ପୂର୍ବ ସରକାର ସମୟରେ ଯେଉଁ କଥା କେବଳ ଚର୍ଚ୍ଚାରେ ଥିଲେ ଏହି ସରକାର ସମୟରେ ତାହା ଖୋଦ୍ ମନ୍ତ୍ରୀ ହିଁ ସ୍ବୀକାର କରିଛନ୍ତି।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଟନୀ ଛଟନୀକୁ ନେଇ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ବାବୁରାଜ୍ ଚାଲିଥିବା ସ୍ପଷ୍ଟ ହୋଇଛି। ଶ୍ରୀ ପାତ୍ର କହିଛନ୍ତି ଯେ ସେ କଟନୀ ଛଟନିକୁ ବିରୋଧ କରୁଛନ୍ତି। କିନ୍ତୁ ଆଇଏଏସ ଅଫିସର ମନ୍ତ୍ରୀଙ୍କୁ କହୁଛନ୍ତି ଚାଷୀ ଓ ମିଲରଙ୍କ ଭିତରେ ମୁଣ୍ଡ ପୂରାନ୍ତୁ ନାହିଁ। ଅପରପକ୍ଷେ ମିଲରଙ୍କ କହିବାନୁଯାୟୀ ଚାଷୀ ଲାଭ ପାଇଲେ ଆମେ କଣ ପାଇବୁ। ଉପରିସ୍ଥଳେ ଅଫିସରଙ୍କ ରାଜ ଚାଲିଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ସେହିଭଳି ଆଗକୁ ଅଫିସରଙ୍କ ରାଜୁତି ଚାଲିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର।
ମନ୍ତ୍ରୀଙ୍କ କଥା ଅଫିସର୍ ନ ମାନିବା ଦୁର୍ଭାଗ୍ୟଜନକ : ବିଜେଡି
ତେବେ ଏଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ଅଫିସର୍ ମନ୍ତ୍ରୀଙ୍କ କଥା ନ ମାନିବା ଓ ମନ୍ତ୍ରୀଙ୍କୁ ପରାମର୍ଶ ଦେବା ଦୁର୍ଭାଗ୍ୟଜନକ କଥା। ମନ୍ତ୍ରୀଙ୍କୁ କେବଳ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ ପାରିବେ। ଯଦି ଅଫିସର୍ ମନ୍ତ୍ରୀଙ୍କ କଥା ମାନୁ ନ ଥାଆନ୍ତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି କହିଛନ୍ତି ଗଣେଶ୍ୱର। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଓ ଆଲୋଚନା ଏବେ ଜୋର୍ ଧରିଛି।


