ସମସ୍ତ ପ୍ରକାର ଯୋଜନା ସତ୍ତ୍ୱେ ଦେଶରେ ସଡ଼କ ଦୁର୍ଘଟଣା କମିବାର ନାଁଗନ୍ଧ ଧରୁନି। ସରକାରୀ ରିପୋର୍ଟ ମୁତାବକ ଦେଶରେ ପ୍ରତି ଘଣ୍ଟାରେ ୬ ଜଣ ମୃତ୍ୟୁ ଘଟୁଛି। ଏ କଥା ଆମେ କହୁନାହୁଁ; ଖୋଦ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏ ନେଇ ସୂଚନା ଦେଇଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ ୨୦୨୫ ବର୍ଷର ପ୍ରଥମ ୬ ମାସ  ଅର୍ଥାତ୍‌ ଜାନୁଆରୀରୁ ଜୁନ୍‌ ମଧ୍ୟରେ ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦ ଜଣଙ୍କର ମୃତ୍ୟୁ ହୋଇଛି।
ସେହି ସମୟରେ, ୨୦୨୪ ମସିହାରେ ରାଜପଥରେ ୫୨,୬୦୯ ଗୁରୁତର ଦୁର୍ଘଟଣା ରେକର୍ଡ କରାଯାଇଥିଲା। ଦୁର୍ଘଟଣା ରୋକିବା ପାଇଁ, ସରକାର ଏଟିଏମ୍‌, ସଡ଼କ ସୁରକ୍ଷା ଅଡିଟ୍‌ ଏବଂ କଠୋର ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ଏହା ସହିତ, ଜନସଚେତନତା ଅଭିଯାନ ମଧ୍ୟ ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ କିଛି ବ୍ୟସ୍ତବହୁଳ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜପଥ ଏବଂ ଏକ୍ସପ୍ରେସୱେରେ ଆଡଭାନ୍ସଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ସ୍ଥାପନ କରିଛି। ଏଥିରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ, ଟ୍ରାନ୍ସ-ହରିଆଣା, ପୂର୍ବ ପେରିଫେରାଲ୍‌ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ରୁଟ୍‌ ଅନ୍ତର୍ଭୁକ୍ତ ରହିଛି ବୋଲି ସୂଚନା ଦେଇଛନ୍ତି।
ଏହି ସିଷ୍ଟମରେ ଇଲେକ୍‌ଟ୍ରୋନିକ୍‌ ମନିଟରିଂ ଉପକରଣ ସଜ୍ଜିତ, ଯାହା ଦୁର୍ଘଟଣା କିମ୍ବା ଜରୁରିକାଳୀନ ପରିସ୍ଥିତି ବିଷୟରେ ତୁରନ୍ତ ସୂଚନା ପ୍ରଦାନ କରେ। ଏହା ସାହାଯ୍ୟରେ ଘଟଣାସ୍ଥଳକୁ ତୁରନ୍ତ ସାହାଯ୍ୟ ପଠାଯାଇପାରିବ ଏବଂ ଯାହା ଜୀବନ ରକ୍ଷା କରିବାରେ ସାହାଯ୍ୟ କରେ ବୋଲି ଗଡକରୀ କହିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ୧,୧୨,୫୬୧ କିଲୋମିଟର ଜାତୀୟ ରାଜପଥର ସଡ଼କ ସୁରକ୍ଷା ଅଡିଟ୍‌ କରାଯାଇଛି।
ପ୍ରକାଶ ଥାଉ କି ୨୦୨୨ ମସିହାରେ ଦେଶରେ ୪.୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଦୁର୍ଘଟଣାର କାରଣ ସାଧାରଣତଃ – ଦ୍ରୁତ ଗତି, ବିନା ହେଲମେଟରେ ବାଇକ୍‌ ଚଲାଇବା ପ୍ରମୁଖ ବୋଲି କୁହାଯାଇଛି । ସରକାର ଏବେ ନିରନ୍ତର ସଡ଼କ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ଏବଂ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ।
ଯେଉଁମାନେ ନିୟମିତ ରାଜପଥରେ ଯାତାୟାତ କରୁଛନ୍ତି ସେମାନଙ୍କୁ ଆଉ ପ୍ରତିଥର ଦେୟ ଦେବାକୁ ପଡ଼ିବନି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ବର୍ଷିକିଆ ଟୋଲ୍‌ ପାସ୍‌। ଏହି କ୍ରମରେ ମାତ୍ର ୩ ହଜାର ଟଙ୍କା ଦେଲେ ୨ ଶହ ଥର ପର୍ଯ୍ୟନ୍ତ ଯିବା ଆସିବା କରିହେବ। ଟୋଲ ପେମେଣ୍ଟରେ ସୁଧାର ଆଣିବା ଓ ସଡକ ପଥରେ ଯାତ୍ରାକୁ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ଯାହା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଲାଗୁ କରାଯିବ। ଏହି ଫାସ୍‌ଟାଗ୍‌ ଯୋଜନା କୌଣସି ସରକାରୀ ଗାଡ଼ି ପାଇଁ ଲାଗୁ ହେବ ନାହିଁ। କେବଳ ପ୍ରାଇଭେଟ୍‌ ଗାଡ଼ିଗୁଡ଼ିକ ପାଇଁ ଲାଗୁ କରାଯିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।
ସରକାରଙ୍କ ଘୋଷଣା ଅନୁସାରେ, ନୂଆ ପାସ୍‌ ଆକ୍ଟିଭ ହେବା ତାରିଖ ଠାରୁ ଗୋଟିଏ ବର୍ଷ ଯାଏ କିମ୍ବା ୨୦୦ଟି ଟ୍ରିପ ଯାଏ ଏହା ବୈଧ ରହିବ। ୨୦୦ଟି ଟ୍ରିପ ପରେ କିମ୍ବା ଆକ୍ଟିଭ ତାରିଖର ବର୍ଷକ ପରେ ଏହି ପାସ୍‌ ଆଉ କାମ କରିବ ନାହିଁ। ନିୟମିତ ଜାତୀୟ ରାଜପଥରେ ଯାତାୟାତ କରୁଥିବା ସାଧାରଣ ଯାତ୍ରୀଙ୍କୁ ଫାଇଦା ଦେବାକୁ ଏହି ଯୋଜନା ଆରମ୍ଭ କରାଯାଉଛି। ସେମାନଙ୍କୁ ଏହି ଯୋଜନା ଅଧିକ ଖର୍ଚ୍ଚ ସମସ୍ୟାରୁ ମୁକ୍ତି ଦେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଗଡକରୀ ନିଜର ଏକ୍ସ ଆକାଉଣ୍ଟରେ ଏହି ଯୋଜନାର ଅପଡେଟ ସମ୍ପର୍କରେ ପୂରା ଦେଶକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ରାଜପଥରେ ସମସ୍ୟା ମୁକ୍ତ ଯାତ୍ରା ପାଇଁ ଆମେ ଫାସ୍‌ଟାଗ ଭିତ୍ତିକ ବାର୍ଷିକ ପାସ୍‌ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ବାର୍ଷିକ ୩ ହଜାର ଟଙ୍କା ଦେବାକୁ ପଡିବ। ଏହା ୨୦୨୫ ମସିହା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଦେଶର ସମସ୍ତ ଜାତୀୟ ରାଜପଥ ଯାତ୍ରା ସମୟରେ ଫାସ୍‌ଟାଗ ପାସ୍‌ କାମ ଦେବ।
ବାର୍ଷିକ ପାସ୍‌କୁ ସକ୍ରିୟ ଓ ପୁନଃ ନବୀକରଣ କରିବା ପାଇଁ ରାଜମାର୍ଗ ଯାତ୍ରା ଆପ୍‌ରେ ସ୍ୱତନ୍ତ୍ର ଲିଙ୍କର ବ୍ୟବସ୍ଥା କରାଯିବ। ଏନଏଚଏଆଇ କିମ୍ବା ଫାସ ଟ୍ୟାଗ୍ ୱେବସାଇଟ ମାଧ୍ୟମରେ ଲୋକମାନେ ଉକ୍ତ ଲିଙ୍କକୁ ଯାଇ ଯୋଜନାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ମିଳିଛି।