ପିଲା ଖେଳୁଥିଲେ। ଖେଳୁ ଖେଳୁ କାର୍ ଭିତରେ ପଶିଗଲେ ଆଉ ବାହାରିପାରିଲେ ନାହିଁ। ସେମାନେ ଜାଣି ନ ଥିଲେ ତାହା ତାଙ୍କର ଶେଷ ଖେଳ ଥିଲା। ଯେଉଁ ଖେଳ ପାଇଁ ତାଙ୍କୁ ଜୀବନ ଦେବାକୁ ପଡ଼ିଲା।
ଏଭଳି ୪ ଜଣ ଶିଶୁ କାର୍ ଭିତରେ ପଶି ଖେଳୁ ଖେଳା ତାହା ଲକ୍ ହୋଇଯାଇଥିଲା। ଆଉ ଖୋଲି ବାହାରିପାରି ନ ଥିଲେ। ଶେଷରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ଅଭାବନୀୟ ଏବଂ ମର୍ମନ୍ତୁଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଜୟନଗରମର ଦ୍ୱାରପୁରୀ ଗାଁରେ।
ଖବର ନେବାରୁ ଜଣାପଡ଼ିଛି ଯେ, ରବିବାର ସକାଳେ ପିଲାମାନେ ଖେଳିବା ପାଇଁ ଘରୁ ବାହାରିଥିଲେ। ପିଲାମାନେ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ମିଳି ନ ଥିଲା। ଶେଷରେ ସମସ୍ତଙ୍କ ମୃତଦେହ ଏକ ବନ୍ଦ କାର ଭିତରେ ମିଳିଥିଲା। ପରେ ଜଣାପଡିଲା ଯେ କାରଟି ଗାଁର ମହିଳା ସମ୍ପ୍ରଦାୟ କେନ୍ଦ୍ରର ପାର୍କିଂ ସ୍ଥାନରେ ରଖାଯାଇଥିଲା।
ପିଲାମାନେ ଖେଳୁଥିବା ସମୟରେ ଗାଡ଼ିରେ ବସିଥିଲେ ଏବଂ ଗାଡ଼ିର ଡୋର୍ ହଠାତ୍ ବନ୍ଦ ହୋଇଯାଇଥିଲା। କାରର ସମସ୍ତ କାଚ ମଧ୍ୟ ବନ୍ଦ ଥିଲା। ଏପରି ପରିସ୍ଥିତିରେ, ପିଲାମାନଙ୍କୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିଲା ନାହିଁ, ଯାହା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁବରଣ କରିଥିବା ପିଲାମାନେ ହେଉଛନ୍ତି ୮ ବର୍ଷର ଉଦୟ, ୮ ବର୍ଷର ଚାରୁମତୀ, ୬ ବର୍ଷର କରିଶ୍ମା ଏବଂ ମନସ୍ୱିନୀ। ପିଲାମାନଙ୍କ ମୃତ୍ୟୁ ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ନେବାରୁ ଜଣାପଡ଼ିଛି ଯେ, ସମସ୍ତ ପିଲାମାନେ ଗାଁରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ।
ଘଟଣାସ୍ଥଳରେ ମୋଟ ୯ ଜଣ ପିଲା ଖେଳୁଥିଲେ। ତେବେ ଖେଳୁଥିବା ସମୟରେ, ଏହି ଚାରି ଜଣ ପିଲା ଗାଡ଼ିରେ ବସିଗଲେ ଏବଂ ଡୋର୍ ଲକ୍ ହୋଇଯାଇଥିଲା। ପିଲାମାନେ ଶ୍ୱାସରୁଦ୍ଧ ହୋଇ ଜୀବନ ହାରିଦେଇଛନ୍ତି। ତେବେ ଗାଡି ମାଲିକ କିଏ ସେନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।


