ଷ୍ଟାଲିନ୍ ଏକ ସରକାରୀ ହସ୍ପିଟାଲ୍ ଉଦ୍ଘାଟନ କରିବା ପାଇଁ ଉଦ୍ଧଗମଣ୍ଡଲମ୍ (ଉଟି)ରେ ଥିଲେ ମଧ୍ୟ ସେ ରାମେଶ୍ୱରମ୍ରେ ଚାଲିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ଯାହାକୁ ନେଇ ତାମିଲନାଡୁରେ ରାଜନୀତି ସରଗରମ ହୋଇଛି। ଏ ନେଇ ବିଜେପି ଷ୍ଟାଲିନଙ୍କୁ ଟାର୍ଗେଟ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମକୁ ଏଡ଼ାଇ ଦେଇଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଆକ୍ରମଣ କରିଛି। ରାମେଶ୍ୱରମରେ, ପ୍ରଧାନମନ୍ତ୍ରୀ ମୋଦୀ ୮୦୦୦ କୋଟିରୁ ଅଧିକ ମୂଲ୍ୟର ଅନ୍ୟାନ୍ୟ ପଦକ୍ଷେପ ଆରମ୍ଭ କରିବା ସହିତ ନୂତନ ପାମ୍ବନ ସେତୁର ଉଦଘାଟନ କରିଥିଲେ।
ଅପରପକ୍ଷେ ଷ୍ଟାଲିନ୍ କହିଛନ୍ତି, ଆମେ ସୀମା ନିର୍ଦ୍ଧାରଣ ଉପରେ ସ୍ମାରକପତ୍ର ଉପସ୍ଥାପନ କରିବା ପାଇଁ ସମୟ ମାଗିଛୁ। ଯେହେତୁ ମୁଁ ଏହି ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛି ତେଣୁ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ସମ୍ଭବ ହେଉନାହିଁ। ଏ ନେଇ ତାଙ୍କୁ ଜଣାଇଛି ଏବଂ ଆମର ମନ୍ତ୍ରୀ ଥାଙ୍ଗମ୍ ଥେନାରାସୁ ଏବଂ ରାଜା କନ୍ନପନଙ୍କୁ ସେଠାରେ ରହିବା ପାଇଁ କୁହାଯାଇଛି ବୋଲି ଷ୍ଟାଲିନ କହିଛନ୍ତି।
ଏହି ବୈଠକ ମାଧ୍ୟମରେ ଏବଂ ଆପଣଙ୍କ (ଗଣମାଧ୍ୟମ ) ମାଧ୍ୟମରେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ସୀମା ନିର୍ଦ୍ଧାରଣର ଆଶଙ୍କା ଦୂର କରିବାକୁ ଅନୁରୋଧ କରିଛନ୍ତି ଷ୍ଟାଲିନ୍।
ଅନ୍ନାମଲାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଷ୍ଟାଲିନ ଉପସ୍ଥିତ ନ ରହିବା ଦୁଃଖର ବିଷୟ।
ସେ (ମୁଖ୍ୟମନ୍ତ୍ରୀ) ଯେଉଁ କାରଣ ଦେଇଛନ୍ତି ତାହା ଗ୍ରହଣୀୟ ନୁହେଁ। ସେ ପ୍ରଧାନମନ୍ତ୍ରୀଙ୍କ ଆଗମନ ବିଷୟରେ ଜାଣନ୍ତି, କାରଣ ଆଲୋଚନା ବହୁତ ଦିନ ଧରି ଚାଲିଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାରୁ ସିଧାସଳଖ ନୂଆଦିଲ୍ଲୀ ଯାଇ ନ ଥିଲେ। ପ୍ରକଳ୍ପଗୁଡ଼ିକୁ ଉତ୍ସର୍ଗ କରିବା ପାଇଁ ଏଠାକୁ ଆସିଥିଲେ। ତେଣୁ, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକ କର୍ତ୍ତବ୍ୟ ବୋଲି ଗଣମାଧ୍ୟମକୁ ଆନ୍ନାମଲାଇ କହିଛନ୍ତି।


