ରାଜଧାନୀ ରାସ୍ତା କଡ଼ରେ ଆପଣ ଗାଡ଼ି ରଖି କେଉଁଠି ଯାଇଛନ୍ତି କି ? ତାହେଲେ ହଇରାଣ ହେବା ଟା ଥାଏ। ଏମିତି କି ନାକରେ କାନ୍ଦିବାକୁ ପଡିପାରେ।
ରବିବାର ଭୁବନେଶ୍ୱର ସିଆରପି ଛକରେ ଛୋଟ ପିଲା ସହ ଗୋଟିଏ ପରିବାର ଫାଷ୍ଟ ଫୁଡ୍ ଖାଉଥିବା ବେଳେ ତାଙ୍କ ଗାଡ଼ିକୁ ଟୋ’ କରିଥିଲା ଟ୍ରାଫିକ ପୁଲିସ। ଗାଡ଼ି ଟାଣିନେବା ବେଳକୁ ଛୋଟ ପିଲାକୁ ଧରି ଅଧା ଖାଇବାରୁ ଉଠି ଆସିଥିଲେ ପରିବାର। କିନ୍ତୁ ସେତେବେଳକୁ ଗାଡ଼ି ଟାଣି ନେଇଥିଲା ପୁଲିସ। ରାତି ପ୍ରାୟ ୯ ଟା ବେଳକୁ ବଡ ସମସ୍ୟାରେ ପଡ଼ି ଯାଇଥିଲେ ପରିବାର ଲୋକେ। ଏମିତିକି ଗାଡ଼ିରେ ତାଙ୍କ ମୋବାଇଲ୍ ରହି ଯାଇଥିବାରୁ କାହାକୁ ଯୋଗାଯୋଗ ବି କରିପାରି ନ ଥିଲେ। ଦୀର୍ଘ ସମୟ ହଇରାଣ ହେବା ପରେ ଅନ୍ୟଏକ ଅଟୋ କରି ଘରକୁ ଫେରିଥିଲେ।
ଜଣାପଡିଲା ତାହା ଅତ୍ୟନ୍ତ ସାଙ୍ଘାତିକ କଥା। ଟୋଇ ଦାୟିତ୍ବ ନେଇଥିବା ସଂସ୍ଥା ନିଜସ୍ଵ ଏଜେନ୍ସି ଲଗାଇ ଟ୍ରାଫିକ ପୁଲିସକୁ ଖବର ଦେଇଥିଲା। କେବଳ ଗୋଟିଏ ନୁହେଁ ଟୋଇ ଦାୟିତ୍ୱରେ ଥିବା ସଂସ୍ଥା ଦଲାଲକୁ ନିଯୁକ୍ତି ଦେଇ ଏଭଳି କରୁଥିବା କୁହା ଯାଉଛି। ଗୋଟିଏ ପକ୍ଷରେ ରାସ୍ତା କଡ଼ରେ ଫାଷ୍ଟଫୁଡ ଦୋକାନ ଖୋଲିବା ପାଇଁ ବିଏମସି ଅନୁମତି ଦେଉଥିବା ବେଳେ ଟ୍ରାଫିକ ପୁଲିସ ଓ ଟୋଇ ସଂସ୍ଥା ସେଠାରେ ଯନ୍ତା ପକାଇ ଜରିମାନା ଆଦାୟ କରୁଥିବା ଅଭିଯୋଗ ହେଉଛି।

ଭୁବନେଶ୍ବରରେ ଉତ୍ପାତ କଲେଣି ଲୁଟେରା। ଶୁକ୍ରବାର ଦିନ ଦ୍ଵି ପ୍ରହରରେ ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ଦୁଇ ଲକ୍ଷ ୫୫ ହଜାର ଟଙ୍କା। କିଛି ଭାବିବା ଆଗରୁ ହାତରୁ ଚାଲିଗଲା ଝାଳବୁହା ରୋଜଗାର। ଏଭଳି ଦେଖିବାକୁ ମିଳିଛି ଇନ୍ଫୋସିଟି ଅଞ୍ଚଳରେ। ଇନ୍ଫୋସିଟି ଥାନା ଅନ୍ତର୍ଗତ ଖୋଦ୍ ଇନ୍ଫୋସିସ୍ କ୍ୟାମ୍ପସ ଭିତରୁ ଲୁଟେରାମାନେ ଏଭଳି ଲୁଟ କରିଛନ୍ତି।

ଖବର ନେବାରୁ ଜଣାପଡ଼ିଛି ଯେ ଏକ ସିକ୍ୟୁରିଟ ସଂସ୍ଥାର ମୁଖ୍ୟ ଶିଶିର କୁମାର ମହାପାତ୍ର ପୁଅର ନାମ ଲେଖା ଓ ଘର କାମ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଅଫିସକୁ ଆଣୁଥିବା ସମୟରେ ଦୁଇ ଜଣ ଯୁବକ ଏକ କଳା ପଲ୍ସରରେ ତାଙ୍କୁ ପିଛା କରୁଥିଲେ। ସେ କ୍ୟାମ୍ପସ ଭିତରେ ବାଇକ୍ ରଖି ଅଫିସ ଭିତରକୁ ଯିବା ପୂର୍ବରୁ ଲୁଟେରାମାନେ ତାଙ୍କ ହାତରୁ ବ୍ୟାଗ୍ ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ଲୁଟର ଶିକାର ହୋଇଥିବା ଶିଶିର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ଲୁଟରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରିନାହିଁ।
ପ୍ରକାଶ ଥାଉ କି ଗତ କିଛି ଦିନ ଭିତରେ ସୁରକ୍ଷା ବଳୟରେ ଥିବା ଭୁବନେଶ୍ବରରୁ ଲୁଟେରାମାନେ ଗୋଟାକ ପରେ ଗୋଟାଏ ଲୁଟପାଟ କରି ଚାଲିଛନ୍ତି। କିଛି ଦିନ ଭିତରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ଗହଣା ଓ ଟଙ୍କା ଲୁଟି ନେଇଥିବା ବେଳେ ଦ୍ଵିତୀୟ ଥର ତାଙ୍କ ଘରେ ପଶିବାକୁ ଉଦ୍ୟମ ମାରିଥିଲେ। ସେହିଭଳି କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ମଧ୍ୟ ଟଙ୍କା ଦାବି କରି ହତ୍ୟା ଧମକ ଦେଇଛନ୍ତି ଲୁଟେରା।

ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ ଜ୍ବାଇଁ କହି ବଦବଡିଆଙ୍କୁ ଠକୁଥିଲେ ଯୁବକ ଯୁବତୀ

ଭୁବନେଶ୍ୱର, ୩୦/୧୨ (ଓଡ଼ିଶା ଜାଗରଣ): ଠକେଇ ପାଇଁ ଭିନ୍ନ ଭିନ୍ନ ତରିକା ଅସ୍ପାନାଉଛନ୍ତି ଠକ। ରାଜ୍ୟର ପ୍ରତିଷ୍ଠିତ ଲୋକଙ୍କ ନାଁ ନେଇ ଦୀର୍ଘଦିନ ଧରି ଠକେଇ କରି ଆସୁଥିଲେ ଯୁବକ ଯୁବତୀ। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବୋଲି କହି ଠକେଇ କରୁଥିବା ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ କଳାହାଣ୍ଡିର ହଂସିକା ଅଭିଲିପ୍ସା ଓ ଭୁବନେଶ୍ୱରର ଅନିଲ ମହାନ୍ତି।

ଅନିଲ ଜଣେ ବ୍ୟବସାୟୀ। ତାଙ୍କ ନାଁରେ ଦୁଇଟି ପଞ୍ଜୀକୃତ କମ୍ପାନୀ ମଧ୍ୟ ରହିଛି। ପଟିଆରେ ନିଜର କାର୍ଯ୍ୟାଳୟ ମଧ୍ୟ ଖୋଲିଛନ୍ତି। ଅନିଲଙ୍କ ବନ୍ଧବୀ ହେଉଛନ୍ତି କଳାହାଣ୍ଡି ହଂସିକା। ଉଭୟ ଏବେ ଭୁବନେଶ୍ୱରରେ ରହୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଉଭୟ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ପରିଚୟ ଦେଇ ପ୍ରତିଷ୍ଠିତ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଖାଲି ସେତିକି ନୁହେଁ, ଓଡ଼ିଶାର ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ପରି ବଡ଼ବଡ଼ିଆଙ୍କ ସହିତ ନିଜର ଫଟୋକୁ ଏଡିଟ୍‌ କରି ଦେଖାଉଥିଲେ। ଆଉ ବିଭିନ୍ନ ଉପାୟରେ ଠକି ନେଉଥିଲେ କୋଟିକୋଟି ଟଙ୍କା। ପୁଲିସ ଅଭିଯୋଗ କ୍ରମେ ତଦନ୍ତ କରୁଛି।