ବିଭିନ୍ନ ସମୟରେ ନିଷ୍କ୍ରିୟ ନମ୍ବରକୁ ବ୍ୟବହାର କରି ସାଇବର ଠକ ମାନେ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ନିମିଷକ ମଧ୍ୟରେ ଖାଲି କରି ଦିଅନ୍ତି। ତେଣୁ ସାଇବର ଠକେଇରେ ରୋକ ଲଗାଇବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। କେତେକ ଫୋନ୍ ନମ୍ବରରୁ ୟୁପିଆଇ କାରବାର ବନ୍ଦ କରାଯାଇଛି।
ଆସନ୍ତା ପହିଲାରୁ କେତେକ ମୋବାଇଲ୍ ନମ୍ବରଗୁଡ଼ିକରେ ବନ୍ଦ ହୋଇଯିବ ୟୁପିଆଇ ସେବା। ସେହି ମୋବାଇଲରେ ଟଙ୍କା ପଠାଇ ହେବ ନାହିଁ। ତେବେ ସବୁ ନମ୍ବରରେ ନୁହେଁ କେବଳ ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକରେ ୟୁପିଆଇ ସେବା ଆଉ କାମ କରିବ ନାହିଁ। ଜାଲିଆତି ଏବଂ ଅନଧିକୃତ କାରବାରକୁ ରୋକିବା ପାଇଁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ), ବ୍ୟାଙ୍କ ଏବଂ ପେମେଣ୍ଟ୍ ସେବା ପ୍ରଦାନକାରୀ (ପିଏସପି)ଗୁଡ଼ିକୁ ଏପରି ନମ୍ବରଗୁଡ଼ିକୁ ଡିଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛି।
ୟୁପିଆଇ ସହିତ ଲିଙ୍କ୍ ହୋଇଥିବା ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକ ସୁରକ୍ଷା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ବ୍ୟବହାରକାରୀମାନେ ସେମାନଙ୍କର ନମ୍ବର ପରିବର୍ତ୍ତନ କଲେ କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ ନମ୍ବରକୁ ବ୍ୟବହାର ନକଲେ ବି ସେମାନଙ୍କର ୟୁପିଆଇ ଆକାଉଣ୍ଟଗୁଡ଼ିକ ପ୍ରାୟତଃ ସକ୍ରିୟ ରହିଥାଏ। ଏହା ଦ୍ବାରା ଅନ୍ଲାଇନ୍ ଠକ ଫାଇଦା ଉଠାନ୍ତି। ଏହାକୁ ରୋକିବା ପାଇଁ, ଏନପିସିଆଇର ନିର୍ଦ୍ଦେଶ ଅନୁଯାୟୀ, ଗୁଗୁଲ ପେ’, ଫୋନ୍ପେ’ ଏବଂ ପେଟିଏମ ପରି ବ୍ୟାଙ୍କ ଓ ପେମେଣ୍ଟ ଆପ୍ ଏବେ ୟୁପିଆଇ ସିଷ୍ଟମରୁ ନିଷ୍କ୍ରିୟ ନମ୍ବରଗୁଡ଼ିକୁ ହଟାଇବେ।



