କଥାରେ ଅଛି ନଈକେ ବାଙ୍କ୍‌ ଦେଶକେ ଫାଙ୍କ୍‌। କେଉଁ ଦେଶରେ କେତେ ପ୍ରକାର ପରମ୍ପରା ରହିଛି। ସେଥି ମଧ୍ୟରୁ ଭିନ୍ନଏକ ପରମ୍ପରା ରହିଛି ଯେଉଁ ପରମ୍ପରା ଅନୁଯାୟୀ ବିବାହ ବେଦୀରେ ବରକୁ ଟଙ୍କା ଗଣିବାକୁ ଦିଆଯାଏ ସେ ଗଣି ନ ପାରିଲେ କନ୍ୟା ପକ୍ଷ ଚାହିଁଲେ ବାହାଘର ଭାଙ୍ଗି ଦେଇପାରିବ। ଏମିତି ଏକ ପରମ୍ପରାରେ ବିହାରରେ ବାହାଘର ଭାଙ୍ଗି ଦେଇଛନ୍ତି କନ୍ୟାପକ୍ଷ ଲୋକେ।
ଘଟଣାଟି ଘଟିଛି ବିହାରର ମୋତିହାରୀ ଅଞ୍ଚଳରେ। ପୂର୍ବ ପ୍ରସ୍ତୁତି ପରେ ଆସିଥିଲା ବିବାହ ଉତ୍ସବ।  ବିବାହ ପାଇଁ ଆସିଥିବା ବର ଏବଂ ବରଯାତ୍ରୀ ହସଖୁସିରେ କନ୍ୟା ଘରେ ପହଞ୍ଚିଥିଲେ। ହେଲେ ବିବାହ ରୀତିନୀତି ମଧ୍ୟରେ ହିଁ କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। ବର ସମ୍ପୂର୍ଣ୍ଣ ଅଶିକ୍ଷିତ ଏବଂ ଟଙ୍କା ଗଣି ପାରୁନାହିଁ ବୋଲି କହି କନ୍ୟା ନିଜେ ବାହାଘର ଭାଙ୍ଗିବାକୁ କହିଥିଲା। ଶେଷରେ ତାହା ହିଁ ହୋଇଥିଲା।
ସୂଚନା ମୁତାବକ ଘୋଡ଼ାସହନ ଥାନା ଅଞ୍ଚଳର କଦମବା ଗାଁରୁ ବର, ବରଯାତ୍ରୀଙ୍କୁ ଧରି ପତାହୀ ଥାନା ଅଞ୍ଚଳର ଏକ ଗାଁରେ ପହଞ୍ଚିଥିଲା। ବର ପହଞ୍ଚିବା ପରେ ରାତିରେ ବରଣମାଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରଣମାଳା ପରେ ପରମ୍ପରା ଅନୁଯାୟୀ, କନ୍ୟା ପକ୍ଷ ବରକୁ ଗଣିବା ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ବର ନିଜେ ଟଙ୍କା ଠିକ୍‌ ଭାବରେ ଗଣି ପାରି ନ ଥିଲା। କନ୍ୟା ଏଥିରେ ଅସନ୍ତୋଷ ପ୍ରକାଶ କରି ବିବାହ କରିବାକୁ ମନା କରିଦେଇଥିଲା।
ଏହା ପରେ, ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ଗାଁ ଲୋକେ ରାତିସାରା ବର ପକ୍ଷକୁ ବନ୍ଧକ ରଖିଥିଲେ। ପରେ ପୁଲିସର ହସ୍ତକ୍ଷେପ ପରେ ପରଦିନ ବର ଏବଂ ବରଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା।
କୁହାଯାଏ ଯେ ଯଦିବା ବିବାହ ବେଦୀ ବର ଟଙ୍କା ଗଣି ନ ପାରିଲେ ବାହାଘର ଭାଙ୍ଗି ଦେବାର ପରମ୍ପରା ଏଠାରେ ପ୍ରଚଳିତ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ବିବାହ ସମୟରେ ଜାଣିଶୁଣି କମ୍‌ ପରିମାଣର ଟଙ୍କା ଗଣିବାକୁ ଦିଆଯାଇଥାଏ। ଏଥିପାଇଁ ମଧ୍ୟ ବରକୁ ପୂର୍ବରୁ ଅବଗତ କରାଯାଇଥାଏ। ଫଳରେ ପରମ୍ପରା ରକ୍ଷା କରିବାକୁ କେବଳ ଟଙ୍କା ଗଣତି ପ୍ରକ୍ରିୟା ହୋଇଥାଏ ଓ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତେବେ ଏଭଳି କାହିଁଁକି ହେଲା ତାକୁ ନେଇ ପୁଲିସ ତଦନ୍ତ କରୁଛି।

ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଆଦାନିଙ୍କ ସାନ ପୁଅ ଜିତଙ୍କ ବିବାହରେ ଅତିଥି ଭାବେ ଏଲୋନ ମସ୍କଙ୍କଠାରୁ ଆରମ୍ଭ କରି ବିଲ ଗେଟ୍ସଙ୍କ ପରି କଳାକାର ସାମିଲ ହୋଇପାରନ୍ତି। କିନ୍ତୁ ନିରାଡମ୍ବର ଭାବେ ହେଲା ଆଦାନୀଙ୍କ ସାନ ପୁଅ ବାହାଘର।

କୋଟିପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଶୁକ୍ରବାର ମଙ୍ଗେତର ଦିବା ଶାହଙ୍କୁ ବିବାହ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଜିତଙ୍କ ବିବାହ ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି ପିତା ଗୌତମ ଆଦାନୀ।
ଶାନ୍ତିଗ୍ରାମରେ ଜୈନ ପରମ୍ପରା ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି। ଉତ୍ସବରେ ବହୁତ କମ୍ ସଂଖ୍ୟକ ପରିବାର ଏବଂ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। କୌଣସି ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ବିବାହ ଉତ୍ସବରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପତ୍ନୀ ପ୍ରିତି ଆଦାନୀ ଉପସ୍ଥିତ ଥିଲେ।

ତାଙ୍କ ନିକଟତମ ସୂତ୍ର କହିଛନ୍ତି ଯେ ସେ ଯେଉଁ ୧୦,୦୦୦ କୋଟି ଟଙ୍କା ପ୍ରତିଶ୍ରୁତି ଦେଇଥିଲେ ତାହା ସୁଲଭ ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ମେଡିକାଲ କଲେଜ, ସୁଲଭ ଉଚ୍ଚସ୍ତରୀୟ କେ-୧୨ ସ୍କୁଲ ଏବଂ ନିଶ୍ଚିତ ନିଯୁକ୍ତି ସୁଯୋଗ ସହିତ ଉନ୍ନତ ବିଶ୍ୱସ୍ତରୀୟ ଦକ୍ଷତା ଶିକ୍ଷାନୁଷ୍ଠାନର ଏକ ନେଟୱାର୍କ ସୃଷ୍ଟି କରିବାରେ ବ୍ୟବହାର କରାଯିବ।

ଏସିଆର ଦ୍ୱିତୀୟ ସବୁଠାରୁ ଧନୀ ଆଦାନୀଙ୍କ ଦୁଇଟି ପୁଅ ହେଉଛନ୍ତି କରଣ ଓ ଜିତ। କରଣ ଓକିଲ ପରିଧିଙ୍କୁ ବିବାହ କରିଛନ୍ତି। ସେହିଭଳି ଆଦାନୀଙ୍କ ଦ୍ଵିତୀୟ ପୁଅ ଜିତ୍ ଜଣେ ହୀରା ବ୍ୟବସାୟୀଙ୍କ ଝିଅକୁ ବିବାହ କରିଛନ୍ତି। ଜିତଙ୍କ ପତ୍ନୀ ଦିବା ଜୈମିନ ଶାହ ହେଉଛନ୍ତି ହୀରା ବ୍ୟବସାୟୀ ଜୈମିନ ଶାହଙ୍କ ଝିଅ, ଯିଏ ସି ଦିନେଶ ଆଣ୍ଡ କୋ ପ୍ରାଇଭେଟ ଲିମିଟେଡର ସହ-ମାଲିକ ମଧ୍ୟ ଅଟନ୍ତି। ତାଙ୍କର ହୀରା ଉତ୍ପାଦନ ଫାର୍ମର ମୁମ୍ବାଇ ଏବଂ ସୁରଟରେ ବ୍ୟବସାୟ ଅଛି।