ଭୋଟରଙ୍କୁ ମନେଇବାରେ ତିନି ଦଳ ଲାଗି ପଡ଼ିଥିବା ବେଳେ ଓଡ଼ିଶାରୁ ମାଳମାଳ ନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶତାଧିକ ଓଡ଼ିଆଙ୍କୁ ନେଇ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି।
ଏପରିସ୍ଥଳେ ଆମ୍ ଜନତାଙ୍କ ଉପରେ ଭରସା କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଦଳର ଓଡ଼ିଶା ରାଜ୍ୟ ସଭାପତି ଏବେ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରଚାରରେ ଲାଗି ପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରମୁଖ ୧୦ ଟି ପ୍ରବାସୀ ଓଡ଼ିଆ ସଂଗଠନ ସହ ଆଲୋଚନା କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଲାଗି ପଡିଛନ୍ତି। ଓଡ଼ିଶାରେ ଥିବା ୫ ହଜାରରୁ ଅଧିକ ଆପ କର୍ମୀ ଏବେ ଦିଲ୍ଲୀରେ ଓଡ଼ିଆଙ୍କୁ ମନାଇବାରେ ଲାଗିଛନ୍ତି। ଦିଲ୍ଲୀର ପ୍ରମୁଖ ୧୦ ଟି ନିର୍ବାଚନ ମଣ୍ଡଳୀରେ ରହୁଥିବା ୮ ଲକ୍ଷରୁ ଅଧିକ ଓଡ଼ିଆଙ୍କୁ ବିଭିନ୍ନ ଉପାୟରେ ବୁଝାଇବାରେ ଲାଗିଛନ୍ତି ଦଳୀୟ କର୍ମୀମାନେ। କସ୍ତୁରବା ନଗର ବିଧାନସଭାରେ ଦଳର ପ୍ରଚାର ବେଳେ ଶ୍ରୀ ମହାପାତ୍ର ବିଜେପି ଓ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ଅନ୍ୟଦଳ ବଡବଡିଆ ଲୋକଙ୍କୁ ଟାର୍ଗେଟ କରିଥିବା ବେଳେ ଆମେ ଦିଲ୍ଲୀରେ ରହୁଥିବା ଆମ୍ ଆଦମୀ ବା ସାଧାରଣ ଲୋକଙ୍କ କଥା ବୁଝି ଆସୁଛି।
ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀର ନିର୍ବାଚନୀ ମାହୋଲ ଦିନକୁ ଦିନ ସେତେ ସରଗରମ ହେବାରେ ଲାଗିଛି। ସବୁଠୁ ରୋଚକ କଥା ହେଉଛି କେବଳ ଆପ ନୁହେଁ ଅନ୍ୟ ଦଳଗୁଡ଼ିକ ମଧ୍ୟ ଓଡ଼ିଆ ଭୋଟରଙ୍କୁ ଟାର୍ଗେଟ କରି ନିର୍ବାଚନ ପ୍ରଚାରର ଖସଡ଼ା ପ୍ରସ୍ତୁତ କରିଛନ୍ତି।
କସ୍ତୁରବା ନଗର ବିଧାନସଭା ନିର୍ବାଚନରେ ଆଜି ସବୁ ଦଳର ପ୍ରାର୍ଥୀଙ୍କ ପ୍ରଚାର ଚାଲିଥିବା ବେଳେ ବଡ ରୋଚକ ସ୍ଥିତି ଥିଲା ଓଡ଼ିଆଙ୍କୁ ନେଇ। ମାଳ ମାଳ ଓଡ଼ିଆ ପ୍ରଚାରପତ୍ର ଧରି ବୁଲୁଥିଲେ। କେତେକ ଓଡ଼ିଆରେ ଲିଖିତ ପ୍ରଚାରପତ୍ର ମଧ୍ୟ ଦେଖିବାକୁ ମିଳିଥିଲା।
ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ରମେଶ ପହେଲବାନ ପ୍ରତିଟି ଓଡ଼ିଆଙ୍କୁ କୃତଜ୍ଞତା ଜଣାଇଥିଲେ। ସେହିଭଳି ଓଡ଼ିଆ ଭୋଟରଙ୍କ ନିକଟତର କରାଇବା ଓ ସେମାନଙ୍କର ବିପୁଳ ସମର୍ଥନ ଯୋଗାଇଦେବା ପାଇଁ ସେ ନିବେଦନ କରିଥିଲେ।
ବିଶେଷକରି କସ୍ତୁରବା ନଗର ଅଞ୍ଚଳରେ ମାରାଥନ ପ୍ରଚାର ମାଧ୍ୟମରେ ପାର୍ଟିର ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଦଳର ବିଧାୟକ ମଦନ ଲାଲ ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ କିପରି ପୂର୍ବ ଦିନରେ କାର୍ଯ୍ୟ କରି ଆସିଛନ୍ତି ସେ ସମ୍ପର୍କରେ ବୁଝାଇ ଭୋଟରଙ୍କ ସମର୍ଥନ ହାସଲ କରୁଥିବାର ଦେଖାଯାଉଛି।

ଗତକାଲି କସ୍ତୁରବା ନଗର ଅଞ୍ଚଳରେ ଶତାଧିକ ପ୍ରବାସୀ ଓଡ଼ିଆ ଭୋଟରଙ୍କୁ ଏକାଠି କରି ଆମ୍ ଆଦମୀ ପାର୍ଟି ଆଗାମୀ ଦିନରେ ଓଡ଼ିଆଙ୍କ ସ୍ବାର୍ଥ ପାଇଁ ଆହୁରି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।


