ପୂର୍ବରୁ ଆଇସ୍କ୍ରିମ୍‌ରୁ ଆଙ୍ଗୁଠି ବାହାରିବାର ଖବର ତଥା ଖାଦ୍ୟର ବିଭିନ୍ନ ପ୍ରକାର ଜୀବଙ୍କ ଅଂଶ ବାହାରିଥିବା ଶୁଣିଥିବେ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁରର ବିଲହୌର ଅଞ୍ଚଳସ୍ଥ ଏକ ଢାବାରୁ ମଗାଯାଇଥିବା ରୁଟିରେ ମଲା ଝିଟିପିଟି ଦେଖିବାକୁ ମିଳିଛି। ଯାହାକୁ କେନ୍ଦ୍ରକରି ଢାବାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଖବର ନେବାରୁ ଜଣାପଡ଼ିଛି ଯେ, ଭବାନୀପୁର ଜିଟି ରୋଡରେ ଅବସ୍ଥିତ ବାଜପେୟୀ ରମୈୟା ଢାବା ଏକ ପ୍ରସିଦ୍ଧ ଢାବା। ଗତ ୮ ତାରିଖରେ ଏହି ଢାବାରେ ଖାଉଥିବା ବେଳେ ଜଣେ ଗ୍ରାହକଙ୍କ ତନ୍ଦୁରି ରୁଟିରେ ଏକ ମଲା ଝିଟିପିଟି ଦେଖିବାକୁ ମିଳିଥିଲା। ଯାହାକୁ କେନ୍ଦ୍ରକରି ଢାବା ମାଲିକଙ୍କ ସହ ଗ୍ରାହକଙ୍କ ପାଟିତୁଣ୍ଡ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ଢାବା ମାଲିକଙ୍କ ସମେତ ରୁଟି ପ୍ରସ୍ତୁତ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଢାବା ପରିଚାଳକ କର୍ମଚାରୀଙ୍କ ଭୁଲକୁ ସ୍ୱୀକାର କରି ଗ୍ରାହକଙ୍କୁ କ୍ଷମା ମାଗିଛନ୍ତି। ଦ୍ୱିତୀୟଥର ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡ଼ିଛି।
ଅପରପକ୍ଷେ ଭାଇରାଲ ଭିଡିଓ ପରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଢାବାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଢାବାର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା। ରୋଷେଇ ଘରେ ମଇଳା ଗଦା ଥିଲା, ପାତ୍ର ଏବଂ ରୋଷେଇ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇ ନ ଥିବା ଜଣାପଡ଼ିଥିଲା। ଏହାସହିତ, କୀଟପତଙ୍ଗ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ଯେପର୍ଯ୍ୟନ୍ତ ଢାବାର ସଫାସୁତରାରେ ଉନ୍ନତି ଆସି ନାହିଁ ସେ ପର୍ଯ୍ୟନ୍ତ ଢାବାକୁ ସିଲ କରି ଦିଆଯାଇଥିବା ଯାଞ୍ଚ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ଏବେ ରାଜ୍ୟରେ ୩୫୧ ସେକ୍ସ ନେଟୱର୍କ ଅପରେଟ୍‌ କରୁଛି। ଯାହା ମାଧ୍ୟମରେ ଲୋକେ ସେକ୍ସ କାରବାର କରୁଛନ୍ତି। ବିଶେଷକରି ୱେବ୍‌ସାଇଟ୍‌, ଆପ୍‌, ମସାଜ ସେଣ୍ଟର ଓ ଅନ୍ୟ ଯୋଗାଯୋଗ ମାଧ୍ୟମରେ ଏହି ନେଟ୍‌ୱର୍କ ଅପରେଟ କରୁଛି।
ଏହି ନେଟ୍‌ୱାର୍କ ଦୀର୍ଘଦିନ ହେଲା ଚାଲି ଆସିଥିଲେ ମଧ୍ୟ ତାହା ସରକାରଙ୍କ ନଜରକୁ ଆସିପାରି ନ ଥିଲା। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି(ନାକୋ) ପକ୍ଷରୁ ହୋଇଥିବା ପ୍ରୋଗ୍ରାମଟିକ୍‌ ମ୍ୟାପିଂ ଏଣ୍ଡ ପପୁଲେସନ୍‌ ସାଇଜ୍‌ ଏଷ୍ଟିମେଟ୍‌(ପି-ଏମ୍ପିଏସ୍‌ଇ) ସର୍ଭେରୁ ଏହା ଜଣାପଡ଼ିଛି। ଏବେ ନାକୋ ଏବଂ ଓସାକ୍‌ସ ମାଧ୍ୟମରେ ସେସବୁ ନେଟୱର୍କଗୁଡ଼ିକୁ ସାମିଲ କରି ସଚେତନ କରାଯିବ ବୋଲି ନାକୋ ପକ୍ଷରୁ ଜଣାପଡ଼ିଛି।
ରାଜ୍ୟର ଯେଉଁ ସମ୍ବେଦନଶୀଳ ଜନଗୋଷ୍ଠୀଙ୍କ ଭିତରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ସେହି ହଟ୍‌ସ୍ପଟ୍‌ ଅଞ୍ଚଳକୁ ଚିହ୍ନଟ ଓ ସେମାନଙ୍କ ସଂଖ୍ୟା କେତେ ଜାଣିବା ଲାଗି ପି-ଏମ୍ପିଏସ୍‌ଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ, ପୁରୀ ଜିଲ୍ଲାରେ ସର୍ବାଧିକ ୧୨୪ଜଣ ସେକ୍ସ ଅପରେଟର ରହିଛନ୍ତି।
ପୁରୀ ପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୬୧, କଟକ ୩୨, ଗଞ୍ଜାମ ୨୪, କନ୍ଧମାଳ ୧୪, ନୟାଗଡ଼ ୧୩, ଭଦ୍ରକ ୧୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୯ଟି ସେକ୍ସ ଅପରେଟର ରହିଛନ୍ତି। ୮ଟି ଜିଲ୍ଲାରେ ସେକ୍ସ ନେଟ୍ୱର୍କ ଅପରେଟର ନ ଥିବା ଜଣାପଡିଛି। ସେହିପରି ମହିଳା ଯୌନ କର୍ମୀଙ୍କ ପାଇଁ ୧୯୦, ପୁରୁଷ-ପୁରୁଷ ଯୌନକର୍ମୀ (ଏମ୍‌ଏସ୍‌ଏମ୍‌) ୨୪, ଇଞ୍ଜେକସନ୍‌ରେ ଡ୍ରଗ୍ସ ନେଉଥିବା ବ୍ୟକ୍ତି(ଆଇଡିୟୁ) ୪୬ ଓ ତୃତୀୟଲିଙ୍ଗୀଙ୍କ ପାଇଁ ୯୧ଟି ନେଟ୍‌ୱର୍କ କାମ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୪ ଡିସେମ୍ବର ସୁଦ୍ଧା ଚିହ୍ନଟ ହୋଇଥିବା ୬୩ ହଜାର ୭୪୨ ଏଚ୍‌ଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ୨୦ ହଜାର ୯୩ ୫ଜଣ ମହିଳା ରହିଛନ୍ତି।
୨୦୦୭-୦୮ ମସିହାରେ ହୋଇଥିବା ପି-ଏମ୍ପିଏସ୍‌ଇ ସର୍ଭେରେ ରାଜ୍ୟରେ ୧୬୭୦ଟି ହଟ୍‌ସ୍ପଟ୍‌ ଅଞ୍ଚଳ ରହିଥିଲା। ଅର୍ଥାତ୍‌ ଏହି ଅଞ୍ଚଳଗୁଡିକରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ନୂଆ ପି-ଏମ୍ପିଏସ୍‌ଇ(୨୦୨୩) ସର୍ଭେରେ  ୩୮୫୨ଟି ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି। କିଛିବର୍ଷ ଭିତରେ ହଟ୍‌ସ୍ପଟ୍‌ ଅଞ୍ଚଳ ସଂଖ୍ୟାରେ ୭୬% ବୃଦ୍ଧି ଦେଖିବାକୁ ମିଳିଛି। ଟିଆଇ(ଟାର୍ଗେଟେଡ୍‌ ଇଣ୍ଟରଭେନ୍ସନ୍‌) ମୁଖ୍ୟତଃ ସହରାଞ୍ଚଳରେ କାମ କରୁଥିବା ବେଳେ ଏହା ଜରିଆରେ ଏହି ହଟ୍‌ସ୍ପଟ୍‌ ଅଞ୍ଚଳରେ ସେବା ପ୍ରଦାନ କରାଯାଇଥାଏ। ସେହିପରି ଗ୍ରାମାଞ୍ଚଳର ହଟ୍‌ସ୍ପଟ୍‌ ଅଞ୍ଚଳରେ ଏଲ୍ଡବ୍ଲ୍ୟୁଏସ୍‌ (ଲିଙ୍କ ୱାର୍କର୍ସ ସ୍କିମ) ଜରିଆରେ ସେବା ପ୍ରଦାନ କରାଯାଇଥାଏ। ସର୍ଭେରେ ରାଜ୍ୟର ଗ୍ରାମାଞ୍ଚଳରେ ଏଭଳି ୧୦୩୪ଟି ଅଞ୍ଚଳକୁ ଚିହ୍ନଟ କରାଯାଇଛି।