ଭୁବନେଶ୍ୱର, ୨୭/୧୨(ଓଡ଼ିଶା ଜାଗରଣ) : ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଶ୍ରୀ ଆହୁଜାଙ୍କୁ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାକୁ ବୃଦ୍ଧି କରାଯାଇ ୨୦୨୬ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସେ ମୁଖ୍ୟ ଶାସନ ସଚିବ ପଦରେ ରହିବେ ବୋଲି ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ଜୁନ ୩୦ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବା ପରେ କେନ୍ଦ୍ରୀୟ ଦେପୁଟେଶନରେ ଥିବା ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଉପସ୍ଥାପିତ କରାଯାଇଥିଲା।
ସେ ଯୋଗ ଦେବା ପରେ ନୂଆ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ମନୋଜ ଆହୁଜା। ବିଶେଷ କରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବାରେ ସେ ବଡ଼ ଭୂମିକା ନିଭାଇଛନ୍ତି। ଏ ଭିତରେ ରାଜ୍ୟରେ ପ୍ରଥମଥର ନାଭାଲ ଡେ, ଡିଜି ସମ୍ମିଳନୀର ସଫଳ ଆୟୋଜନ ହୋଇଥିବା ବେଳେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହେବାକୁଯାଉଛି।

ଭୁବନେଶ୍ୱର, ୨୬/୧୨(ଓଡ଼ିଶା ଜାଗରଣ): ପୂର୍ବ ସରକାର ଓଡ଼ିଶାର ଛାତ୍ରଶକ୍ତିକୁ ଭୟ କରୁଥିଲେ। ଯେଉଁଥିପାଇଁ ଦୀର୍ଘ ବର୍ଷ ଧରି ଛାତ୍ର ସାଂସଦ ନିର୍ବାଚନ ବନ୍ଦ କରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି। ଗୁରୁବାର କଟକରେ ଅନୁଷ୍ଠିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ ରାଜ୍ୟସ୍ତରୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ତେବେ ଏଥର ନିଶ୍ଚିତ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସଭାରେ କହିଛନ୍ତି। ସେ ଆହୁରି କହୁଛନ୍ତି ଯେ, ରାଜ୍ୟରେ ବିଜେପି – ବିଜେଡି ସରକାର ଥିବା ବେଳେ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ନିର୍ବାଚନ ହେଉଥିଲା। କିନ୍ତୁ ବିଜେଡି ଏକକ ସରକାର କରିବା ପରେ ଏହି ନିର୍ବାଚନକୁ ବନ୍ଦ୍ କରିଛି। ଯାହା ଛାତ୍ର ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଏବିଭିପିର କର୍ମକର୍ତ୍ତାଙ୍କୁ ନିଷ୍ଠାପର ଭାବେ ଆଦର୍ଶଗତ ଦାୟିତ୍ବ ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।