ଉଇିମହାବିହାରରେଯଦି ଜଣକର ଲକ୍ଷ୍ୟ ସ୍ଥିର ଆଉ ଉଦେ୍ଦଶ୍ୟ ନିର୍ମଳ ତା’ହେଲେ କୌଣସି ବ୍ୟକ୍ତି, ଘଟଣା ବା ପରିସ୍ଥିତି ତାକୁ ତା’ ପଥରୁ ବିଚୁ୍ୟତ କରିପାରିବ ନାହିଁ ।
ଅନେକ ଦିନ ତଳର କଥା । ବୈଶାଳୀ ନଗରର ରାଜପଥରେ ଜଣେ ଯୁବ ଭିକ୍ଷୁ ଚିନ୍ତିତ ହୋଇ ଗମନ କରୁଥିଲେ । ଆଗକୁ ଚତୁର୍ମାସ୍ୟା ଥିଲା । ସେ ବର୍ଷା ଚାରିମାସ କେଉଁଠି ରହିବେ ସେକଥା ଜାଣି ନଥିଲେ । ଏତିକିବେଳେ ସେହି ନଗରର ନଗ୍ରବଧୂ ଆମ୍ରପଲ୍ଲୀ ତାଙ୍କ ନିକଟକୁ ଆସି କହିଲା- ମହାଭାଗ! ଯଦି ଆପଣଙ୍କର ଆପତ୍ତି ନଥାଏ ତା’ହେଲେ ଆପଣ ମୋ ଘରେ ରହି ଆପଣଙ୍କ ଚତୁର୍ମାସ୍ୟା ବ୍ରତ ପାଳନ କରିପାରନ୍ତି । ଆପଣଙ୍କୁ ସେବା ଆଉ ଆତିଥ୍ୟ ଦେବାରେ ମୁଁ ଆଦୌ ଅବହେଳା କରିବି ନାହିଁ । ସନ୍ନ୍ୟାସୀ କହିଲେ, ମୁଁ ଗୌତମକୁ ପଚାରି କହିବି । ଗୌତମ ସବୁ ଶୁଣି ଅନୁମତି ଦେଲେ । ଯୁବ ସନ୍ନ୍ୟାସୀ ଆସି ଆମ୍ରପଲ୍ଲୀ ଘରେ ରହିଲେ । ହେଲେ ଜଣେ ଯୁବ ସନ୍ନ୍ୟାସୀକୁ ସୁନ୍ଦରୀ ଆମ୍ରପଲ୍ଲୀ ଘରେ ରହିବାର ଅନୁମତି ଦେଇଥିବାରୁ ଅନ୍ୟ ସନ୍ନ୍ୟାସୀମାନେ ବୁଦ୍ଧଙ୍କୁ ସମାଲୋଚନା କରିବାକୁ ଲାଗିଲେ । ବୁଦ୍ଧ କାହାକୁ କିଛି ନ କହି ଚୁପ୍ ରହୁଥାନ୍ତି । ଚତୁର୍ମାସ୍ୟା ସରିଲା । ଯୁବ ସନ୍ନ୍ୟାସୀ ଆସି ତାଙ୍କ ପାଦ ଛୁଇଁଲେ ଆଉ କହିଲେ ଯେ, ତାଙ୍କର ଚତୁର୍ମାସ୍ୟା ବ୍ରତ ସଫଳ ହୋଇଛି । ବୁଦ୍ଧ ହସିଲେ । ଅନ୍ୟ ସନ୍ନ୍ୟାସୀମାନଙ୍କୁ ସମ୍ବୋଧନ କରି କହିଲେ: ମୁଁ ଏ ଯୁବ ସନ୍ନ୍ୟାସୀଙ୍କ ଆଖିରେ ଆମ୍ରପଲ୍ଲୀକୁ ନେଇ କୌଣସି କାମନା କିମ୍ବା ବାସନା ଖୋଜି ପାଇ ନଥିଲି । ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା ବର୍ଷା ଚାରିମାସ କୌଣସି ଜଣଙ୍କ ଘରେ ରହି ବ୍ରତ ପାଳନ କରିବା । ଏଭଳି ଯୁବକଙ୍କୁ ବା ଆମ୍ରପଲ୍ଲୀ କେମିତି ଲକ୍ଷ୍ୟଭ୍ରଷ୍ଟ କରିପାରିଥାନ୍ତା!
– ରାଜେନ୍ଦ୍ର


