ଏକଦା ବଲିଉଡର ଭାରତ କୁମାର ଭାବେ ପରିଚିତ ଅଭିନେତା ମନୋଜ କୁମାରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ହୃଦଘାତଜନିତ ଜଟିଳତା ଯୋଗୁଁ ଭୋର୍ ସାଢ଼େ ୩ ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।
‘ପୂର୍ବ ଔର ପଶ୍ଚିମ’ ଏବଂ ‘କ୍ରାନ୍ତି’ ଭଳି ଦେଶପ୍ରେମୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ଥିଲେ ବରିଷ୍ଠ ଅଭିନେତା ମନୋଜ କୁମାର। ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ଡାକ୍ତରୀ ପ୍ରମାଣପତ୍ର ଅନୁସାରେ ମୃତ୍ୟୁର ଦ୍ୱିତୀୟ କାରଣ ହେଉଛି ଡିକମ୍ପେନସେଟେଡ୍ ଲିଭର ସିରୋସିସ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ X (ପୂର୍ବରୁ ଟ୍ୱିଟର) ରେ “ପ୍ରସିଦ୍ଧ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା” ଙ୍କ ମୃତ୍ୟୁ ଖବର ପୋଷ୍ଟ କରିଛନ୍ତି। ପ୍ରବୀଣ ଅଭିନେତାଙ୍କ ସହ ଦୁଇଟି ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ସେ ଭାରତୀୟ ସିନେମାର ଜଣେ ପ୍ରତୀକ ଥିଲେ, ଯାହାଙ୍କୁ ବିଶେଷ ଭାବରେ ତାଙ୍କର ଦେଶପ୍ରେମର ଉତ୍ସାହ ପାଇଁ ମନେ ରଖାଯାଇଥିଲା। ଯାହା ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ପ୍ରତିଫଳିତ ହୋଇଥିଲା।
ମନୋଜ ଜୀଙ୍କ କାର୍ଯ୍ୟ ଜାତୀୟ ଗର୍ବର ଭାବନାକୁ ପ୍ରଜ୍ବଳିତ କରିଥିଲା ଏବଂ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେବ। ଏହି ଦୁଃଖର ମୁହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ସହିତ ଅଛି। ୧୯୩୬ ମସିହା ଜୁଲାଇ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଅଭିନୟ ପାଇଁ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।


