କିଛିଦିନର ବିରତି ପରେ ସାରା ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଗୁରୁବାର ୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।
ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଠାରେ ୪୧.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରୀରେ ପହଞ୍ଚିଛି। ଆଜିଠାରୁ ୩ ଦିନ ଧରି ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆହୁରି କୁହାଯାଇଛି ଯେ ୨୮ ତାରିଖରେ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀରେ ପହଞ୍ଚିବାର ଆଶଙ୍କା ରହିଛି। କଟକ ଓ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ପାରଦ ୪୦ ଡିଗ୍ରୀ ପାଖାପାଖି ରହିବ। ୨୯ ଓ ୩୦ ତାରିଖରେ ତାତି ଆହୁରି ବଢ଼ିବ। ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ରାଉରକେଲା, ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରୀ ଟପିବାକୁ ଥିବା ବେଳେ ସମ୍ବଲପୁର, ବୌଦ୍ଧ, ସୋନପୁର, ଟିଟିଲାଗଡ଼ ଓ ଭାବାନୀପାଟଣାରେ ୪୨ ଡିଗ୍ରୀ ଛୁଇଁବାର୍ ସମ୍ଭାବନା ରହିଛି।


