TT Ads
ଏବେ ରାଜ୍ୟରେ ୩୫୧ ସେକ୍ସ ନେଟୱର୍କ ଅପରେଟ୍‌ କରୁଛି। ଯାହା ମାଧ୍ୟମରେ ଲୋକେ ସେକ୍ସ କାରବାର କରୁଛନ୍ତି। ବିଶେଷକରି ୱେବ୍‌ସାଇଟ୍‌, ଆପ୍‌, ମସାଜ ସେଣ୍ଟର ଓ ଅନ୍ୟ ଯୋଗାଯୋଗ ମାଧ୍ୟମରେ ଏହି ନେଟ୍‌ୱର୍କ ଅପରେଟ କରୁଛି।
ଏହି ନେଟ୍‌ୱାର୍କ ଦୀର୍ଘଦିନ ହେଲା ଚାଲି ଆସିଥିଲେ ମଧ୍ୟ ତାହା ସରକାରଙ୍କ ନଜରକୁ ଆସିପାରି ନ ଥିଲା। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି(ନାକୋ) ପକ୍ଷରୁ ହୋଇଥିବା ପ୍ରୋଗ୍ରାମଟିକ୍‌ ମ୍ୟାପିଂ ଏଣ୍ଡ ପପୁଲେସନ୍‌ ସାଇଜ୍‌ ଏଷ୍ଟିମେଟ୍‌(ପି-ଏମ୍ପିଏସ୍‌ଇ) ସର୍ଭେରୁ ଏହା ଜଣାପଡ଼ିଛି। ଏବେ ନାକୋ ଏବଂ ଓସାକ୍‌ସ ମାଧ୍ୟମରେ ସେସବୁ ନେଟୱର୍କଗୁଡ଼ିକୁ ସାମିଲ କରି ସଚେତନ କରାଯିବ ବୋଲି ନାକୋ ପକ୍ଷରୁ ଜଣାପଡ଼ିଛି।
ରାଜ୍ୟର ଯେଉଁ ସମ୍ବେଦନଶୀଳ ଜନଗୋଷ୍ଠୀଙ୍କ ଭିତରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ସେହି ହଟ୍‌ସ୍ପଟ୍‌ ଅଞ୍ଚଳକୁ ଚିହ୍ନଟ ଓ ସେମାନଙ୍କ ସଂଖ୍ୟା କେତେ ଜାଣିବା ଲାଗି ପି-ଏମ୍ପିଏସ୍‌ଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ, ପୁରୀ ଜିଲ୍ଲାରେ ସର୍ବାଧିକ ୧୨୪ଜଣ ସେକ୍ସ ଅପରେଟର ରହିଛନ୍ତି।
ପୁରୀ ପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୬୧, କଟକ ୩୨, ଗଞ୍ଜାମ ୨୪, କନ୍ଧମାଳ ୧୪, ନୟାଗଡ଼ ୧୩, ଭଦ୍ରକ ୧୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୯ଟି ସେକ୍ସ ଅପରେଟର ରହିଛନ୍ତି। ୮ଟି ଜିଲ୍ଲାରେ ସେକ୍ସ ନେଟ୍ୱର୍କ ଅପରେଟର ନ ଥିବା ଜଣାପଡିଛି। ସେହିପରି ମହିଳା ଯୌନ କର୍ମୀଙ୍କ ପାଇଁ ୧୯୦, ପୁରୁଷ-ପୁରୁଷ ଯୌନକର୍ମୀ (ଏମ୍‌ଏସ୍‌ଏମ୍‌) ୨୪, ଇଞ୍ଜେକସନ୍‌ରେ ଡ୍ରଗ୍ସ ନେଉଥିବା ବ୍ୟକ୍ତି(ଆଇଡିୟୁ) ୪୬ ଓ ତୃତୀୟଲିଙ୍ଗୀଙ୍କ ପାଇଁ ୯୧ଟି ନେଟ୍‌ୱର୍କ କାମ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୪ ଡିସେମ୍ବର ସୁଦ୍ଧା ଚିହ୍ନଟ ହୋଇଥିବା ୬୩ ହଜାର ୭୪୨ ଏଚ୍‌ଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ୨୦ ହଜାର ୯୩ ୫ଜଣ ମହିଳା ରହିଛନ୍ତି।
୨୦୦୭-୦୮ ମସିହାରେ ହୋଇଥିବା ପି-ଏମ୍ପିଏସ୍‌ଇ ସର୍ଭେରେ ରାଜ୍ୟରେ ୧୬୭୦ଟି ହଟ୍‌ସ୍ପଟ୍‌ ଅଞ୍ଚଳ ରହିଥିଲା। ଅର୍ଥାତ୍‌ ଏହି ଅଞ୍ଚଳଗୁଡିକରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ନୂଆ ପି-ଏମ୍ପିଏସ୍‌ଇ(୨୦୨୩) ସର୍ଭେରେ  ୩୮୫୨ଟି ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି। କିଛିବର୍ଷ ଭିତରେ ହଟ୍‌ସ୍ପଟ୍‌ ଅଞ୍ଚଳ ସଂଖ୍ୟାରେ ୭୬% ବୃଦ୍ଧି ଦେଖିବାକୁ ମିଳିଛି। ଟିଆଇ(ଟାର୍ଗେଟେଡ୍‌ ଇଣ୍ଟରଭେନ୍ସନ୍‌) ମୁଖ୍ୟତଃ ସହରାଞ୍ଚଳରେ କାମ କରୁଥିବା ବେଳେ ଏହା ଜରିଆରେ ଏହି ହଟ୍‌ସ୍ପଟ୍‌ ଅଞ୍ଚଳରେ ସେବା ପ୍ରଦାନ କରାଯାଇଥାଏ। ସେହିପରି ଗ୍ରାମାଞ୍ଚଳର ହଟ୍‌ସ୍ପଟ୍‌ ଅଞ୍ଚଳରେ ଏଲ୍ଡବ୍ଲ୍ୟୁଏସ୍‌ (ଲିଙ୍କ ୱାର୍କର୍ସ ସ୍କିମ) ଜରିଆରେ ସେବା ପ୍ରଦାନ କରାଯାଇଥାଏ। ସର୍ଭେରେ ରାଜ୍ୟର ଗ୍ରାମାଞ୍ଚଳରେ ଏଭଳି ୧୦୩୪ଟି ଅଞ୍ଚଳକୁ ଚିହ୍ନଟ କରାଯାଇଛି।
OJ Ads

Leave a Reply

Your email address will not be published. Required fields are marked *