ପଡୋଶୀ ରାଜ୍ୟ ତୁଳନାରେ ଭାରତୀୟମାନେ ଖୁସିରେ ନାହାନ୍ତି। ଏଭଳି ଏକ ତଥ୍ୟ ଆସିଛି ୱାର୍ଲ୍ଡ ହାପିନେସ ସର୍ଭେ ରିପୋର୍ଟରେ। ଏମିତି କି ଶତ୍ରୁ ଦେଶ ପାକିସ୍ତାନ ଓ ନେପାଳ ଭଳି ପଡୋଶୀ ରାଷ୍ଟ୍ର ତୁଳନାରେ ଭାରତୀୟ ମାନେ କମ୍ ଖୁସିରେ ରହୁଥିବା ରିପୋର୍ଟରୁ ଜଣା ପଡ଼ିଛି।
ଖୁସି ଦେଶର ତାଲିକାର ୧୪୭ ଦେଶ ଭିତରୁ ପୁନଶ୍ଚ ଫିନଲାଣ୍ଡ ବିଶ୍ବର ସବୁଠୁ ଖୁସି ଦେଶ ଭାବେ ଶୀର୍ଷରେ ଥିବା ବେଳେ ଆମ ଭାରତ ୧୧୮ତମ ସ୍ଥାନରେ ରହିଛି। ପୂର୍ବବର୍ଷ ୧୨୬ତମ ସ୍ଥାନରେ ଥିବା ବେଳେ ଏଥର ସାମାନ୍ୟ ଅଗ୍ରଗତି କରିଛି। ଖୁସି ଦେଶର ତାଲିକାରେ ଭାରତର ଏ ସ୍ଥାନ ହିଁ ଦର୍ଶାଉଛି ଭାରତୀୟମାନେ ଖୁସିରେ ନାହାନ୍ତି। ଦେଶର ଲୋକେ ଦୁଃଖରେ ଅଛନ୍ତି, ଚିନ୍ତାରେ ଅଛନ୍ତି।
ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଯୁଦ୍ଧର ଘନଘଟା ଭିତରେ କାଳତିପାତ କରୁଥିବା, ଅହରହ ବୋମା-ବିସ୍ଫୋରଣ ଏବଂ ଗୁଳିର ଗର୍ଜନ ଶୁଣି ଜୀବନ ବିତାଉଥିବା ୟୁକ୍ରେନର ଲୋକେ ଖୁସିରେ ଅଛନ୍ତି। ଖୁସିର ତାଲିକାରେ ଭାରତ ଠାରୁ ୟୁକ୍ରେନ ଆଗରେ ରହିଛି। ଖାଲି କଣ ସେତିକି ଆର୍ଥିକ ସ୍ଥିତି ପାଇଁ କାଙ୍ଗାଳ କୁହାଯାଉଥିବା ପାକିସ୍ତାନ ବି ଖୁସିର ଦେଶ ତାଲିକାରେ ଭାରତ ଠାରୁ ଢେର ଆଗରେ ରହିଛି।
ଇରାକ, ଇରାନ, ପାକିସ୍ତାନ, ୟୁକ୍ରେନ, ପାଲେଷ୍ଟାଇନ, ଉଗାଣ୍ଡା, ମୋଜାମ୍ବିକ ଦେଶ ଠାରୁ ପଛରେ ରହିଛି ଭାରତ। ଆମର ପଡ଼ୋଶୀ ଦେଶଗୁଡ଼ିକର ରାଙ୍କିଙ୍ଗକୁ ବିଚାରକୁ ନେଲେ ଜଣାଯାଇଛି ଯେ, ନେପାଳ ୯୨ତମ, ପାକିସ୍ତାନ ୧୦୯ତମ, ଚୀନ ୬୮ତମ ସ୍ଥାନରେ ରହି ଭାରତ ଠାରୁ ଆଗରେ ରହିଛନ୍ତି ।
ଶ୍ରୀଲଙ୍କା ଓ ବାଂଲାଦେଶ ଆମ ଠାରୁ ପଛରେ ଅର୍ଥାତ୍ ଯଥାକ୍ରମେ ୧୩୩ତମ ଏବଂ ୧୩୪ତମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ୱର ଖୁସି ରାଙ୍କିଙ୍ଗରେ ସବୁଠୁ ପଛରେ ୧୪୭ତମ ସ୍ଥାନରେ ରହିଛି। ଆଫଗାନିସ୍ତାନର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବାରୁ ଆଫଗାନିସ୍ତାନ ପଛରେ ପଡ଼ିଛି।



