ଓଡ଼ିଆ ସିନେମା ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କ ବରମୁଣ୍ଡା ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଞ୍ଚିଛି। ଗୁରୁଗାଁ ମେଦାନ୍ତ ହସପିଟାଲରୁ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଛି। ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
ସିନେ ତାରକାଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ତାଙ୍କ ଶୁଭେଚ୍ଛୁ ମାନେ ବାସଭବନରେ ଶେଷ ଦର୍ଶନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନ ଦାସ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ସନ୍ତପ୍ତ ପରିବାରକୁ ଶାନ୍ତ୍ବନା ଦେଇଛନ୍ତି। ସେହିଭଳି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଉତ୍ତମଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ରାଷ୍ଟ୍ରପତି । ଅପରାହ୍ନରେ ତାଙ୍କ ମରଶରୀରକୁ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ।
ପ୍ରକାଶ ଥାଉ କି ଲିଭର ସୋରସିସ ରୋଗରେ ପୀଡିତ ଉତ୍ତମଙ୍କୁ ଗତ ଫେବୃଆରୀ ୮ ତାରିଖରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଗୁରୁବାର ଦେହାନ୍ତ ହୋଇଯାଇଛି।


