ଥରକେ ରାଜ୍ୟର ୩ଟି ଜିଲ୍ଲାରୁ ଦୁଷ୍କର୍ମ ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ପୁଲିସ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି।
ଉପକୂଳବର୍ତ୍ତୀ ଜିଲ୍ଲାଠାରୁ ଆରମ୍ଭ କରି ଉପାନ୍ତ ଜିଲ୍ଲାଗୁଡ଼ିକରେ ଏବେ ଦୁଷ୍କର୍ମ ଏକ ପ୍ରକାର ପୁଲିସ ପାଇଁ ଚିନ୍ତା ବଢ଼ାଇଛି। ଏକ ପକ୍ଷରେ ଜଗତସିଂହପୁର ଜିଲ୍ଲାରୁ ଆରମ୍ଭ କରି ମାଲକାନଗିରିର ଗଣଦୁଷ୍କର୍ମ ଘଟଣା ସାରା ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତିକୁ ଦୋହଲାଇ ଦେଇଛି। ଯୌନଲାଳସାକୁ ଚରିତାର୍ଥ କରିବାକୁ ରାକ୍ଷସ ପାଲଟି ଯାଇଛନ୍ତି ମାଲକାନାଗିରିର କିଛି ଯୁବକ।
ନାବାଳିକା ଜଣଙ୍କ ଯେତେ କାକୁତିମିନତି ଓ ନେହୁରା ହୋଇଥିଲେ ମଧ୍ୟ ଶୁଣି ନ ଥିଲେ ନର ପିପାଶୁ ଯୁବକମାନେ। ଗୋଟିଏ ଦିନରେ ୨ ଥର ଦୁଷ୍କର୍ମର ଶିକାର ହୋଇଥିଲେ ପୀଡିତା। ପ୍ରଥମେ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ପରେ ଟ୍ରକ ଡ୍ରାଇଭର ମଧ୍ୟ ସୁଯୋଗ ପାଇବା ପରେ ପିଶାଚ ପାଲଟି ଯାଇଥିଲା। ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ସତ କିନ୍ତୁ ଏଭଳି ଅଭାବନୀୟ ଘଟଣା ପାଇଁ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି।
ସେପଟେ ଯାଜପୁରରେ ମଧ୍ୟ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା କ୍ରୀଡ଼ାବିତଙ୍କୁ ଜୋରଜବରଦସ୍ତ ୩ ଜଣ କୋଚ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପୀଡିତାଙ୍କ ମା’ ଏନେଇ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ଚାପି ଦେବାକୁ ଜୋରସୋରରେ ଉଦ୍ୟମ କରାଯାଇଥିଲା। ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିରୋଧୀ।
ସେହିପରି ପୁରୀ କଣ୍ଠପୁରରେ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି ୩ ଭଉଣୀ। ଅନ୍ଧାରର ସୁଯୋଗ ନେଇ ବସ୍‌ଷ୍ଟାଣ୍ଡ୍‌ ପାଖରେ ଅଶାଳୀନ ବ୍ୟବହାର କରିଥିଲେ ଦୁର୍ବୃତ୍ତ। କେବଳ ଏହି ତିନିଟି ଘଟଣା ନୁହେଁ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦୁଷ୍କର୍ମ ନେଇ ଅଭିଯୋଗ ଆସିଛି। ଅଧିକାଂଶ କ୍ଷେତ୍ରରେ ନାବାଳିକାମାନଙ୍କୁ ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି।

ରବିବାର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ସୋମବାର ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି। କିନ୍ତୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ଗାଁର ଲୋକମାନେ ଏବଂ ସମ୍ପର୍କୀୟମାନେ ମର୍ମାହତ ହୋଇପଡ଼ିଛନ୍ତି। ଗ୍ରାମବାସୀ କହିଛନ୍ତି, ଅତି କମରେ ତାଙ୍କର କାର୍ଯ୍ୟକାଳ ପୂରଣ ହେବା ଉଚିତ ଥିଲା। ତାଙ୍କର ଇସ୍ତଫା ଗାଁ ଏବଂ ସମଗ୍ର ରାଜସ୍ଥାନ ପାଇଁ ଦୁଃଖଦ ଖବର ରହିଛି।

ଅପରପକ୍ଷେ ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ରାଜନୀତି ତୀବ୍ର ହୋଇଯାଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଦେଇଥିବା ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର କରି ଦେଇଛନ୍ତି।

ଜଗଦୀପଙ୍କ ଇସ୍ତଫାପତ୍ରକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରି ଅଭିଯୋଗ କରି କହିଛି, ଜଗଦୀପଙ୍କ ଇସ୍ତଫା ପଛରେ ଅନ୍ୟ କିଛି କାରଣ ରହିଛି। ସୋମବାର ୨୧ ଜୁଲାଇ, ୨୦୨୫ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ଜଷ୍ଟିସ୍‌ ବର୍ମାଙ୍କୁ ବହିଷ୍କାର ବିରୋଧରେ ଏକ ପ୍ରସ୍ତାବ ଆଣିଥିଲେ। ଏହି ପ୍ରସଙ୍ଗ ମଧ୍ୟ ଜଗଦୀପଙ୍କ ଇସ୍ତଫାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ। ଜୟରାମ କହିଛନ୍ତି, ସୋମବାର ଦିନ ଯେତେବେଳେ ସାଂସଦମାନେ ଜଗଦୀପ ଧନକରଙ୍କ ଅଧ୍ୟକ୍ଷତାରେ ପୁଣିଥରେ ବ୍ୟବସାୟ ପରାମର୍ଶଦାତା କମିଟିର ବୈଠକ ପାଇଁ ପହଞ୍ଚିଲେ, ସେତେବେଳେ ଜେପି ନଡ୍ଡା ଏବଂ କିରେନ ରିଜିଜୁ ଆସି ନ ଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଉଭୟ ମନ୍ତ୍ରୀ ବୈଠକକୁ ଆସିବେ ନାହିଁ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ବ୍ୟକ୍ତିଗତ ଭାବରେ କୁହାଯାଇ ନ ଥିଲା। ସ୍ୱାଭାବିକ ଭାବରେ, ତାଙ୍କୁ ଏହା ପାଇଁ ଖରାପ ଲାଗିଛି।

ବାରମ୍ବାର ଭୂକମ୍ପ କ’ଣ ଆଗକୁ ବଡ଼ ଅଘଟଣ ସୂଚନା କି?

୨୦୨୫ ବର୍ଷ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଭୂକମ୍ପ ସାଙ୍ଗକୁ ବିମାନ ଦୁର୍ଘଟଣା ଭଳି ବିତ୍ପାତ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକଙ୍କ ମନରେ ଏବେ ଛନକା ପଶିଯାଇଛି। ଆଗକୁ କିଛି ବଡ଼ ଧରଣର ଅଘଟଣ ଘଟିବା ନେଇ ଏହା ପୂର୍ବ ସୂଚନା କି? ଯାହା ଏବେ ଅନେକଙ୍କ ମନରେ ଆତଙ୍କ ସହ ପ୍ରଶ୍ନ ସୃଷ୍ଟି କରିଛି।
ସପ୍ତାହେ ହେଲା ଦେଶର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନା ମୁତାବକ ଗତ ୧୯ ତାରିଖରେ ଉତ୍ତରାଖଣ୍ଡର ଚମୌଲୀରେ ଭୂମିକମ୍ପର ଝଟକା ଲାଗିଥିଲା ବେଳେ ଏହା ପୂର୍ବରୁ ଅର୍ଥାତ୍‌ ଜୁଲାଇ ୮ ତାରିଖରେ ଭୂମିକମ୍ପ ଆସିଥିଲା।
ସେହିଭଳି ଜୁଲାଇ ୧୭ ତାରିଖରେ ରୋହତକରେ ଭୂମିକମ୍ପର ଝଟକା ଲାଗିଥିଲା। ଏହା ପୂର୍ବରୁ ଜୁଲାଇ ୧୧ରେ ଝଜ୍ଜରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ମାଟିରୁ ମାତ୍ର ୧୦ କିଲୋମିଟର ଭିତରେ ହିଁ ଥିଲା। ଏହାର ଦିନକ ପୂର୍ବରୁ ଜୁଲାଇ ୧୦ ତାରିଖରେ ଝଜ୍ଜରରେ ହିଁ ଭୂକମ୍ପ ପରିଲକ୍ଷିତ ହୋଇଥିଲା। ଯାହା ଦିଲ୍ଲୀ-ଏନସିଆର, ଫରିଦାବାଦ ଏବଂ ଗୁରୁଗ୍ରାମରେ ଥିବା ଲୋକଙ୍କୁ ଅନୁଭୂତ ହୋଇଥିଲା।
ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆରେ ଭୂମିକମ୍ପ ପାଇଁ ସାଗାଇଙ୍ଗ ଫଲ୍ଟ ଏକ ମୁଖ୍ୟ କାରଣ ବୋଲି କହିଛନ୍ତି କାନପୁରର ପୃଥିବୀ ବିଜ୍ଞାନ ବିଭାଗର ପ୍ରଫେସର ଜାଭେଦ ମଲ୍ଲିକ। ସେ ଆହୁରି କହିଛନ୍ତି, ବଙ୍ଗଳାର ସିଲିଗୁଡ଼ିରେ ଗଙ୍ଗା-ବଙ୍ଗଳା ଫଲ୍ଟ ମଧ୍ୟ ରହିଛି। ଯେଉଁ କାରଣରୁ ବାରମ୍ବାର ଭୂମିକମ୍ପର ଝଟକା ଅନୁଭୂତ ହେଉଛି। ଏହି ଅଞ୍ଚଳରେ ଭୂମିକମ୍ପର ଝଟକା ଗତ ୧୫୦-୨୦୦ ବର୍ଷ ଧରି ଆସୁଛି। ପ୍ରଫେସର ମଲ୍ଲିକଙ୍କ ଅନୁସାରେ ହିମାଳୟରେ ମଧ୍ୟ ଅନେକ ସକ୍ରିୟ ଫଲ୍ଟ ଲାଇନ ରହିଛି।
ଦିଲ୍ଲୀ ସମେତ ସମଗ୍ର ଉତ୍ତର ପୂର୍ବ ଏବଂ କାଶ୍ମୀର ଭୂମିକମ୍ପ ଦୃଷ୍ଟିରୁ ଜୋନ-୫ ରେ ଆସିଥାଏ। ଏଭଳି ପରିସ୍ଥିତିରେ ଏହି ଅଞ୍ଚଳରେ ଆହୁରି ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି। ପ୍ରଫେସର କହିଛନ୍ତି ଯେ ଫଲ୍ଟ ଲାଇନ ୧୫୦-୨୦୦ କିମି ଗଭୀରତାରେ ହୋଇପାରେ। ଏଭଳି ପରିସ୍ଥିତିରେ କମ୍‌ ଗଭୀରତା ଥିବା ଭୂମିକମ୍ପ ଅଧିକ କ୍ଷତି ପହଞ୍ଚାଇଥାଏ।
ଉତ୍ତର ପୂର୍ବ ଭାରତରେ ମହେନ୍ଦ୍ରଗଡ଼-ଡେରାଡୁନ ଫଲ୍ଟ ଲାଇନ, ଦିଲ୍ଲୀ-ହରିଦ୍ୱାର ରିଜ ଏବଂ ସୋହନା-ମଥୁରା ଭଳି ଫାଟ ରହିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଭୂମିର ଆଭ୍ୟନ୍ତରରେ ଟେକ୍ଟୋନିକ ପ୍ଲେଟ ରହିଛି ଯାହା ୟୁରେସିଆନ ପ୍ଲେଟ ସହିତ ଧକ୍କା ଦେଇବା ଯୋଗୁଁ ଭୂକମ୍ପ ଅନୁଭୂତ ହେଉଛି।

ଗତ ୧୨ ତାରିଖ ଥିଲା ଶନିବାର। ଯେଉଁଦିନ ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ନ୍ୟାୟ ନ ମିଳିବା ପରେ ପୀଡିତା ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ଯିଏକି ୬୦ ଘଣ୍ଟାର ଚିକିତ୍ସା ପରେ ଆଖି ବୁଜିଥିଲେ। କିନ୍ତୁ ଗତକାଲି ପୁରୀ ଜିଲ୍ଲା ବଳଙ୍ଗା ୧୫ ବର୍ଷୀୟ ନାବାଳିକା ଯେତେବେଳେ ନିଜ ବଡବାପାଙ୍କ ଘରକୁ ଯାଉଥିଲେ, ତାଙ୍କୁ ସ୍ଥାନୀୟ ଅଞ୍ଚଳର ତିନି ଜଣ ଯୁବକ ବଳପୂର୍ବକ ଉଠାଇ ନେଇଥିଲେ। କିରାସିନି ଢାଳି ଜାଳିଦେଇଥିଲେ। ହତ୍ୟା କରିବା ପାଇଁ ଯୋଜନା କରିଥିବା ଅଭିଯୋଗ ହୋଇଛି।

ଉଭୟ ଘଟଣା ମାତ୍ର ୭ ଦିନ ଭିତରେ ଏବଂ ଶନିବାର ଘଟିଥିବାରୁ ଏହାକୁ ନେଇ ସରକାରଙ୍କୁ ଶନିଦଶା ପଡ଼ିଛି ବୋଲି କହିଛନ୍ତି ବିରୋଧୀ। ପୂରା ଘଟଣାକୁ ଅନୁଧ୍ୟାନ କଲେ ଗତ ଜୁନ୍‌ ୧୫ ତାରିଖ ଠାରୁ ଏଯାବତ ଗୋଟିଏ ଗୋଟିଏ ପରେ ଗୋଟିଏ ଘଟଣା ଓ ଅଘଟଣ ନେଇ ବିରୋଧୀ ଦଳକୁ ପ୍ରସଙ୍ଗ ମିଳିଯାଉଛି।

ପ୍ରଥମେ ଜୁନ ୧୫ତାରିଖରେ ଗୋପାଳପୁର ବେଳାଭୂମି ଘଟଣା ଠାରୁ ବଳଙ୍ଗା ପର୍ଯ୍ୟନ୍ତ ଯେଉଁସବୁ ଘଟଣା ଘଟିଛି, ଏହାକୁ ଭିତ୍ତିକରି ବିରୋଧୀମାନେ ଶାସକଙ୍କୁ ଟାର୍ଗେଟ କରିଥିଲେ। ଅନେକ କହୁଛନ୍ତି, ସରକାରଙ୍କୁ ‘ଶନିଦଶା’ ପଡ଼ିନାହିଁ ତ?

ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ନାବାଳିକା ଏମ୍‌ସରେ ପହଞ୍ଚିବା ପରେ ବିଜେଡି ଓ କଂଗ୍ରେସ କର୍ମୀ ମେଡିକାଲ ପରିସରରେ ହୋ ହଲ୍ଲା କରିଥିଲେ। ପରବର୍ତ୍ତୀ ସମୟରେ ବିଜେପି କର୍ମୀମାନେ ପହଞ୍ଚି ହୋ ହଲ୍ଲା କରିବା ପରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏମ୍‌ସ ପରିସରରେ ହୋ ହଲ୍ଲା ଲାଗି ରହିଥିବା ଜଣାପଡ଼ିଛି।
ସମ୍ପର୍କୀୟ ଦିଅର ପ୍ରେମରେ ପଡ଼ି ନିଜ ସ୍ୱାମୀକୁ ହତ୍ୟା କରିବା ଭଳି ଘଟଣା ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ସମ୍ପର୍କୀୟ ଦିଅର ସମେତ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମହିଳା ହେଲେ କରଣ ଦେବଙ୍କ ପତ୍ନୀ ସୁସ୍ମିତା ଓ ସମ୍ପର୍କୀୟ ଦିଅର ରାହୁଲ।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ କରଣଙ୍କ ମୃତଦେହକୁ ତାଙ୍କ ପତ୍ନୀ ସୁସ୍ମିତା ଜୁଲାଇ ୧୩ ତାରିଖରେ ମାତା ରୂପରାଣୀ ମାଗୋ ହସ୍ପିଟାଲକୁ ଆଣିଥିଲେ। ଡାକ୍ତରଙ୍କ ଆଗରେ ସେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ବିଦ୍ରୁତ ଆଘାତ ଲାଗିଛି। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। କିନ୍ତୁ ସୁସ୍ମିତା ସ୍ୱାମୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ମନା କରିଥିଲେ। ଡାକ୍ତର ଜବତଦସ୍ତ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାରୁ ସୁସ୍ମିତା ଏବଂ ସମ୍ପର୍କୀୟ ଦିଅର ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ପୁଲିସ ପ୍ରାଥମିକ ସନ୍ଦେହ ହୋଇଥିଲା।
ଘଟଣାର ୩ ଦିନ ପରେ  କରଣଙ୍କ ଭଉଣୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ତାଙ୍କ ଭାଇଙ୍କୁ ପତ୍ନୀ ସୁସ୍ମିତା ଏବଂ ରାହୁଲ ହତ୍ୟା କରିଛନ୍ତି। ତେବେ ଉଭୟ ରାହୁଲ ଏବଂ ସୁସ୍ମିତାଙ୍କ ମଧ୍ୟରେ ଥିବା ଏକ ଇନ୍‌ଷ୍ଟାଗ୍ରାମ୍‌ ଚାଟିଂକୁ ନେଇ ସେ ଏଭଳି ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ସେ ଦିଗରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏ ନେଇ ଅଭିଯୋଗ ଏକ ପ୍ରକାର ସ୍ପଷ୍ଟ ହୋଇଥିଲା।
ଉଭୟଙ୍କ ମଧ୍ୟରେ ଇନ୍‌ଷ୍ଟା ଗ୍ରାମ୍‌ରେ ହୋଇଥିବା ଚାଟିଂଅନୁଯାୟୀ  ସମ୍ପର୍କୀୟ ଦିଅର ରାହୁଲ ସହିତ ସୁସ୍ମିତାଙ୍କର ଅନୈତକି ସମ୍ପର୍କରେ ରହିଥିଲା। ଏହି ସମ୍ପର୍କ ଏତେ ଘନିଷ୍ଠ ଥିଲା ଯେ, କରଣଙ୍କୁ ଏକ କାଳିନ ୧୫ଟି ନିଦ ବଟିକା ଦେଇ ସୁସ୍ମିତା ଶୁଆଇ ଦେଇଥିଲେ। ପରେ ତାଙ୍କ ଦେହରେ ବିଦ୍ୟୁତ କରେଣ୍ଟ ଲଗାଇ ହତ୍ୟା କରିଥିଲେ। ଏଥିରେ ତାଙ୍କୁ ରାହୁ ସହାୟତା କରିଥିଲେ।

ଦୀର୍ଘଦିନ ଧରି ବଢ଼ି ଚାଲିଥିବା ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧି ଘଟି ଚାଲିଥିବା ବେଳେ ଏବେ ତୈଳ ଦର ହ୍ରାସ ନେଇ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍‌ ବହୁଦିନ ପର୍ଯ୍ୟନ୍ତ ୬୫ ଡଲାର ପାଖାପାଖି ସ୍ତରରେ ରହିବ। ତେବେ ଭାରତରେ ତେଲ ଦର କମିବାର ସମ୍ଭାବନା ରହିଛି। ଆସନ୍ତା ଦୁଇରୁ ୩ ମାସରେ ତେଲ ଦର ହ୍ରାସ ପାଇବାର ସମ୍ଭାବନା ଦେଖାଇଛନ୍ତି ମନ୍ତ୍ରୀ।

ତୈଳ ଦର ହ୍ରାସ ଏବଂ ବୃଦ୍ଧି ସ୍ଥିତି ଉପରେ ନିର୍ଭର କରେ। ଯଦି ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ଦୈଳ ଦରକୁ କେନ୍ଦ୍ର କରି ସଂକଟ ଦେଖାଦିଏ ତେବେ ସ୍ଥିତି ବଦଳିପାରେ। ଯେଉଁ ତେଲ ଦର ଏବେ ୬୫ ଡଲାର ପାଖାପାଖି ରହିଛି, ତାହାର ମୂଲ୍ୟ ୧୫୦ ଡଲାର ବି ହୋଇଯାଇପାରିବେ। ୬୫ ଡଲାର ସ୍ତରରେ ତେଲ ଥିବାରୁ ତେଲ କମ୍ପାନିଗୁଡିକ ଲାଭ କରୁଛନ୍ତି।

ଏଭଳି ପରିସ୍ଥିତିରେ ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ କମ୍‌ କରି ଗ୍ରାହକଙ୍କୁ ଆବଶ୍ୟକ ଆଶ୍ୱସ୍ତି ଦେଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରେଟିଂ ଏଜେନ୍ସି ସୂଚନା ଅନୁସାରେ ତେଲ କମ୍ପାନିଗୁଡିକ ଏବେ ପେଟ୍ରୋଲ୍‌ ଲିଟର ପିଛା ୧୨-୧୫ ଟଙ୍କା ଏବଂ ଡିଜେଲ୍‌ ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି।

ଏହା ସତ୍ତ୍ୱେ ଏକ ବର୍ଷରୁ ଅଧିକ ସମୟ ଧରି କମ୍ପାନିଗୁଡିକ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି। କିଛି ମାସ ପୂର୍ବ ଦରହ୍ରାସର ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କାର ଉତ୍ପାଦନ ଶୁଳ୍କ ବଢ଼ାଇଦେବା ପରେ ଦୈଳ ଦର ହ୍ରାସ ପାଇପାରି ନ ଥିଲା।

ପୂର୍ବରୁ ତେଲ କମ୍ପାନିଗୁଡିକ ପ୍ରତିଦିନ ତେଲ ଦରରେ ସଂଶୋଧନ କରୁଥିଲେ। ହଠାତ୍‌ ସେହି ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି। ଏନେଇ କୌଣସି ଘୋଷଣା ମଧ୍ୟ କରାଯାଇନାହିଁ। ତେଲ କମ୍ପାନିଗୁଡିକ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବିଚାରକୁ ନେଇ ତେଲ ଦର ସଂଶୋଧନ କରୁଥିଲେ। ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍‌ ଲିଟର ପିଛା ଦାମ୍‌ ୧୦୦ ଟଙ୍କା ପାଖାପାଖି ରହିଥିବା ବେଳେ ଡିଜେଲ୍‌ ଦାମ୍‌ ୯୦ ଟଙ୍କା ଉପରେ ରହିଛି।

ଖସିବ ସୁନାଦର; ବଢ଼ିବ ରୁପାଦର

।

ଗହଣା ପ୍ରେମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି। ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରେ ସୁନା ଦର ହ୍ରାସ ପାଇବାକୁ ଯାଉଥିବା ବେଳେ ରୁପା ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏ ନେଇ ଆକଳନ କରି ସୂଚନାଦେଇଛି ଖ୍ୟାତନାମା ସଂସ୍ଥା ସିଟି ଗ୍ରୁପ୍‌। ଅନ୍ତର୍ଜାତୀୟ ବଜାରରେ ଦର କମ୍‌ ହେଲେ ଭାରତରେ ମଧ୍ୟ ସୁନା ଦର ଶସ୍ତା ହେବ ବୋଲି ଆକଳନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗୁରୁବାର ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୫୦୦ ଟଙ୍କା ବଢ଼ି ୯୧,୦୫୦ ଟଙ୍କା ହୋଇଛି। ୨୪ କ୍ୟରେଟ୍‌ ଦାମ୍‌ ୯୯,୩୩୦ ଟଙ୍କାକୁ ବୃଦ୍ଧି ପାଇଛି। ରୁପା କେଜି ୧,୨୪,୦୦୦ ଟଙ୍କା ରହିଛି। ସିଟି ଗ୍ରୁପ୍‌ କହିଛି ଯେ ରୁପାର ଯୋଗାଣ କମ୍‌ ରହିବା ସହ ନିବେଶ ଚାହିଦା ବଢ଼ୁଥିବାରୁ ଏହାର ଆଉନ୍ସ ପିଛା ଦାମ୍‌ ୪୦ ଡଲାରକୁ ବୃଦ୍ଧି ପାଇବ।
ଗତବର୍ଷ ରୁପା ଦାମ୍‌ ୨୪ ପ୍ରତିଶତ ବଢ଼ିବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ମହଙ୍ଗା ହୋଇସାରିଲାଣି।
ସୁନାର ମୂଲ୍ୟ ବୃଦ୍ଧି ପାଇ ଗତ ୧୩ ବର୍ଷର ସର୍ବାଧିକ ଦରରେ ପହଞ୍ଚିଛି। ଆସନ୍ତା ୬-୧୨ ମାସ ମଧ୍ୟରେ ରୁପା ଦର ୪୩ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସିଟି ଗ୍ରୁପ୍‌ ପକ୍ଷରୁ ଆକଳନ କରାଯାଇଛି।
ସେହିଭଳି ବିଶ୍ୱ ରୁପା ବଜାରର ଆକାର ୩ ହଜାର କୋଟି ଡଲାର ରହିଛି। ଏକ୍ଷେତ୍ରରେ ଯୋଗାଣ କମ୍‌ ରହୁଥିବାରୁ ଚାହିଦାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ଦରକୁ ପ୍ରଭାବିତ କରିବ।
ଲଗାତାର ପଞ୍ଚମ ବର୍ଷ ପାଇଁ ରୁପାର ଚାହିଦା ଯୋଗାଣଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ସୁନା ସମ୍ପର୍କରେ ସିଟି ଗ୍ରୁପ୍‌ କହିଛି ଯେ ୨୦୨୫ରେ ଏହାର ଦାମ୍‌ ୨୭ ପ୍ରତିଶତ ବଞ୍ଚିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ସୁନା କିଣୁଥିବାରୁ ଦାମ୍‌ ବଢ଼ୁଛି।
କିନ୍ତୁ ଦରବୃଦ୍ଧିର ଏହି ଧାରା ଆଗାମୀ ଦିନରେ ବଦଳିବାର ଆଚଳନ କରାଯାଉଛି। ଆସନ୍ତା କିଛି ଦିନ ଭିତରେ ସୁନାର ଆଉନ୍ସ ପିଛା ଦାମ୍‌ ୩୦୦୦ ଡଲାର ତଳକୁ ଖସିବ। ୨୦୨୬ ମଧ୍ୟଭାଗ ସୁଦ୍ଧା ଏହି ଦର ୨୫୦୦-୨୭୦୦ ଡଲାରକୁ ଖସିଆସିବ ବୋଲି ଆକଳନ କରାଯାଇଛି।
ଭାରତ ଏକ ଭିନ୍ନଭିନ୍ନ ପରମ୍ପରାର ଦେଶ। ଅନେକ ଭିନ୍ନ ପରମ୍ପରା ରହିଛି ଯାହା ଜାଣିଲେ ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ବିହାରର ସମସ୍ତିପୁର ଜିଲ୍ଲାରେ ଏମିତି ଏକ ପରମ୍ପରା ରହିଛି ଯେଉଁଥିଲେ ଗାଁର ଶତାଧିକ ଲୋକେ ନାଗପଞ୍ଚମୀ ଦିନ ଜୀବନ୍ତ ସାପକୁ ବେକରେ ପକାଇ ଗ୍ରାମ ପରିକ୍ରମା କରନ୍ତି।
ଶୋଭାଯାତ୍ରା ଯେତିକି ବିପଦପୂର୍ଣ୍ଣ, ସେତିକି ଆସ୍ଥା ଓ ଭକ୍ତିରେ ପରିପୂର୍ଣ୍ଣ। ସମସ୍ତିପୁର ଜିଲ୍ଲାର ବିଭୂତିପୁର ବ୍ଲକ ଅନ୍ତର୍ଗତ ସିଂଘିଆ ଘାଟରେ ପ୍ରତିବର୍ଷ ନାଗପଞ୍ଚମୀ ଅବସରରେ ଏହି ପ୍ରସିଦ୍ଧ ସର୍ପ ମେଳାର ଆୟୋଜନ କରାଯାଏ। ଏହି ମେଳା ଶହ ଶହ ବର୍ଷ ଧରି ଚାଲିଆସୁଥିବା କହିଛନ୍ତି ଗ୍ରାମବାସୀ।
ପରମ୍ପରା ଅନୁଯାୟୀ ନାଗପଞ୍ଚମୀ ଦିନ ସକାଳୁ ହଜାର ହଜାର ଭକ୍ତ ବୁଢ଼ି ଗଣ୍ଡକ ନଦୀ କୂଳରେ ଏକତ୍ରିତ ହୁଅନ୍ତି ଓ ସିଂଘିଆ ବଜାରରେ ଥିବା ମା’ ଭଗବତୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୁଏ ପରମ୍ପରା। ଏହାପରେ ଭକ୍ତମାନେ, ବିଶେଷ କରି ଯେଉଁମାନଙ୍କୁ ‘ଭଗତ’ କୁହାଯାଏ, ସେମାନେ ମା’ ବିଷହରୀଙ୍କ ନାମ ନେଇ ନଦୀ ଓ ଆଖପାଖ ଅଞ୍ଚଳରୁ ବିଭିନ୍ନ ପ୍ରଜାତିର ସାପ ଧରି ଆଣନ୍ତି।
ଏହାପରେ ହଜାର ହଜାର ଲୋକ ବିଶାଳ ଶୋଭାଯାତ୍ରା ବାହାରି ଏକ କିଲୋମିଟର ଲମ୍ବା ଲାଇନରେ ଯାଇଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ବା ବେକରେ ଜୀବନ୍ତ ସାପ ଝୁଲୁଥାଏ। କିଛି ଭକ୍ତ ସାପର ମୁହଁକୁ ନିଜ ମୁହଁରେ ଧରି ଆଶ୍ଚର୍ଯ୍ୟଜନକ କାରନାମା ମଧ୍ୟ ଦେଖାନ୍ତି। ଡ୍ରାମ, ତାସା ଏବଂ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଶୋଭାଯାତ୍ରା ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲା।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ପରମ୍ପରା ଶହ ଶହ ବର୍ଷର ପୁରୁଣା। ମା’ ବିଷହରୀ ସମସ୍ତଙ୍କ ମନସ୍କାମନା ପୂରଣ କରିବା ପାଇଁ ମହିଳାମାନେ ନିଜ ସନ୍ତାନଙ୍କ ମଙ୍ଗଳ ଏବଂ ବଂଶ ବୃଦ୍ଧି କାମନା କରି ନାଗ ଦେବତାଙ୍କର ବିଶେଷ ପୂଜା କରନ୍ତି। ମାନସିକ ପୂରଣ ହେଲେ, ସେମାନେ ନାଗ ଦେବତାଙ୍କୁ ପ୍ରସାଦ ଅର୍ପଣ କରନ୍ତି। ମେଳା ଶେଷ ହେବା ପରେ ଏହି ସମସ୍ତ ସାପଙ୍କୁ ପୁଣି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଏ।
ଏହି ମେଳାରେ କେବଳ ସମସ୍ତିପୁର ନୁହେଁ, ବରଂ ପାଖାପାଖି ଜିଲ୍ଲା ଯେପରିକି ଖଗାରିଆ, ସହରସା, ବେଗୁସରାଇ ଏବଂ ମୁଜାଫରପୁରରୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯୋଗ ଦିଅନ୍ତି। ସମସ୍ତିପୁରର ଏହି ସର୍ପ ମେଳା ମନୁଷ୍ୟ ଏବଂ ବନ୍ୟଜୀବଙ୍କ ମଧ୍ୟରେ ଥିବା ସମ୍ପର୍କର ଏକ ଅଦ୍ଭୁତ ନିଦର୍ଶନ। ଏହା ଏକ ପଟେ ଯେତିକି ଭୟ ସୃଷ୍ଟି କରେ, ଅନ୍ୟପଟେ ଆସ୍ଥା, ଭକ୍ତି ଏବଂ ପରମ୍ପରାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରେ, ଯାହା ବାସ୍ତବରେ ଅବିଶ୍ୱସନୀୟ।
ଲୋକସଭାରେ ଅନୁପସ୍ଥିତ ରହି ଆଉ ଠକି ପାରିବେନି ସାଂସଦ। ଏଣିକି ଲୋକସଭାରେ ପ୍ରତି ବୈଠକରେ ଉପସ୍ଥାନ ପଡ଼ିବ।  ବୈଠକରେ ନାମ ଡକାଯିବା ପରେ ସାଂସଦମାନେ ପ୍ରେଜ୍‌ଣ୍ଟ ସାର୍‌ ବୋଲି କହିବେ। ଏଭଳି ଏକ ନୂଆ ପଦ୍ଧତି ଆରମ୍ଭ କରିବାକୁ ଯାଉଛନ୍ତି ବାଚସ୍ପତି ଓମ୍‌ ବିର୍ଲା।
ପ୍ରକାଶ ଥାଉ କି ପୂର୍ବରୁ ସାଂସଦମାନଙ୍କୁ ଲବିକୁ ଯାଇ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ପଞ୍ଜିକୃତ କରିବାକୁ ପଡୁଥିଲା। ଫଳରେ ଅନେକ କ୍ଷେତ୍ରରେ ସାଂସଦମାନେ ଲବିରେ ଉପସ୍ଥିତି ପଞ୍ଜିକରଣ ପରେ ଚାଲି ଯାଉଥିଲେ। ଏମିତି କି ଅନେକ କ୍ଷେତ୍ରରେ ନ ଆସି ପରବର୍ତ୍ତୀ ଦିନ ସେମାନେ ନାମ ପଞ୍ଜୀକରଣ କରୁଥିଲେ। ହେଲେ ଏବେ ଲାଗୁ ହେବାକୁ ଯାଉଥିବା ନୂଆ ପଦ୍ଧତି।
ସାଂସଦମାନଙ୍କ ଆସନ ପାଖରେ ଏକ ଇଲୋକ୍ଟ୍ରୋନିକ୍‌ ସିଷ୍ଟମ୍‌ ରହିବ। ଇଲୋକ୍ଟ୍ରୋନିକ୍‌ ଭାବରେ ସେମାନଙ୍କର ଉପସ୍ଥିତି ପଞ୍ଜୀକୃତ କରିବେ ସାଂସଦ। ଫଳରେ ପଞ୍ଜିକୃତ କରିବା ପରେ ଆଉ ସାଂସଦ ଚାଲି ଯାଇପାରିବେ ନାହିଁ।
ଏ ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନତି ଯେ, ପ୍ରାରମ୍ଭିକ ଦିନରେ, ପୁରୁଣା ଲବି ରେଜିଷ୍ଟର ମଧ୍ୟ ଜାରି ରହିବ, ଯାହା ଦ୍ୱାରା ସାଂସଦମାନେ ନୂତନ ଇଲୋକ୍ଟ୍ରୋନିକ୍‌୍‌ ସିଷ୍ଟମ ସହିତ ପରିଚିତ ହୋଇପାରିବେ।
ଗତବର୍ଷ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ସାଂସଦମାନଙ୍କୁ ଡିଜିଟାଲ୍‌ ପେନ୍‌ ଏବଂ ଟାବଲେଟ୍‌ ମାଧ୍ୟମରେ ଲବିରେ ସେମାନଙ୍କର ଉପସ୍ଥିତି ଜାହିର କରିବାର ବିକଳ୍ପ ଦେଇଥିଲେ, ଯାହାଦ୍ୱାରା ସଂସଦକୁ କାଗଜବିହୀନ କରିବା ଦିଗରେ ଏକ ପଦକ୍ଷେପ ନିଆଯାଇଥିଲା।
ନୂତନ ବ୍ୟବସ୍ଥା ଅନୁଯାୟୀ ସମସ୍ତ ସାଂସଦଙ୍କ ଆସନରେ ଏକ ଡିଜିଟାଲ୍‌ ସିଷ୍ଟମ୍‌ ଲଗାଯାଇଛି।
ନିଜ ଆସନରେ ବସିଥିବା ସାଂସଦମାନେ ବାୟୋମେଟ୍ରିକ୍‌ / ସ୍ମାର୍ଟ କାର୍ଡ ମାଧ୍ୟମରେ ସିଧାସଳଖ ନିଜ ଉପସ୍ଥିତି ପଞ୍ଜିକୃତ କରିପାରିବେ। ଆପଣଙ୍କୁ କହି ରଖୁଛୁ ଯେ ସାଂସଦମାନେ ଗୃହ ଭିତରେ ନିଜର ଉପସ୍ଥିତି ପଞ୍ଜୀକୃତ କରିବା ନିହାତି ଆବଶ୍ୟକ।