କଥାରେ ଅଛି ଷଣ୍ଢ, ମାଇଲେ ମଲ, ଷଣ୍ଢ ମାଇଲେ ମଲ। ଅର୍ଥାତ୍ ଷଣ୍ଢକୁ ଯଦି କିଏ ମାରେ ଯେ ଯେତିକି ଅସୁବିଧାରେ ପଡେ଼ ଷଣ୍ଢ ଯଦି କାହାକୁ ମାରିଦିଏ ତେବେ ସେ ବି ମୃତ୍ୟୁବରଣ କରେ। ଏବେ ଏଭଳି ଏକ ପରିସ୍ଥିତି ଦେଖାଦେଇଛି ଭୁବନେଶ୍ୱର ବରିମୁଣ୍ଡ ଅଞ୍ଚଳର ରୋକଟ ଗ୍ରାମରେ।
ଅଞ୍ଚଳରେ ଗତ କିଛିଦିନ ଧରି ଏକ ଶଣ୍ଢ ଉତ୍ପାତ କରୁଥିଲା। ଯେଉଁଥିରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଥିଲେ। କ୍ଷେତ ନଷ୍ଟ କରିବାଠାରୁ ଆରମ୍ଭ କରି ଯାହାକୁ ଦେଖୁଥିଲା ମାରିବାକୁ ଗୋଡ଼ାଉଥିଲା। ଗତକାଲି ଷଣ୍ଢଟି ସ୍ଥାନୀୟ ରୋକଟର ହେମଲତା ଦାସ ନାମ୍ନୀ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏମିତି କି ଷଣ୍ଢଟିକୁ କାବୁ କରିବା ପାଇଁ ରାସ୍ତାରେ ମହିଳାଙ୍କ ମୃତଦେହ ରଖି ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଥିଲେ ଏବଂ ଆଜି ରାସ୍ତାରୋକ କରିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ସ୍ୱେଚ୍ଛାସେବାମାନେ ମିଶି ଷଣ୍ଢକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ପ୍ରାୟ ୫ ଘଣ୍ଟାର ଉଦ୍ୟମ ପରେ ଲୋକେ ଷଣ୍ଢକୁ କାବୁ କରିଥିଲେ। ହେଲେ କାବୁ ହେବା ସମୟରେ ଷଣ୍ଢଟିର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଅଞ୍ଚଳବାସୀ ପୂଜାର୍ଚ୍ଚନା କରି ଷଣ୍ଢଟିର ଅନ୍ତିମ ସଂସ୍କାର କରିଛନ୍ତି।


