ସିରିଆର ସୁରକ୍ଷା ବାହିନୀ ଏବଂ ପଦଚ୍ୟୁତ ରାଷ୍ଟ୍ରପତି ବଶର ଅସାଦଙ୍କ ଅନୁଗତଙ୍କ ମଧ୍ୟରେ ଦୁଇ ଦିନ ଧରି ଚାଲିଥିବା ସଂଘର୍ଷ ଏବଂ ଏହା ପରେ ହୋଇଥିବା ପ୍ରତିଶୋଧମୂଳକ ହତ୍ୟାକାଣ୍ଡରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୧୪ ବର୍ଷ ପୂର୍ବେ ସିରିଆର ସଂଘର୍ଷ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଭୟଙ୍କର ହିଂସାକାଣ୍ଡ ମଧ୍ୟରୁ ଗୋଟିଏ ବୋଲି ଶନିବାର ଯୁଦ୍ଧ ପର୍ଯ୍ୟବେକ୍ଷଣ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।
ବ୍ରିଟେନ୍ସ୍ଥିତ ସିରିଆନ୍ ଅବଜରଭେଟୋରୀ ଫର୍ ହ୍ୟୁମାନ୍ ରାଇଟ୍ସ କହିଛି ଯେ ଏହି ସଂଘର୍ଷରେ ୭୪୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହିତ ୧୨୫ ଜଣ ସରକାରୀ ସୁରକ୍ଷା ବାହିନୀ ସଦସ୍ୟ ଏବଂ ଅସାଦଙ୍କ ସହ ଜଡିତ ସଶସ୍ତ୍ର ଗୋଷ୍ଠୀର ୧୪୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ଆହୁରି ମଧ୍ୟ କହିଛି ଯେ ଲାଟାକିଆ ସହର ଚାରିପାଖରେ ଥିବା ବଡ଼ ଅଞ୍ଚଳରେ ବିଦ୍ୟୁତ୍ ଏବଂ ପାନୀୟ ଜଳ ବିଚ୍ଛିନ୍ନ କରାଯାଇଛି।
ଅସାଦଙ୍କୁ କ୍ଷମତାରୁ ହଟାଇ ବିଦ୍ରୋହୀମାନେ କ୍ଷମତା ଦଖଲ କରିବାର ତିନି ମାସ ପରେ, ଗୁରୁବାର ଘଟିଥିବା ସଂଘର୍ଷ ଡାମାସ୍କସ୍ରେ ନୂତନ ସରକାରଙ୍କ ପ୍ରତି ଏକ ବଡ଼ ଆହ୍ବାନ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅସାଦଙ୍କ ବାହିନୀର ଆକ୍ରମଣର ଜବାବ ଦିଆଯାଉଛି। ସେହିଭଳି ବ୍ୟାପକ ହିଂସା ପଛରେ ବ୍ୟକ୍ତିଗତ ଘଟଣା ଓ ବିବାଦକୁ ଦାୟୀ କରିଛନ୍ତି ସେଠାକାର ସରକାର।


