ଦେଖିବାକୁ ପୂରା ଅସଲି ପୁଲିସ ଭଳି। କିନ୍ତୁ କାରବାର ପୂରା ନକଲି। ନିଜକୁ ପୁଲିସ ପରିଚୟ ଦେଇ ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ଠକେଇ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି।
ଗିରଫ ଯୁବକ ହେଲେ ମାନସ ରଞ୍ଜନ ସେନାପତି। ମାନସଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ। ସେ ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଭଡ଼ା ଘର ନେଇ ରହୁଥିଲେ। ମାନସ ନିଜକୁ ପୁଲିସ ସବ୍ ଇନ୍ସିପେକ୍ଟରର ପରିଚୟ ଦେଇ ଠକି ଆସୁଥିଲେ। ମାନସ ନକଲି ପୁଲିସ ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲେ। ତାଙ୍କ ନିକଟରୁ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୁଲିସ ଆଇ-କାର୍ଡ, କାର୍, ମୋବାଇଲ ଫୋନ ଆଦି ଜବତ କରିଛନ୍ତି ସହିଦ ନଗର ଥାନା ପୁଲିସ। ନିଜକୁ ପୁଲିସ କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି।
ରବିବାର ସହିଦ ନଗର ଅଞ୍ଚଳରେ ନାଇଟ୍ ବ୍ଲକିଂ ଚେକିଂ ବେଳେ ମାନସକୁ ଧରିଛି ପୁଲିସ। ଏବେ ନକଲି ପୁଲିସ ମାନସ ସହିଦ ନଗର ଥାନା ପୁଲିସ ହେପାଜତରେ ରହିଛି। କେତେଜଣଙ୍କୁ ମାନସ ଠକିଛନ୍ତି ଓ କେତେ ଟଙ୍କା ଠକିଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।


