ରୋଗ କ’ଣ କେହି ବୁଝିବା ଆଗରୁ ଗୋଟିଏ ଗାଁରେ ନେଲାଣି ୧୭ ଜଣଙ୍କ ଜୀବନ। ଏଯାଏଁ ଏହି ରୋଗରେ ୩୮ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଏଭଳି ଏକ ରହସ୍ୟମୟ ରୋଗକୁ ନେଇ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି ହୋଇଛି। ବଧାଲ ଗାଁରେ ଏଭଳି ଆତଙ୍କ ଖେଳାଇଥିବା ରୋଗ ସମ୍ପର୍କରେ ଟେର ପାଇପାରୁ ନାହାନ୍ତି ଡାକ୍ତର। ଅପରପକ୍ଷେ ଗାଁରେ ରହସ୍ୟମୟ ରୋଗ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ବିନା କାରଣରେ ବଧାଲ ଗାଁରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ଘଟିବା ପରେ ରୋଗକୁ ନେଇ ଆରମ୍ଭ ହୋଇଥିଲା ଭୟ। ଗାଁର ମହମ୍ମଦ ଅସଲାମ ନାମକ ଜଣେ ବ୍ୟକ୍ତିଙ୍କ ବାପା ମା’ଙ୍କ ସମେତ ୬ ଟି ସନ୍ତାନଙ୍କୁ ହରାଇଛନ୍ତି। ସେହିଭଳି ଚିକିତ୍ସାଧୀନ ଅବସ୍ଥାରେ ଜସ୍ମିନ ନାମକ ଜଣେ ନାବାଳିକା ଏସଏମଜିଏସ୍ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ରୋଗ ଚିହ୍ନଟ, ରୋଗର କାରଣ ଓ ପ୍ରତିକାର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧ ଜଣିଆ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି। କମିଟିର ସଦସ୍ୟମାନେ ରବିବାର ଠାରୁ ରଜୌରୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


