ଈଶ୍ୱରଙ୍କ ସବୁଠୁ ମହତ ସୃଷ୍ଟି ହେଉଛି ମାଆ। ମାଆ ସବୁ ସହିପାରିବ; ହେଲେ ପିଲାର କଷ୍ଟ ସହି ପାରିବନି।
ଥରେ ଆକବରଙ୍କ ଦରବାରରେ ଯାଇ ଦୁଇଜଣ ମହିଳା ପହଞ୍ଚିଲେ। ସେମାନେ ଗୋଟିଏ ଚାରିପାଞ୍ଚ ମାସର ଶିଶୁକୁ ଧରିଥିଲେ ଆଉ ତାହାକୁ ନିଜର ପିଲା ବୋଲି ଦାବି କରୁଥିଲେ। କି ବିଚାର କରିବେ ଆକବର ସ୍ଥିର କରି ନପାରି ବୀରବଲଙ୍କ ଆଡ଼କୁ ଅନେଇଲେ। ବୀରବଲ ମହିଳାଙ୍କ ହାତରୁ ପିଲାଟିକୁ ନେଇ ଆସି ଦରବାର ମଝିରେ ଶୁଏଇ ଦେଲେ ଓ କହିଲେ: ତୁମ ଦୁହିଙ୍କ ଭିତରୁ ଯିଏ ପିଲାଟିକୁ ନେଇଯିବ ଜଣାଯିବ ସେ ହେଉଛି ପିଲାର ମାଆ। ଏକଥା ଶୁଣୁଶୁଣୁ ମହିଳା ଦୁଇଜଣ ପିଲାଟି ଉପରେ ଝାମ୍ପି ପଡ଼ିଲେ। ତାକୁ ପରସ୍ପରଠାରୁ ଛଡ଼େଇବାରେ ଲାଗିଲେ। ପିଲାଟି ରାହା ଛାଡ଼ି କାନ୍ଦିଲା। କାରଣ ଟଣାଓଟରାରେ ତାକୁ କଷ୍ଟ ହେଉଥିଲା। ତଥାପି ମହିଳା ଦୁଇଜଣ ହାରିବାକୁ ପ୍ରସ୍ତୁତ ନଥିଲେ। ଏତିକିବେଳେ ଜଣେ ମହିଳା ହଠାତ ପିଲାଟିକୁ ଛାଡ଼ିଦେଲା। ଆଉ ବସିପଡ଼ି କାନ୍ଦିବାକୁ ଲାଗିଲା। ଯେଉଁ ମହିଳା ନିକଟରେ ପିଲାଟି ଥିଲା ଆକବର ତାକୁ ପିଲାଟିର ମାଆ ବୋଲି ଘୋଷଣା କରିଦେଲେ ହେଲେ ବୀରବଲ କହିଲେ: ନା, ସିଏ ପିଲାର ମାଆ ନୁହେଁ। ଯେଉଁ ମହିଳା ପିଲାଟିକୁ ଛାଡ଼ିଦେଇ କାନ୍ଦୁଛି ସେ ହେଉଛି ପିଲାର ଅସଲ ମାଆ।
ମାଆ ପଛେ ତା’ ପିଲା ଅନ୍ୟ ପାଖରେ ରହୁ ସେକଥା ସହିପାରେ; ହେଲେ ତା’ ପିଲା କଷ୍ଟ ପାଉ ସେକଥା ସେ ସହିପାରିବନି। ତେଣୁ ସେ ତା’ ପିଲାଟିକୁ ଛାଡ଼ିଦେଲା । ହେଲେ ଆରଜଣକ ତା’ର ମା’ ହୋଇ ନ ଥିବାରୁ ତାକୁ ତା’ର କାନ୍ଦ ଶୁଣାଗଲାନାହିଁ।


