ଆଜିକାଲି ଘରେ ଘରେ ଛୋଟ ଛୋଟ ବିବାଦ ହେଲେ ଲୋକେ ଥାନାକୁ ଯାଉଛନ୍ତି। କିନ୍ତୁ ଏଭଳି ଗାଁ ଅଛି ଯେଉଁଠି ଆଜିଯାଏଁ ଗୋଟିଏ ବି ମାମଲା ଥାନାକୁ ଯାଇନାହିଁ। ଲୋକେ ମିଳିମିଶି ନିଜ ନିଜ ଭିତରେ ମାମଲା ସମାଧାନ କରିଛନ୍ତି। ସେମିତି ଏକ ଗାଁ ପୁଣି ଭାରତ ବର୍ଷର ବିହାର ରାଜ୍ୟରେ ରହିଛି।
ଲୋକେ ବିହାରକୁ ଅନେକ ସମୟରେ ଅପରାଧର ରାଜ୍ୟ କହୁଥିବା ବେଳେ ସେଠାରେ ଏଭଳି ଏକ ଗାଁକୁ ନେଇ ଚର୍ଚ୍ଚା ହେଉଛି। ଗାଁ ର ନାଁ ହେଉଛି ଧୌତାଲବିଘା। ଯାହା ଜହାନବାଦ ଜିଲ୍ଲାରେ ଅବସ୍ଥିତ।
ଏହି ଗାଁର ଲୋକେ ଅତ୍ୟନ୍ତ ଶାନ୍ତ ଓ ସରଳ। ପ୍ରତ୍ୟେକ କଥାକୁ ଗାଁ ଲୋକେ ନିଜନିଜ ଭିତରେ ବୁଝାମଣା ଭିତ୍ତିରେ ସମାଧାନ କରନ୍ତି। ଗାଁରେ କୌଣସି ବାଦବିବାଦ ଉପୁଜିଲେ ଲୋକେ ବରିଷ୍ଠ ଲୋକଙ୍କ ମତ ଭିତ୍ତିରେ ସମାଧାନ କରନ୍ତି।
ଏକଦା ଗାଁର ଅଧିକାଂଶ ଲୋକେ ଛେଳି ପାଳନ କରୁଥିଲେ। କିନ୍ତୁ ୫୩ ବର୍ଷ ତଳେ ଗାଁରେ ଛେଳିକୁ ନେଇ ବିବାଦ ଉପୂଜିବାରୁ ଲୋକେ ଛେଳି ପାଳନ ଛାଡ଼ି ଦେଇଥିଲେ।
ଏ ନେଇ ଜିଲ୍ଲାପାଳ ଧନଞ୍ଜୟ କୁମାର କୁହନ୍ତି ଏଭଳି ଏକ ବିରଳ ଥାନାକୁ ନେଇ ପୁରା ଜିଲ୍ଲା ଗର୍ବ କରୁଛି। ଅନ୍ୟମାନେ ମଧ୍ୟ ଏହି ଥାନାରୁ ଶିକ୍ଷା ଲାଭ କରିବା ଉଚିତ୍ ବୋଲି ସେ କହିଛନ୍ତି।


