TT Ads

ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢ଼ିଛି ଭାରତ। ଭାରତ ଏକ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍‌  ବା ସୁଇସାଇଡ୍‌ ଡ୍ରୋନ୍‌ ନିର୍ମାଣ କରିବାକୁ ଯୋଜନା କରୁଛି। ଯାହା ୯୦୦ କିଲୋମିଟରରୁ ଦୂରରୁ ଶତ୍ରୁପକ୍ଷ ଉପରେ ନିକ୍ଷେପ କରାଯାଇପାରିବ। ଭାରତୀୟ ସେନା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଗ୍ରହୀ କମ୍ପାନୀମାନଙ୍କଠାରୁ ସୂଚନା (ଆର୍‌ଏଫ୍‌ଆଇ) ଆହ୍ୱାନ କରାଯାଇଛି। ଯାହାପରେ ଦେଶର ଅନେକ ପ୍ରତିରକ୍ଷା କମ୍ପାନୀ ଏହି ଦୌଡ଼ରେ ସାମିଲ ହୋଇଛନ୍ତି।

ପ୍ରତିଯୋଗିତାରେ ସବୁଠାରୁ ଆଗରେ ରହିଛି ସ୍ୱଦେଶୀ “ପିନାକା’ ମଲ୍ଟି-ବ୍ୟାରେଲ୍‌ ରକେଟ୍‌ ଲଞ୍ଚର୍‌ ନିର୍ମାଣ କରିଥିବା କମ୍ପାନି। ନାଗପୁରସ୍ଥିତ ସୋଲାର ଇଣ୍ଡଷ୍ଟ୍ରିଜ୍‌ ଏବଂ ଏହାର ସହାୟକ କମ୍ପାନି ଇକୋନୋମିକ୍‌ ଏକ୍ସପ୍‌ଲୋସିଭ୍‌ ଲିମିଟେଡ୍‌ ଏହି ପ୍ରକଳ୍ପ ପାଇଁ ନିଜର ଦାବିଦାରୀ ଜାହିର କରିଛନ୍ତି। ଏହି କମ୍ପାନିଗୁଡ଼ିକ ପୂର୍ବରୁ ପିନାକା ଭଳି ସଫଳ ପ୍ରକଳ୍ପରେ ନିଜର ଦକ୍ଷତା ପ୍ରମାଣିତ କରି ସାରିଥିବା ଜଣାପଡ଼ିଛି।
ଏହି ଆତ୍ମଘାତୀ ଡ୍ରୋନ୍‌, ଯାହାକୁ ‘ଲୋଇଟରିଂ ମ୍ୟୁନିସନ୍‌’ ମଧ୍ୟ କୁହାଯାଏ। ଏହା ଏକାଧାରରେ ଡ୍ରୋନ୍‌ ଓ ମିସାଇଲର କାମ କରିଥାଏ । ଏହା ଶତ୍ରୁ ପକ୍ଷର ଆକାଶରେ ବହୁ ସମୟ ଧରି ଘୂରି ବୁଲିବା ସହ ସଠିକ୍‌ ଲକ୍ଷ୍ୟ ଚିହ୍ନଟ କରି ନିଜେ ହିଁ ଟାର୍ଗେଟ୍‌ ସହ ପିଟି ହୋଇ ତାକୁ ଧ୍ୱଂସ କରିଦେବ । ୯୦୦ କିଲୋମିଟରରୁ ଅଧିକ ରେଞ୍ଜର ଏହି ଡ୍‌ରୋନ୍‌? ଭାରତୀୟ ସେନାକୁ ଶତ୍ରୁ ପକ୍ଷର ଅତି ଗଭୀରରେ ଥିବା ଗୁପ୍ତ ଠିକଣାଗୁଡ଼ିକୁ ମଧ୍ୟ ସଠିକତାର ସହ ନଷ୍ଟ କରିବାରେ ସାହାଯ୍ୟ କରିବ। ବଦଳୁଥିବା ଯୁଦ୍ଧ କୌଶଳରେ ଡ୍ରୋନ୍‌ର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଏହି ପ୍ରକଳ୍ପ ଭାରତର ସାମରିକ ଆଧୁନିକୀକରଣକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

TT Ads

Leave a Reply

Your email address will not be published. Required fields are marked *