ଇତିମଧ୍ୟରେ ରାଜ୍ୟରୁ ବିଦାୟ ନେଇଛି ଶୀତ। ଗୁରୁବାର ଠାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗୀୟ ସୂଚନା ଅନୁଯାୟୀ ରାଜ୍ୟରେ ସବୁଠି ପାରଦ ବଢ଼ିବା ସହ ସବୁଆଡ଼େ ଗରମର ଅନୁଭୂତି ହେବ। ଯଦିବା ବୁଧବାର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ। ବୁଧବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଘନକୁହୁଡ଼ି ମଧ୍ୟ ଅନୁଭୂତ ହେବ। ଆସନ୍ତା ୫ରୁ ୭ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନବ ପରିଲକ୍ଷିତ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିବ। ଉପକୂଳ ଓଡ଼ିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ୪୮ ଘଣ୍ଟା ପାଇଁ ଘନକୁହୁଡିର ୟେଲୋ ଆଲର୍ଟ ଜାରି ହୋଇଛି।
ପ୍ରକାଶ ଥାଉ କି ମାଘ ମାସ ଆହୁରି ୧୫ ଦିନ ପରେ ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। କୋରାପୁଟ, କନ୍ଧମାଳ, ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ ହୋଇଯାଇଛି।


