ନୂଆ ମଲାଟରେ ଭକ୍ତକବିଙ୍କ ବର୍ଣ୍ଣବୋଧ
୧୯୮୫ ମସିହାରୁ ପ୍ରକାଶିତ ହୋଇ ଆସୁଥିବା ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକରୁ ହଟିଲା ବିଲେଇ ଚିତ୍ର। ଏବେ ବିଲେଇ ବଦଳରେ ମଲାଟରେ ହରିଣ ଦେଖିବାକୁ ମିଳିବ।
ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ଛବିଳ ମଧୁ ବର୍ଣ୍ଣବୋଧର ନୂଆ ସଂସ୍କରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଯେଉଁ ପୁସ୍ତକରୁ ବିଲେଇ ଚିତ୍ର ବଦଳରେ ହରିଣକୁ ସ୍ଥାନିତ କରାଯାଇଛି।
ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱରସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୮୯୫ ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏଭଳି ବଢିଗଲାଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଆମ ଆଧୁନିକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟକାରୀ ହେଉଛି ‘Joyful Teaching & Learning’ ଅର୍ଥାତ ‘ଆନନ୍ଦମୟ ଶିକ୍ଷା।’ ଏହାର ଲକ୍ଷ୍ୟ ହେଉଛି, ଶିକ୍ଷାଦାନକୁ ଚିତ୍ର, ଖେଳଣା, ଉଦାହରଣ ମଧ୍ୟମରେ କରାଗଲେ ତାହା ପିଲାଙ୍କ ପାଇଁ ବୋଧଗମ୍ୟ ହେବ। ପ୍ରକୃତରେ, ଏହି ଶିକ୍ଷାର ଜନକ ଥିଲେ ମଧୁସୁଦନ ରାଓ।
ସେ ପୁଣି କହିଥିଲେ, ବର୍ଣ୍ଣବୋଧ, ଗୋଟିଏ ରାଜ୍ୟ ତଥା ସମୃଦ୍ଧ ଜାତିର ଶିକ୍ଷାକୁ କାଳ କାଳ ଧରି ପ୍ରଭାବିତ କରି ଆସିଥିବା ଏକ ଚିରନ୍ତନ ମହକ। ୧୩୦ ବର୍ଷ ପରେ ମଧ୍ୟ ଏହାର ବିକଳ୍ପ ନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ଡିଜିଟାଲ ସଂସ୍କରଣ, ସତ୍ୟନାରାୟଣ ବହିଦାର ଏବଂ ବାସୁଦେବ ସାହୁଙ୍କ ଜୀବନୀ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଧାୟକ ବାବୁ ସିଂ ଯୋଗ ଦେଇଥିଲେ।
ନୂଆ ମଲାଟରେ ଭକ୍ତକବିଙ୍କ ବର୍ଣ୍ଣବୋଧ



