ବାଘୁଣୀକୁ ଆଲିପୁର କାହିଁକି ନେଲ ବୋଲି ପ୍ରଶ୍ନ କଲେ NTCA
ଭୁବନେଶ୍ୱର, ୩୨/୧୨(ଓଡ଼ିଶା ଜାଗରଣ)
ପଶ୍ଚିମବଙ୍ଗର ପୁରୁଲିଆ ନିକଟ ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ବାଘୁଣୀ ‘ଜିନତ୍‌’କୁ ତୁତନ୍ତ ଶିମିଳିପାଳରେ ଛାଡ଼ିବା ପାଇଁ ଏନଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉ କି ଶିମିଳିପାଳରେ ବାଘ ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରରୁ ଜିନତକୁ ଅଣାଯାଇଥିଲା। କିନ୍ତୁ ଜୀନତ୍‌ ଶିମିଳିପାଳରେ ନ ରହି ପ୍ରଥମେ ଛତିଶଗଡ ଓ ପରେ ପଶ୍ଚିମବଙ୍ଗ ଜଙ୍ଗଲକୁ ଚାଲି ଯାଇଥିଲା। ତାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ୩ଟି ସଟ୍‌ ମରାଯାଇଥିଲା। ଯାହାର ପ୍ରଭାବରେ ଜୀନତ୍‌ ଅସୁସ୍ଥ ହୋଇପଡ଼ିଛି। ଅଲିପୁର ଚିଡ଼ିଆଖାନାରେ ୧୨ ଜଣିଆ ଟିମ୍‌ ଜୀନତ୍‌ର ଚିକିତ୍ସ‌ା ଓ ନିରୀକ୍ଷଣ ଦାୟିତ୍ବରେ ଅଛନ୍ତି। ସୋମବାର ସକାଳେ ବାଘୁଣୀର ଶ୍ବାସକ୍ରିୟା ଅସ୍ବ‌ାଭାବିକ ହୋଇ ପଡ଼ିଥିଲା। ତେବେ ଅପରାହ୍ଣ ୨ଟା ପରେ ସେ ସାଧାରଣ ଅବସ୍ଥାକୁ ଫେରିଛି। ହେଲେ ଶରୀର ସମ୍ପୂର୍ଣ୍ଣ ଦୁର୍ବଳ ରହିଛି। ସକାଳୁ ଓ ଅପରାହ୍‌ଣ ୨ଟାରେ ଆଉ ଦୁଇଥର ଡାକ୍ତରୀ ପରୀକ୍ଷା ପରେ ‘ଜୀନତ୍‌’ କେବେ ଶିମିଳିପାଳ ଫେରିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପିସିସିଏଫ୍ କହୁଥିବା ବେଳେ ତୁରନ୍ତ ତାକୁ ଶିମିଳିପାଳରେ ଛାଡ଼ିବାକୁ ଏନଟିସିଏ ନିର୍ଦ୍ଦେଶ ଦେଇଛନ୍ତି।ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ, ଅଲିପୁର ଚିଡ଼ିଆଖାନାର ଡାକ୍ତର ତଥା ସୁନ୍ଦରବନ ଟାଇଗର ରିଜର୍ଭର କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ‘ଜୀନତ୍‌’ ଉପରେ ନଜର ରଖିଛନ୍ତି। ବାଘୁଣୀ ସୁସ୍ଥ ହେବା ପରେ ଯଥାଶୀଘ୍ର ହସ୍ତାନ୍ତର ପାଇଁ ପଶ୍ଚିମବଙ୍ଗ ବନ ବିଭାଗକୁ ଅନୁରୋଧ କରାଯାଇଛି ବୋଲି ଆଜି ଭୁବନେଶ୍ବରରେ ପିସିସିଏଫ୍‌ ପ୍ରେମ୍‌ କୁମାର ଝା ଗଣମାଧ୍ୟମକୁ କହିଛନ୍ତି।

ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ନବୀନଙ୍କ ନୂଆ ଫଣ୍ଡା । ଜିତୁଛନ୍ତି ଲୋକଙ୍କ ହୃଦୟ । ବିଜେଡି ସରକାରରେ ଥିବା ବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ କେବେ ବି ଜୀବନ ହାରିଥିବା ଚାଷୀଙ୍କୁ ଭେଟି ନଥିଲେ । ଏପରିକି ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଚାଷୀ ଆତ୍ମହତ୍ୟାକୁ ଅସ୍ୱୀକାର କରି ଆସୁଥିଲା । କିନ୍ତୁ ବିଜେଡି କ୍ଷମତାରୁ ଯିବା ପରେ ସ୍ଥିତି ବଦଳିଛି ।

ମୁଖ୍ୟମନ୍ତ୍ରୀ ଥିବା ବେଳେ ହେଲିକପ୍ଟରରେ ଭୁବନେଶ୍ୱରରୁ କଟକ ଯାଉଥିବା ନବୀନ ପଟ୍ଟନାୟକ ଏବେ ଜିଲ୍ଲା ବୁଲି ଅଦିନିଆ ଫସଲ କ୍ଷୟକ୍ଷତି ଦେଖୁଛନ୍ତି । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କାଲି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯାଇ ହିଞ୍ଜିଳିକାଟୁ ଓ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ଦେଖି ଚାଷୀଙ୍କୁ ଭେଟିଥିଲେ ।

ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ବାଲିକୁଦା ବ୍ଲକ ରିତିସିଂଘା ଗାଁକୁ ଯାଇ ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି ନବୀନ ପଟ୍ଟନାୟକ । ପରିବାରକୁ ସମବେଦନା ଜଣାଇବା ସହ ସ୍ଥିତିକୁ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ନବୀନ ।

ବିରୋଧୀ ଦଳକୁ ବିଜେଡି ଯିବା ଆଉ ନବୀନ ବିରୋଧୀ ଦଳ ନେତା ହେବା ପରେ ନବୀନଙ୍କ ଏ ପରିବର୍ତ୍ତନ ଦେଖିବାକୁ ମିଳିଛି । କାରଣ ୨୪ ବର୍ଷ ଧରି ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ କେବେ ବି ତାଙ୍କୁ ଏଭଳି ଭାବେ ଦେଖିବାକୁ ମିଳି ନଥିଲା । ଏବେ ବିରୋଧୀ ଦଳରେ ବସିବାର ପ୍ରାୟ ୬ ମାସ ପରେ ନବୀନ ଲୋକଙ୍କ ପାଖକୁ ଯାଇ ଲୋକଙ୍କୁ ଭେଟି ମୋହନ ସରକାରକୁ ଚେକ୍ ଦେଇଛନ୍ତି ।

ବ୍ୟୋମକେଶଙ୍କ ସହ ସ୍ବର ମିଳାଇଲେ ବାବା ବଳିଆ। ପୁରୁଷ କମିଶନ୍ ଗଠନ ପାଇଁ ଦାବି କରି ଆସୁଥିଲେ ଆଡଭୋକେଟ ବ୍ୟୋମକେଶ ତ୍ରିପାଠୀ। ଏବେ ପୁରୁଷ କମିଶନ୍ ଗଠନ ପାଇଁ ଦାବି କରିଛନ୍ତି ବାବା ବଳିଆ। ଏଥିପାଇଁ ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବେ ବାବା ବଳିଆ। ଏକ ସାମ୍ବାଦିକ ସମ୍ମିଳନୀରେ ବୃଦ୍ଧ ବାପା ମାଆଙ୍କ ପାଇଁ ସ୍ବତନ୍ତ୍ର କମିଶନ୍ ଗଠନ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଆସନ୍ତା ଦିନରେ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ଏକ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଯେଉଁଠାରେ ଏ ନେଇ ପ୍ରସଙ୍ଗ ଉତ୍ଥାପନ କରିବେ ବୋଲି କହିଛନ୍ତି ବାବା ବଳିଆ। ଏଭଳି ଅଭିଯୋଗ ନେଇ ଅନେକ ଲୋକ ବାବାଙ୍କ ପାଖକୁ ନିୟମିତ ଆସୁଛନ୍ତି। ତେଣୁ ସେମାନଙ୍କୁ ନ୍ୟାୟ ଦେବା ପାଇଁ ପୁରୁଷ କମିଶନ୍ ଗଠନ ଦାବିରେ ବାବା ବଳିଆ ଆବଶ୍ୟକ ପଡିଲେ ସୁପ୍ରିମ କୋର୍ଟ ଯିବେ ବୋଲି କହିଛନ୍ତି। ବାବା ବଳିଆଙ୍କ ଏଭଳି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ସମାଜସେବୀ ବ୍ୟୋମକେଶ ତ୍ରିପାଠୀ।
ପ୍ରକାଶ ଥାଉ କି ଦୀର୍ଘ ବର୍ଷ ଧରି ନିର୍ଯାତିତ ପୁରୁଷଙ୍କ ପାଇଁ ସ୍ୱର୍ ଉତ୍ତୋଳନ କରି ଆସୁଥିବା ଆଡଭୋକେଟ ବ୍ୟୋମକେଶ ତ୍ରିପାଠୀ ପ୍ରଥମେ ପୁରୁଷ କମିଶନ୍ ପାଇଁ ଦାବି କରିଥିଲେ।

ବିମାନ ସେବା ଯୋଗାଇବାରେ ଆଉ ପାଦେ ଆଗରେ ଓଡ଼ିଶା।ନୂଆବର୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଅଧିକ ୯ଟି ସହରକୁ ମିଳିବ ସିଧାସଳଖ ବିମାନସେବା। ଜାନୁୟାରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ବିମାନ ଉଡାଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଜାନୁୟାରୀ ୩ ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଅଧିକ ୫ଟି ସହରକୁ ସିଧାସଳଖ ବିମାନସେବା ଆରମ୍ଭ ହେବ। ଜାନୁୟାରୀ ପହିଲାରୁ ଝାରସୁଗୁଡ଼ାର ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ମିଳିବ। ସେହିପରି ଜାନୁୟାରୀ ୩ ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ।
ସିଏମଓ ଓଡ଼ିଶାର ‘ଏକ୍ସ’ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ବିମାନ ସେବା ଦ୍ଵାରା ଓଡ଼ିଶାର ଅର୍ଥନୀତିକ ବିକାଶ କ୍ଷେତ୍ରରେ ଆଗରେ ରହିବ ବୋଲି ଆଶା କରାଯାଉଛି ଏବଂ ଓଡ଼ିଶା ଯୋଗାଯୋଗ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ହେବାକୁ ଯାଉଛି।

ମେଲବର୍ଣ୍ଣ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ ପରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଖୁବ ଶୀଘ୍ର ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି । ସିଡନୀ ଟେଷ୍ଟ ପରେ ରୋହିତ ଶର୍ମା ଅବସର ନେବେ ବୋଲି ମିଡିଆ ରିପୋର୍ଟରେ କୁହାଯାଉଛି । ସୂଚନା ଅନୁସାରେ ଜାନୁଆରୀ ୩ରୁ ସିଡନୀରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ଖେଳାଯିବ  । ତେବେ ଏହି ଟେଷ୍ଟ ମ୍ୟାଚ୍ ରୋହିତ ଶର୍ମାଙ୍କ ରେଡ୍ ବଲରେ ଶେଷ ମ୍ୟାଚ୍ ବୋଲି କିଛି ମିଡିଆ ରିପୋର୍ଟରେ କୁହାଯାଇଛି  ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇ ଏବଂ ଚୟନକର୍ତ୍ତା ରୋହିତ ଶର୍ମାଙ୍କ ଅବସର ନେଇ କଥାବାର୍ତ୍ତା ଆରମ୍ଭ କରିଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଚୟନକର୍ତ୍ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି । ରୋହିତ ଶର୍ମା ବାସ୍ତବରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିବାକୁ ଚାହାଁନ୍ତି, ଯଦି ଭାରତ WTC ଫାଇନାଲରେ ପହଞ୍ଚେ ତେବେ ସେହି ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ହୋଇପାରେ । ତେବେ WTC ଫାଇନାଲ ଯିବା ପାଇଁ ଭାରତର ପାଖରେ ଏବେ ବହୁତ କମ୍ ସମ୍ଭାବନା ରହିଛି  । ଏଭଳି ପରିସ୍ଥିତିରେ ସିଡନୀ ରୋହିତଙ୍କ ଶେଷ ଟେଷ୍ଟ ମ୍ୟାଚ୍ ହୋଇପାରେ  ।

ବଡ କଥା ହେଉଛି ମେଲବର୍ଣ୍ଣ ଟେଷ୍ଟରେ ପରାଜୟ ପରେ ରୋହିତ ଶର୍ମାଙ୍କ ଉପରେ ଏହି ରିପୋର୍ଟ ତୁରନ୍ତ ଆସିଛି। ମେଲବର୍ଣ୍ଣ ଟେଷ୍ଟରେ ଟିମ୍ ଇଣ୍ଡିଆ ୧୮୪ ରନରେ ହାରିଛି। ଏକ ସମୟ ଥିଲା ଯେତେବେଳେ ଟିମ୍ ଇଣ୍ଡିଆ ଏହି ଟେଷ୍ଟକୁ ଡ୍ର’ କରିପାରେ ବୋଲି ଜଣାପଡ଼ୁଥିଲା । ଟି ’ବ୍ରେକ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ମାତ୍ର ୩ଟି ଓ୍ବିକେଟ ଯାଇଥିଲା । କିନ୍ତୁ ଏହା ପରେ ପନ୍ତ ଏକ ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ ଏବଂ ପରେ ଭାରତୀୟ ଇନିଂସ କାର୍ଡ ଘର ପରି ଭୁଶୁଡି ପଡିଥିଲା ।

ଯଦି ରୋହିତ ଶର୍ମାଙ୍କ କଥା କହିବା ତାହାଲେ, ଚଳିତ ଅଷ୍ଟ୍ରେଲିଆ ସିରିଜ୍ ରୋହିତଙ୍କ ପାଇଁ ଖରାପ ରହିଛି  । ସେ ଏହି ସିରିଜର ୩ଟି ମ୍ୟାଚରେ ମାତ୍ର ୩୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ରୋହିତଙ୍କ ବ୍ୟାଟିଂ ହାରାହାରି ହେଉଛି ୬.୨୦ । ଯାହା ଅତନ୍ତ୍ୟ ନୈରାଶଜନକ । ମେଲବର୍ଣ୍ଣ ଟେଷ୍ଟରେ ତାଙ୍କର ଗୋଟିଏ ନିଷ୍ପତ୍ତି ଟିମ୍ ଇଣ୍ଡିଆ ଉପରେ ଅଧିକ ଭାରି ପଡ଼ିଥିଲା । ଦମଦାର ଫର୍ମରେ ଥିବା ରାହୁଲଙ୍କୁ ଓପନିଂରୁ ହଟାଇ ସେ ଓପନିଂ କରିଥିଲେ । କିନ୍ତୁ ନା ରୋହିତ ସ୍କୋର କରିଥିଲେ ନା କେ.ଏଲ୍ ରାହୁଲ ରନ୍ ସ୍କୋର କରିପାରିଥିଲେ । ତିନି ନମ୍ବରରେ ଖେଳି କେଏଲ ରାହୁଲ ଉଭୟ ଇନିଂସରେ ବିଫଳ ହୋଇଥିଲେ । ରୋହିତ ଶର୍ମାଙ୍କ ବ୍ୟାଟିଂକୁ ଦେଖିଲେ ଲାଗୁଛି ଯେ ଟେଷ୍ଟ କ୍ରିକେଟରେ ତାଙ୍କୁ ଅଧିକ ସମୟ ବାକି ନାହିଁ। ସେଥିପାଇଁ ଖୁବଶୀଘ୍ର ସେ ଅବସର ନେବେ ବୋଲି ଖବର ସାମ୍ନାକୁ ଆସୁଛି  ।

‘ବିଭାଜନ ହେବନି ସଂଘ, ଗୋଟିଏ ସ୍ଥାନରେ ହେବ ଅଧିବେଶନ’

ଭୁବନେଶ୍ୱର, ୩୦/୧୨ (ଓଡ଼ିଶା ଜାଗରଣ): ଓଡ଼ିଶାର ଆଇନଜୀବୀମାନଙ୍କ ସର୍ବବୃହତ୍ ଓ ସର୍ବ-ପୁରାତନ ସଙ୍ଗଠନ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଭାବେ ଆଦ୍ଭୋକେଟ ବିଭୁପ୍ରସାଦ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି। ମାଲକାନାଗିରିରେ ଆୟୋଜିତ ସଂଘର ୫୩ତମ ବାର୍ଷିକ ଅବେଶନରେ ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଶ୍ରୀ ତ୍ରିପାଠୀ ଓ ରାଇରଙ୍ଗପୁର ବାରର ଆଇନଜୀବୀ ଶ୍ରୀ ସଂଜୀବ ମହାନ୍ତି, ଯଥାକ୍ରମେ ସଭାପତି ଓ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଗୁରୁ ପ୍ରସାଦ ମହାନ୍ତି ଘୋଷଣା କରିଛନ୍ତି। ଶ୍ରୀ ତ୍ରିପାଠୀ ପୂର୍ବରୁ ଏହି ସଂଘର ସାଧାରଣ ସଂପାଦକ ଭାବେ ୨ଥର ଦାୟିତ୍ଵ ନିର୍ବାହ କରିଛନ୍ତି। ସେହିଭଳି ଭଳି ସଂଘର ଏହି କମିଟିକୁ ୭୫ ଜଣ ଆଇନଜୀବୀ ଭିନ୍ନ ଭିନ୍ନ ପଦରେ ନିର୍ବାଚିତ ହୋଇଛନ୍ତି।

9 ବର୍ଷ ପାଇଁ ନିର୍ବାଚିତ ହୋଇଥିବା ସଭାପତି ଶ୍ରୀ ତ୍ରିପାଠୀ ଓକିଲମାନଙ୍କ ସୁରକ୍ଷା ଆଇନ ଓ ଆଡଭକେଟ୍ ଏକାଡେମୀ ପ୍ରତିଷ୍ଠା କରାଇବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ନିଖିଳ ଓଡ଼ିଶା ଆଇନଜୀବୀ ସଂଘରେ କୌଣସି ବିଭାଜନ ହୋଇନାହିଁ। ଆଗାମୀ ବର୍ଷ ଠାରୁ ସଂଘର ବାର୍ଷିକ ଅଧିବେଶନ, ଗୋଟିଏ ସ୍ଥାନରେ କରିବାକୁ ସେ ସମସ୍ତ ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି।