ବେଳେବେଳେ ଆମେ ଭାବୁ ଯେ, ଆମେ ଅନ୍ୟକୁ ବୋକା ବନଉଛେ। ହେଲେ ଆମେ ଅନ୍ୟକୁ ନୁହେଁ, ଖୋଦ୍ ନିଜକୁ ହିଁ ବୋକା ବନେଇ ଥାଆନ୍ତି।
ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ତାଙ୍କ ସ୍ତ୍ରୀ ନିକମ୍ମା କହି ଗାଳିକଲେ। ନସିରୁଦ୍ଦିନଙ୍କୁ ବାଧିଲା। ସେ ବଡ଼ପାଟିରେ କହିଲେ, ଈଶ୍ୱର! ଏବେ ତ କିଛି ଦିଅ। ଏତିକିବେଳେ ଗୋଟିଏ ସୁନାମୋହର ଥିବା ଥଳି ଆସି ତାଙ୍କ ପାଖରେ ପଡ଼ିଲା। ବ୍ୟାଗଟିକୁ ତାଙ୍କର ପଡ଼ୋଶୀ ଅହମ୍ମଦ ତାଙ୍କ ନିକଟକୁ ଫୋପାଡ଼ିଥିଲେ। ଭାବିଥିଲେ, ମୁଲ୍ଲା ଭାବିବେ ଈଶ୍ୱର ଦେଲେ। ଯେତେବେଳେ ସତ ଜାଣିବେ ତାଙ୍କ ମୁହଁ କଳା ପଡ଼ିଯିବ। ହେଲେ ମୁଲ୍ଲା ସବୁକଥା ଜାଣୁଥିଲେ। ମୁଲ୍ଲା ବ୍ୟାଗଟିକୁ ନେଇ ଘରକୁ ଗଲେ। କିଛି ସମୟ ପରେ ପଡ଼ୋଶୀ ଅହମ୍ମଦ ମୁଲ୍ଲାଙ୍କ ପାଖକୁ ଆସି କହିଲେ, ମୁଁ ଥଟ୍ଟା କରି ସେ ଥଳି ତମ ପାଖକୁ ଫିଙ୍ଗିଥିଲି। ଏବେ ମୋ ଥଳି ଫେରାଇଦିଅ।
ମୁଲ୍ଲା କହିଲେ, ତାହା ମୋତେ ଈଶ୍ୱର ଦେଇଛନ୍ତି। ମୁଁ ତମକୁ ଦେବି କାହିଁକି ? ଅହମ୍ମଦ କହିଲେ, ଚାଲ, ଆମେ ରାଜାଙ୍କ ପାଖକୁ ଯିବା। ସେ ଯାହା କହିବେ ସେଇଆ ହେବ। ମୁଲ୍ଲା କହିଲେ: ମୁଁ ଯାଆନ୍ତି ଯେ। ହେଲେ ପିନ୍ଧିବାକୁ ଲୁଗା ଅଛି, ନା ଯିବା ଲାଗି ଘୋଡ଼ା ଅଛି। ଅହମ୍ମଦ କହିଲେ, ମୋ ଲୁଗା ନିଅ। ମୋ ଘୋଡ଼ା ନିଅ। ରାଜାଙ୍କ ପାଖକୁ ଚାଲ। ସେଇଆ ହେଲା।
ମୁଲ୍ଲା ଦରବାରରେ ପହଞ୍ଚିଲେ। ରାଜା ସବୁକଥା ଶୁଣିଲେ। ମୁଲ୍ଲାଙ୍କୁ ତାଙ୍କ ପକ୍ଷ ରଖିବାକୁ କହିଲେ। ମୁଲ୍ଲା କହିଲେ, ହଜୁର, ଅହମ୍ମଦ ପାଗଳ ହୋଇଯାଇଛି। ତାଙ୍କୁ ପଚାରନ୍ତୁ ସେ ଏକଥା ବି କହିବ ଯେ, ମୁଁ ଯେଉଁ ଲୁଗା ପିନ୍ଧିଛି ତାହା ବି ତା’ର। ମୁଁ ଯେଉଁ ଘୋଡ଼ାରେ ଆସିଛି ତାହା ମଧ୍ୟ ତା’ର। ଅହମ୍ମଦ କହିଲା, କହିବି କ’ଣ, ସତକୁ ସତ ସେ ସବୁ ମୋର। ରାଜା ଜାଣିଲେ- ମୁଲ୍ଲାଙ୍କ ପଡ଼ୋଶୀ ସତରେ ପାଗଳ ହୋଇ ଯାଇଛନ୍ତି। ତେଣୁ ତାଙ୍କୁ ପାଗଳ ଗାରଦକୁ ପଠାଇଦେଲେ। ବେଳେ ବେଳେ ଅନ୍ୟକୁ ବୋକା ବାଣ୍ଟିବାକୁ ହେଲେ ନିଜକୁ ବୋକା ଭଳି ଅଭିନୟ କରିବାକୁ ହୁଏ।


