ଆମେ ଯେମିତି ଲୋକକୁ ଆମ ସାଥିରେ ରଖିବା ଜୀବନରେ ଆମେ ଠିକ ସେହି ଅନୁସାରେ ଫଳ ଭୋଗିବା । ଆମ ଜୀବନର ଭଲମନ୍ଦ ଆମେ ବନଉଥିବା ସାଥୀ ତଥା ପି୍ରୟଜନ ଉପରେ ନିର୍ଭର କରିଥାଏ । ଦିନେ ଜଣେ ବ୍ୟକ୍ତି ତାଙ୍କର ପୁଅକୁ ପାଖକୁ ଡାକି କହିଲେ, ମୋ ଜୀବନ ପ୍ରାୟ ସରିବାକୁ ବସିଲାଣି । ତେଣୁ ମୁଁ ତମକୁ ଜୀବନର ଏକ ଗୂଢ଼ କଥା କହିବାକୁ ଚାହୁଁଛି । ତମେ କିନ୍ତୁ ତା’ ପୂର୍ବରୁ ଯାଇ ଚୁଲିରୁ ଖଣ୍ଡେ ଅଙ୍ଗାର ଆଉ ବଗିଚାରୁ ଖଣ୍ଡେ ଚନ୍ଦନ କାଠ ନେଇ ଆସ । ପୁଅଟି ଚାଲିଗଲା । ଚୁଲିରୁ ଯାଇ ଅଙ୍ଗାର ଖଣ୍ଡେ ଧରିଲା ଆଉ ବଗିଚାକୁ ଯାଇ ଅନ୍ୟ ହାତରେ ଗୋଟିଏ ଚନ୍ଦନ ଗଛର ଡାଳ ଭାଙ୍ଗି ବ୍ୟକ୍ତିଙ୍କ ନିକଟକୁ ଆସିଲା । ବ୍ୟକ୍ତିଜଣକ ପୁଅ ହାତରେ ଉଭୟ ଅଙ୍ଗାର ଓ ଚନ୍ଦନ ଡାଳ ଦେଖି ଖୁସି ହୋଇଗଲେ ଓ କହିଲେ, ତୁରନ୍ତ ଦୁଇଟି ଯାକ ଫିଙ୍ଗିଦିଅ । ପୁଅ ତାହା ହିଁ କଲା । ବ୍ୟକ୍ତି କହିଲେ, ଯେଉଁ ହାତରେ ଅଙ୍ଗାର ଧରିଥିଲ ସେହି ହାତରେ କ’ଣ ଅଛି । ପୁଅ କହିଲା- ଅଙ୍ଗାର ଧରିଥିଲି ତ କଳା ହୋଇଯାଇଛି । ବ୍ୟକ୍ତି କହିଲେ: ମନ୍ଦଲୋକଙ୍କୁ ସାଥି କଲେ ଏଇଆ ହେଉଛି ଫଳ । ସେମାନେ ତୁମ ପାଖରୁ ଚାଲିଯିବା ପରେ ବି ତୁମ ଜୀବନରେ ଦୁଃଖର ଅନ୍ଧକାର ଭରିଦେଇ ଯାଆନ୍ତି । ଏଥର ଦ୍ୱିତୀୟ ହାତଟିକୁ ଦେଖ । ପୁଅ କହିଲା- ହାତଟିରୁ ଚନ୍ଦନର ବାସ୍ନା ଆସୁଛି । ବ୍ୟକ୍ତି କହିଲେ: ସାଧୁ ସଜ୍ଜନଙ୍କ ସତସଙ୍ଗ ହେଉଛି ଏଇଆ । ସେମାନେ ପାଖରେ ଥିଲେ ତ ବାସୁଥାନ୍ତି । ପାଖରୁ ଚାଲିଯିବା ପରେ ବି ଜୀବନରେ ସେମାନଙ୍କ ସୁଗନ୍ଧ ଭରି ରହିଥାଏ ।
– ରାଜେନ୍ଦ୍ର


